ରାଜନୀତିର ଅର୍ଥ ଦେଶ ପାଇଁ ଭାବିବା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗଣତନ୍ତ୍ରରେ ସାଧାରଣ ଜନତାର କ୍ଷମତା ସରକାରଙ୍କ ଠାରୁ ଅଧିକ । ଦେଶର ଶାସନ ସାଧାରଣ ଜନତାର କର ଅର୍ଥରେ ଚାଲେ । ଏହି ଅର୍ଥକୁ ସରକାର ଜନମଙ୍ଗଳ କାର୍ଯ୍ୟରେ ବ୍ୟବହାର କରିବା ଉଚିତ୍ । ସରକାର ମନଇଚ୍ଛା ପଇସା ଖର୍ଚ୍ଚ କରିପାରିବେ ନାହିଁ । ଗଣତନ୍ତ୍ରର ସଫଳତା ପାଇଁ ରାଜନେତାମାନେ ନିଃସ୍ୱାର୍ଥପର ସେବା ଯୋଗାଇ ଦେବା ଦରକାର । ଜଣେ ପ୍ରକୃତ ନେତା ଯେତିକି ନିଏ, ସାଧାରଣ ଜନତାଙ୍କ ତା’ଠାରୁ ଅଧିକ ଦେଇଥାଏ । ସରକାରମାନେ ପ୍ରଣୟନ କରୁଥିବା ଯୋଜନା ଗୁଡ଼ିକ ଜନସାଧାରଣଙ୍କ ହିତରେ ନ ଆସିଲେ ରାଷ୍ଟ୍ର ବିକାଶରେ ବାଧା ସୃଷ୍ଟିହୁଏ । ଏଥିରେ ବ୍ୟତିକ୍ରମ ଦେଖାଦେଲେ ଗଣତନ୍ତ୍ର ରାଷ୍ଟ୍ରରେ ସାଧାରଣ ଜନତାର ଅଧିକାର ଅଛି ପଚାରିବା ଓ ଏହାର ବିରୋଧ କରିବା ପାଇଁ । ସରକାରଙ୍କୁ ସତର୍କ ଓ ସଚେତନ କରିବା ପାଇଁ ଗଣମାଧ୍ୟମର ଭୂମିକା ଏଥିନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପଠନ ଦ୍ୱାରା ପରିବର୍ତ୍ତନ ଆସିଥାଏ । ପରାଧିନ ଭାରତକୁ ସ୍ୱାଧୀନତା ଆଣିବାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ଦ୍ୱାରା ପ୍ରକାଶିତ ହରିଜନ, ୟଙ୍ଗଇଣ୍ଡିଆ ଗୋପବନ୍ଧୁ ଦାସଙ୍କ ସମାଜ ହେଉ କିମ୍ବା ଅନ୍ୟ ପ୍ରମୁଖ ମହାପୁରୁଷଙ୍କ ଦ୍ୱାରା ପ୍ରକାଶିତ ଅନେକ ପତ୍ରିକା ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯାହାଫଳରେ ରାଜନୀତି, ଧର୍ମ, ପ୍ରଥା ଆଦି କ୍ଷେତ୍ରରେ ଆଦି କ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିପାରିଥିଲା । ନାଗରିକମାନେ ଭୋଟ ଦେଇ ସରକାର ନିର୍ବାଚନ କରିଥାନ୍ତି, ସେମାନେ ସରକାର ପରିବର୍ତ୍ତନ କରିପାରିବେ । ଯିଏ ଭୋଟ ଦେଉନି ସିଏ ଦେଶଦ୍ରୋହୀ ବୋଲି ବୁଦ୍ଧମନ୍ଦିର ପରିସରରେ ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ଖବରକାଗଜ ‘ଅରଭାନୀ ସମୟ’ର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ ତଥା ସ୍ତମ୍ଭକାର ଦାଶ ବେନହୁର ପ୍ରକାଶ କରିଛନ୍ତି । ମୁଖ୍ୟ ବକ୍ତାଭାବେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳର ମୁଖ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପୂର୍ବ ସରକାରଙ୍କ କାଳରେ ପ୍ରଣୟନ ବିଭିନ୍ନ ଯୋଜନା ଓ ଗଠିତ ବିଭିନ୍ନ ଶିଳ୍ପ ବନ୍ଦ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ।ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡ. ବିପିନ ବିହାରୀ ମିଶ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ଜନସାଧାରଣଙ୍କ ଅର୍ଥରେ ଦେଶର କାର୍ଯ୍ୟ ପରିଚାଳନା ହେଉଥିବାରୁ ଜନତା ସଚେତନ ଓ ନିଜର କ୍ଷମତା ବିଷୟରେ ଜ୍ଞାତ ହେବା ସହ ଖବରକାଗଜ ଭୂମିକାର ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ପ୍ରମୁଖ ସମ୍ମାନିତ ଅତିଥି ସମାଜସେବୀକା ତଥା ସାହିତ୍ୟିକା ଶ୍ରୀମତୀ ଆରତୀ ମହାନ୍ତି ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ଫଳରେ ରାଷ୍ଟ୍ରର ବିକାଶଧାରାର ଅଗ୍ରଗତି ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ‘ଅରଭାନୀ ସମୟ’ର ଏକ ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଦିବ୍ୟାଙ୍ଗମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ଆଶ୍ରୟର ନିର୍ଦ୍ଦେଶକ ଲୋକନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଭାନୀ ସମୟର ସମ୍ପାଦକ ରମେଶ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସହଯୋଗୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଲିଙ୍ଗରାଜ ଦାସ, ନାରାୟଣ ଖୁଣ୍ଟିଆ ପ୍ରମୁଖ ସହଯୋଗୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ