ରାଜ୍ୟ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥାରେ ‘ବସନ୍ତ ଦିବସ ପାଳନ’

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ପୂର୍ବତନ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ‘ବସନ୍ତ ଦିବସ’ ରୂପେ ରାଜ୍ୟ କାର୍ଯ୍ୟାଳୟ ତରଫରୁ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇ ସେହି ମହାନ ବ୍ୟକ୍ତିତ୍ୱର ସ୍ମୃତ୍ୟାର୍ଥେ ବିଭିନ୍ନ ଜିଲ୍ଲାର ସ୍କାଉଟ୍‌, ଗାଇଡ଼୍‌, କବ୍‌, ବୁଲ୍‌ବୁଲ, ରୋଭର ଓ ରେଞ୍ଜର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୪୨ଜଣ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ, କବ୍‌ମାଷ୍ଟର, ଫ୍ଲକ ଲିଡର, ରୋଭର ଲିଡର ଓ ରେଞ୍ଜର ଲିଡରଙ୍କୁ ‘ବସନ୍ତ ବିଶ୍ୱାଳ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପ-ସଭାପତି ମାନ୍ୟବର ବିଧାୟକ ଭୁବନେଶ୍ୱର (ଉତ୍ତର) ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ମାନ୍ୟବର ବିଧାୟକ ଭୁବନେଶ୍ୱର (ମଧ୍ୟ), ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶ୍ରୀ ମନୋରଞ୍ଜନ ମହାନ୍ତି, ଅବସର ପ୍ରାପ୍ତ ନ୍ୟାୟାଧୀଶ, ରାଜ୍ୟ ସଂପାଦକ ଶ୍ରୀ ଶରତ କୁମାର ପାଇକରାୟ ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ ଉପସ୍ଥିତ ଥିବା ଅତିଥିମାନେ ସ୍ୱର୍ଗତ ବିଶ୍ୱାଳଙ୍କର ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ କୁମାର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗିତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ