ରୋଗୀ ଦେହରେ ରକ୍ତ ଜମାଟ ବାନ୍ଧୁଛି
ଆମେରିକାର ଚିକିତ୍ସକମାନେ କହିଛନ୍ତି କି ଦେଶରେ ଅଧିକାଂଶ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ ରକ୍ତ ଜମାଟ ବାନ୍ଧିଯାଉଥିବାର ଦେଖାଦେଇଛି । ଗୋଡ଼, ମସ୍ତିଷ୍କ ଏବଂ ଦେହର ଅନ୍ୟ ଭାଗରେ ରକ୍ତ ଜମାଟ ବାନ୍ଧୁଛି । ଏହା କରୋନା ରୋଗୀଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ । ଆଟାଲାଣ୍ଟା ସ୍ଥିତ ଇମୋରି ହସ୍ପିଟାଲରେ ଯେତିକି କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ଭିତରୁ ୨୦ ଓ ୪୦% ଙ୍କ ଦେହରେ ରକ୍ତ ଜମାଟ ବାନ୍ଧିଛି । ଅନ୍ୟ ସ୍ଥାନରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଠାରେ ବି ଏପରି ଲକ୍ଷଣ ପରିଲକ୍ଷିତ ହେଉଛି । ପୂର୍ବରୁ ଦାବି କରାଯାଉଥିଲା ଯେ କରୋନା ଯୋଗୁଁ କେବଳ ରୋଗୀ ଫୁସଫୁସ କ୍ଷତିଗ୍ରସ୍ତ ହୋଇଥାଏ । ମାତ୍ର ଗତ କିଛି ସପ୍ତାହ ଭିତରେ ଗବେଷକମାନେ ମତ ଦେଇସାରିଲେଣି କି ଏହା ହୃତପିଣ୍ଡ, ଯକୃତ, ପାକସ୍ଥଳୀ, ମସ୍ତିଷ୍କ ଏବଂ ଦେହର ଅନ୍ୟ କିଛି ଅଙ୍ଗକୁ ବି କ୍ଷତିଗ୍ରସ୍ତ କରୁଛି । ଏହି କ୍ରମରେ ଏହା ଯୋଗୁଁ ବ୍ଲକ ଭେସେଲ କ୍ଷତିଗ୍ରସ୍ତ ହେବା ଏବଂ ରକ୍ତ ଜମାଟ ବାନ୍ଧିବା ହେଉଛି ଏକ ନୂଆ ତଥ୍ୟ । ଚିକିତ୍ସକମାନଙ୍କ ଅନୁସାରେ, କରୋନା ଭାଇରସ ଦେହରେ ଥିବା କଣ୍ଟା ସଦୃଶ ପ୍ରୋଟିନଗୁଡ଼ିକ ବ୍ଲକ ଭେସେଲ ଦେହରେ ଯୋଡ଼ି ହୋଇଯାଇ ତାକୁ କ୍ଷତିଗ୍ରସ୍ତ କରିଦେଉଛନ୍ତି । ଏହା ଯୋଗୁ ରୋଗୀ ଦେହରେ ରକ୍ତ ଜମାଟ ବାନ୍ଧୁଛି ।


