ରାଜ୍ୟସ୍ତରୀୟ ଅଭିଭାବକ ସଂଘ-ଓପାଫର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଅଭିଭାବକଙ୍କୁ ନେଇ ଆଜି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ (ଓପାଫ୍), ଏହାର ବାର୍ଷିକ ଉତ୍ସବ ପାଳନ କରିଛି । ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡ଼ିଟୋରିୟମରେ ପାଳିତ ଏହି ଉତ୍ସବରେ ସି.ବି.ଏସ୍.ଇ. ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଶ୍ୱଜିତ ନାୟକଙ୍କୁ ଓପାଫ୍ ରତ୍ନରେ ସମ୍ମାନିତ କରାଯାଇଥିଲା । ଅଭିଭାବକମାନଙ୍କ ଅନୁଭୂତି, ଶିକ୍ଷା-ଗୁଣାବତ୍ତା, ଶିକ୍ଷା ନାମରେ ଶୋଷଣ ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ସମ୍ବନ୍ଧୀୟ ଲିଖିତ ଏକ ପୁସ୍ତକ, ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କମଳ ପ୍ରସାଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ରବି ଦାସ, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବାସୁଦେବ ପୂଜାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ, ଶିକ୍ଷା କ୍ଷେତ୍ରରେ ଗୁଣାବତ୍ତା ଓ ଶୋଷଣମୁକ୍ତ ବ୍ୟବସ୍ଥା ପାଇଁ ଅଭିଭାବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମାନନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଉତ୍ସବରେ ଯୋଗଦେଇ, ବର୍ତ୍ତମାନର ପରିସ୍ଥିତିରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷା ପ୍ରତି ବିଶେଷ ଦୃଷ୍ଟିପାତ ଉପରେ ଅବଗତ କରାଇଥିଲେ । ଓପାଫ୍ର ସଭାପତି ଡଃ ଗଗନ ରାଉତ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଓ ସ୍ୱଚ୍ଛତା ପାଇଁ, ଘରୋଇ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣାତ୍ମକ ଆଇନ ଆଣିବା ନିମନ୍ତେ ସରକାରକଳ ତତ୍ପର ହେବା ନିହାତି ଦରକାର ବୋଲି କହିଥିଲେ । ବ୍ୟବସ୍ଥିତ ଅଭିଭାବକ ସଂଗଠନଗୁଡ଼ିକୁ ପ୍ରତ୍ୟେକ ସ୍କୁଲ୍ ପରିଚାଳନା କମିଟିରେ ଯୋଗଦାନ ପାଇଁ ଏକ ନୀତିଗତ ଆଇନର ବ୍ୟବସ୍ଥା ପାଇଁ ଅଭିଭାବକମାନଙ୍କୁ ମିିଳିତ ଭାବରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ଆହ୍ୱାନ କରିଥିଲେ । ବ୍ରହ୍ମପୁର, ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ, ନିମାପଡ଼ା, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର ପ୍ରମୁଖ ସହରମାନଙ୍କରୁ ଅଭିଭାବକ ପ୍ରତିନିଧିମାନେ ଓପାଫର ଏହି ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । କୁନି କୁନି ପିଲମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଏହି ଉତ୍ସବ ସମାପନା କରାଯାଇଥିଲା ।


