ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର
ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍କାର । ଯିଏ କି ନିଜର ଏକ ଖାସ୍ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି । ଗାଁରେ ବୋହିଯାଉଥିବା ନଦୀରେ ରୁହନ୍ତି ଅନେକ ସଂଖ୍ୟକ କୁମ୍ଭୀର । ଯେବେବେଳେ ନଦୀ ଅଶାନ୍ତ ହୁଏ, ସେତେବେଳେ କୁମ୍ଭୀର ସବୁ କୂଳକୁ ଚାଲିଆସନ୍ତି । ହୁଏତ କୁମ୍ଭୀରଙ୍କ ଏହି ଆଗମନ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବ ବୋଲି ଭାବୁଥିବେ; କିନ୍ତୁ ସେମିତି କିଛି ବି ହୋଇ ନ ଥାଏ । କାରଣ ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା ହୋଇଛନ୍ତି ଏହି କୁମ୍ଭୀର ସବୁ । କୁମ୍ଭୀରଙ୍କ ସହ ସେ ଏଭଳି ଭାବଦୋସ୍ତି କରିଛନ୍ତି ଯେ, ଗୋଟିଏ ହ୍ୱିସିଲ୍ରେ ଦଳ ଦଳ ହୋଇ ତାଙ୍କ ପାଖକୁ ଦୌଡ଼ିଆସନ୍ତି । ପ୍ରାୟ ୧୦ ବର୍ଷ ତଳୁ ଆରମ୍ଭ ହୋଇଛି ଏହି ନିଆରା ବନ୍ଧୁତା । ଏତେ ବର୍ଷ ଧରି ରାମଚନ୍ଦ୍ର କୁମ୍ଭୀରଙ୍କୁ ସପ୍ତାହକୁ ଦୁଇ ଥର ଭୋଜନ କରାଉଛନ୍ତି । ତେବେ ଏହି ବନ୍ଧୁତା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ରାମଚନ୍ଦ୍ରଙ୍କୁ ନଦୀକୂଳରେ ଦୁଇଟି କୁମ୍ଭୀର ଛୁଆ ମିଳିଲେ । ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । କିନ୍ତୁ ରାମଚନ୍ଦ୍ର ସେମାନଙ୍କ ସେବା ଶୁଶ୍ରୁଷା କରି ଖୁଆଇପିଆଇ ସୁସ୍ଥ କରିଥିଲେ । ଏହାପରେ ସେମାନଙ୍କୁ ନଦୀରେ ଛାଡ଼ି ଦେଇଥିଲେ । ସେବେଠୁ କୁମ୍ଭୀରମାନେ ରାମଚନ୍ଦ୍ରଙ୍କ ସହ ଏତେ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି ଯେ, ପରିବାର ସଦସ୍ୟ ଭଳି ତାଙ୍କ ପାଖକୁ ଚାଲିଆସନ୍ତି । ଏମାନଙ୍କ ଭଲପାଇବା ଆଜି ହିଂସ୍ରତାର ଶବ୍ଦକୁ ଯେମିତି ବହୁ ପଛରେ ପକାଇଦେଇଛି ।


