ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ଓଡିଆ ଲୋକଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା ହେବା ଦରକାର : ଧର୍ମେନ୍ଦ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିକାଶ ପାଇଁ ଡବଲ ଇଞ୍ଜିନର ସରକାର ଦରକାର । ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ବରଂ ଓଡ଼ିଶାର ସାଧାରଣ ନାଗରିକଙ୍କ କଲ୍ୟାଣ, ସମସ୍ତଙ୍କୁ ଟୀକା ଯୋଗାଇବା, ମୌଳିକ ସୁବିଧା ଦେବା, ଓବିସି ଓ ଏସଇବିସି ବର୍ଗଙ୍କୁ ସମ୍ବିଧାନ ଅନୁମୋଦିତ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ସରକାରଙ୍କ ପ୍ରାଥମିକତା ହେବା ଦରକାର ବୋଲି ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ‘ଓଡିଶା ନିର୍ମାଣ କନକ୍ଲେଭର ୫ମ ସଂସ୍କରଣ’ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଓଡ଼ିଶା ନିର୍ମାଣ ପାଇଁ ଥିବା ସୁଯୋଗ, ଢ଼ାଂଚାଗତ ବିକାଶ, ପେଟ୍ରୋଲିୟମ, ଗ୍ୟାସ ଓ ଇସ୍ପାତ୍ କ୍ଷେତ୍ରରେ କ୍ରିୟାନ୍ୱୟନ ପ୍ରକଳ୍ପ ଓ ଅନ୍ୟାନ୍ୟ ବିଷୟ ଉପରେ ମତ ରଖିବା ସହ କହିଛନ୍ତି ଯେ ସମଗ୍ର ଭାରତବର୍ଷରେ ପ୍ରଗତିର ଶୀର୍ଷରେ ପହଁଚାଇବା ପାଇଁ ଓଡ଼ିଶାରେ ସମସ୍ତ ଉପାଦାନ ଭରି ରହିଛି । ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ । ଏହି ସମ୍ଭାବନାକୁ ଉପଯୋଗ କରିବା ପାଇଁ ଗଣମାଧ୍ୟମକୁ ଦାୟିତ୍ୱ ନେବା ପାଇଁ ପଡିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତକୁ ପ୍ରାଥମିକତା ଦେଉଥିବା ବେଳେ ଏହାର ଅଗ୍ରଣୀ ସ୍ଥାନରେ ଓଡ଼ିଶା ରହିଛି । ଓଡ଼ିଶାରେ ଉପକୂଳ ରାଜପଥ,
କେନ୍ଦ୍ରାପଡ଼ାରେ ସର୍ବବୃହତ ଇସ୍ପାତ୍ କାରଖାନା ପ୍ରତିଷ୍ଠା, ମହାନଦୀ ମୁହାଁଣରେ ନଦୀଭିତିକ ବନ୍ଦର, ବିଭିନ୍ନ ବନ୍ଦରସମୂହର ବିକାଶ, ରାଜ୍ୟରେ ପେଟ୍ରୋଲିୟମ ଶିଳ୍ପ, ଏଲଏନଜି ଟର୍ମିନାଲ ଓ ଏଲପିଜି କ୍ଷେତ୍ରର ସାମଗ୍ରିକ ଭିତିଭୂମିର ବିକାଶ ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଭାରତୀୟବାସୀଙ୍କ ବିଶ୍ୱାସନୀୟତା ବଢିଛି । ପଶ୍ଚିମବଙ୍ଗରେ ବିକାଶର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ନେଇଛନ୍ତି । ଆଜିର ଦିନରେ ଆମେ ପଶ୍ଚିମବଙ୍ଗରେ ଶତପ୍ରତିଶତ ସରକାର କରିବୁ ବୋଲି ମୋର ଦୃଢ଼ ବିଶ୍ୱାସ । ସୂଚନାଯୋଗ୍ୟ ଯେ, କନକ ନ୍ୟୁଜ “ସମୃଦ୍ଧ ଓ ବିକଶିତ ଓଡିଶା ପାଇଁ ଆଗାମୀ ଦିନରେ କ’ଣ କଳ୍ପନା
ରହିବା ଦରକାର” ଭଳି ଶୀର୍ଷକରେ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରଧାନ କନକ ନ୍ୟୁଜ୍ ଏବଂ ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ