ସମଗ୍ର ମୁସଲମାନ ସମାଜକୁ ଦାୟୀ କରା ନଯାଉ: ନକଭି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ନେଇ ବିଶେଷ ଭାବେ ତବଲିଗି ଜମାତ ବିରୋଧରେ ସାରା ଦେଶରେ ଆକ୍ରୋଶମୂଳକ ଭାବନା ସୃଷ୍ଟି ହୋଇଛି । ଏଥିନେଇ ମୁସଲମାନଙ୍କ ବିରୋଧରେ ଅନେକ ଆକ୍ଷେପୋକ୍ତି କରୁଥିବା ବେଳେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତର ଆବାସ ନକଭି ଏଥିରୁ ଦୂରେଇ ରହିବା ପାଇଁ ନିବେଦନ କରିଛନ୍ତି । ଗୋଟିଏ ଗୋଷ୍ଠୀ ପାଇଁ ସମଗ୍ର ମୁସଲମାନ ସମାଜକୁ ଦୋଷ ଦିଆଯିବା ଅସମୀଚୀନ ବୋଲି ସେ କହିଛନ୍ତି । ତବଲିଗି ଜମାତ ଗୋଷ୍ଠୀ କରିଥିବା ‘ଅପରାଧ’ ପାଇଁ ତମାମ ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରାଯିବା ଅନୁଚିତ । ବହୁ ମୁସଲମାନ ନେତା ତବଲିଗି ଜମାତର କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଜମାତର ଏଭଳି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି । ଏମିତିକି ରମଜାନ ସମୟରେ ମୁସଲମାନମାନେ ତାଲାବନ୍ଦ ନିୟମକୁ ପାଳନ କରୁଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦେଶର ସମସ୍ତ ଇମାମ, ଉଲେମା ସମର୍ଥନ କରୁଛନ୍ତି । ତାରାୱି କିମ୍ବା ଇଫତାର ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉନାହିଁ । ସମସ୍ତେ ଘରେ ପ୍ରାର୍ଥନା କରୁଛନ୍ତି ବୋଲି ନକଭି କହିଛନ୍ତି । ଆନ୍ତର୍ଜାତିକ ମହଲରେ ବିଶେଷ କରି ଇସଲାମିକ ସହଯୋଗ ସଂଗଠନ (ଓଆଇସି) ପକ୍ଷରୁ ଭାରତରେ ଇସଲାମ ବିରୋଧୀ ଆଭିମୁଖ୍ୟ ପ୍ରକାଶ ପାଉଥିବା ନେଇ ହୋଇଥିବା ଅଭିଯୋଗ ସମ୍ପର୍କରେ ନକଭି କହିଛନ୍ତି ଯେ ଭାରତ ହେଉଛି ମୁସଲମାନଙ୍କ ପାଇଁ ସ୍ୱର୍ଗ । ଓଆଇସିର ମନ୍ତବ୍ୟ ନିନ୍ଦନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ