ଲକଡାଉନର ଅସୁବିଧା ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାଧାରଣତଃ ‘ମନ କି ବାତ୍‌’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ । କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ । ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ । କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷକରି ମୋର ଗରିବ ଭାଇ-ଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି! ମୁଁ ସମସ୍ତଙ୍କୁ ଗୃହବନ୍ଦୀ କରିଦେଇଥିବାରୁ ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ । ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ କଷ୍ଟକୁ ବୁଝିପାରୁଛି, କିନ୍ତୁ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା । କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ । ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ । କିନ୍ତୁ, ବିଶ୍ୱର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା । ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି ।

ଆମ ଶାସ୍ତ୍ରରେ କୁହାଯାଇଛି – “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”- ଅର୍ଥାତ୍‌, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି । ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଂଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।

ମୁଁ ଏକଥା ବି ଜାଣିଛି ଯେ, କେହି ଆଇନ ଭଙ୍ଗ କରିବାକୁ ଚାହାନ୍ତିନି, ନିୟମ ଭଙ୍ଗ କରିବାକୁ ଚାହାନ୍ତିନି, କିନ୍ତୁ କିଛି ଲୋକ ଏଭଳି କରୁଛନ୍ତି । କାରଣ ଏବେ ମଧ୍ୟ ସେମାନେ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁନାହାନ୍ତି । ଏଭଳି ଲୋକଙ୍କୁ ଏହା ହିଁ କହିବି ଯେ, ଲକଡାଉନ ନିୟମ ଭାଙ୍ଗିଲେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିବ । ବିଶ୍ୱରେ ଅନେକ ଲୋକଙ୍କ ଏଭଳି ଭ୍ରମ ଧାରଣା ଥିଲା । ଆଜି ସେମାନେ ସମସ୍ତେ ଅନୁତାପ କରୁଛନ୍ତି । ବନ୍ଧୁଗଣ, ଆମ ଶାସ୍ତ୍ରରେ କୁହାଯାଇଛି ଯେ, “ଆରୋଗ୍ୟମ ପରମମ୍ ଭାଗ୍ୟମ୍ ସ୍ୱାସ୍ଥ୍ୟଂ ସର୍ବାର୍ଥ ସାଧନଂ” – ଅର୍ଥାତ୍ ଆରୋଗ୍ୟ ହିଁ ସବୁଠାରୁ ବଡ଼ ଭାଗ୍ୟ । ସ୍ୱାସ୍ଥ୍ୟ ହିଁ ଦୁନିଆର ସବୁ ସୁଖର ସାଧନ । ଏଭଳି ପରିସ୍ଥିତିରେ ନିୟମ ଭଙ୍ଗ କରୁଥିବା ଲୋକେ ନିଜ ଜୀବନ ସହ ବହୁତ ବଡ଼ ଖେଳ ଖେଳୁଛନ୍ତି ।

ପ୍ରିୟ ଦେଶବାସୀଗଣ,
କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜର ପ୍ରକୃତ ହିରୋ ଏବଂ ଏଇ ପରିସ୍ଥିତିରେ ମଧ୍ୟ ସେମାନେ ଆଗରେ ଠିଆ ହୋଇଛନ୍ତି । ମୋତେ ନରେନ୍ଦ୍ର ମୋଦୀ ଆପ୍‌ରେ, ନମୋ ଆପରେ ବେଙ୍ଗାଲୁରୁର ନିରଂଜନ ସୁଧାକର ହେବବାଲେ ଲେଖିଛନ୍ତି କି ଏହି ଲୋକମାନେ ହିଁ ଦୈନନ୍ଦିନ ଜୀବନର ହିରୋ । ଏକଥା ସମ୍ପୂର୍ଣ୍ଣ ଠିକ୍ – ଏହି ଲୋକମାନଙ୍କ ଯୋଗୁଁ ଆମର ନିତିଦିନିଆ ଜୀବନ ଆରାମରେ କଟୁଛି – ଆପଣମାନେ ଭାବନ୍ତୁ ତ! ଦିନଟିଏ ଆପଣଙ୍କ ଘର ନଳରେ ଯଦି ପାଣି ବନ୍ଦ ହୋଇଯାଏ ବା ଅଚାନକ ଯଦି ଆପଣଙ୍କ ଘରୁ ବିଜୁଳି କଟିଯାଏ, ତାହେଲେ ସେଠାରେ ଏଇ ଦୈନନ୍ଦିନ ଜୀବନର ହିରୋ ମାନ ହିଁ ଆମର ଏସବୁ ଅସୁବିଧା ଦୂର କରିଥାନ୍ତି । ଆପଣ ଟିକିଏ ଆପଣଙ୍କ ଘର ପାଖରେ ଥିବା ଛୋଟିଆ ତେଜରାତି ଦୋକାନ ସମ୍ପର୍କରେ ଚିନ୍ତା କରନ୍ତୁ ତ! ଆଜିର ଏଇ କଠିନ ସମୟରେ, ସେଇ ଦୋକାନୀ ବି ବିପଦ ମୁଣ୍ଡାଉଛି – କ’ଣ ପାଇଁ ….? ଏଇଥିପାଇଁ ଯେ ଆପଣମାନଙ୍କୁ ଜରୁରୀ ଜିନିଷପତ୍ର ମିଳିବାରେ ଯେମିତି କୌଣସି ପ୍ରକାର ଅସୁବିଧା ନ ହୁଏ । ଠିକ୍ ସେଇପରି, ସେଇ ଚାଳକମାନେ ସେଇ କର୍ମଚାରୀମାନଙ୍କ ସମ୍ପର୍କରେ ଭାବନ୍ତୁ, ଯେଉଁମାନେ ଅନବରତ ନିଜ କାମରେ ନିୟୋଜିତ ରହୁଛନ୍ତି । କାହିଁକିନା ସମ୍ପୂର୍ଣ୍ଣ ଦେଶରେ ଆବଶ୍ୟକ ଜିନିଷପତ୍ରର ଯୋଗାଣ ଶୃଙ୍ଖଳାରେ ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ । ଆପଣମାନେ ଦେଖିଥିବେ, ବ୍ୟାଙ୍କିଙ୍ଗ ସେବାକୁ ସରକାର ଚାଲୁରଖିଛନ୍ତି । ଆଉ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆମର ଲୋକେ ପୁରା ନିଷ୍ଠା, ପୂରା ଧ୍ୟାନ ଦେଇ ଏଇ ଯୁଦ୍ଧର ନେତୃତ୍ୱ ନେଇ ବ୍ୟାଙ୍କଗୁଡ଼ିକ ସମ୍ଭାଳୁଛନ୍ତି । ଆପଣଙ୍କ ସେବା କରୁଛନ୍ତି । ଆଜିର ସମୟରେ ସେବା କିଛି ଛୋଟ କଥା ନୁହେଁ । ସେଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଆମେ ଯେତେ ଧନ୍ୟବାଦ ଦେବା ତାହା ବି କମ୍ ହୋଇପାରେ । ଇ-କମର୍ସ ସହିତ ଜଡ଼ିତ କମ୍ପାନୀମାନଙ୍କର ଆମର ଅନେକ ସାଥୀ ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ଏମାନେ ଏଇ କଠିନ ସମୟରେ ମଧ୍ୟ ତେଜରାତି ଜିନିଷ ପ୍ରଦାନ କରିବା କାମରେ ଲାଗିରହିଛନ୍ତି । ଟିକେ ଭାବନ୍ତୁ, ଆପଣମାନେ ଲକଡାଉନ ସମୟରେ ମଧ୍ୟ ଯେଉଁ ଟିଭି ଦେଖିପାରୁଛନ୍ତି; ଘର ଭିତରେ ରହି ଯେଉଁ ଫୋନ ବା ଇଂଟରନେଟ ବ୍ୟବହାର କରିପାରୁଛନ୍ତି ସେସବୁକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ କେହି ନା କେହି ନିଜ ଜୀବନକୁ ବାଜି ଲଗାଉଛି । ଏ ଭିତରେ ଆପଣମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯେଉଁ ଡିଜିଟାଲ ପେମେଂଟ ଅତି ସହଜରେ କରିପାରୁଛନ୍ତି ତା’ପଛରେ ମଧ୍ୟ ଅନେକ ଲୋକ କାମ କରୁଛନ୍ତି । ଲକଡାଉନ ସମୟରେ ଏମାନେ ସେହି ଲୋକ ଯିଏ ଏପରି କାମ ସବୁ ସମ୍ଭାଳିଛନ୍ତି । ଆଜି ସମସ୍ତ ୧୮ ଦେଶବାସୀଙ୍କ ତରଫରୁ ମୁଁ ସେଇ ସମସ୍ତ ଲୋକଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି ଏବଂ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜ ପାଇଁ ବି ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଅନ୍ତୁ । ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ! ମୋର ପ୍ରିୟ ଦେଶବାସୀଗଣ! ମୋତେ ଏମିତି କିଛି ଘଟଣା ସମ୍ପର୍କରେ ସୂଚନା ମିଳୁଛି ଯେ ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ବା ଯେଉଁମାନଙ୍କୁ ହୋମ କ୍ୱାରେଂଟାଇନରେ ରହିବାକୁ କୁହାଯାଇଛି, ସେମାନଙ୍କ ସହିତ କିଛି ଲୋକ ଖରାପ ବ୍ୟବହାର କରୁଛନ୍ତି । ଏଭଳି କଥାଶୁଣି ମୋତେ ଖୁବ୍ ଦୁଃଖ ଲାଗିଲା । ଏହା ଅତିମାତ୍ରାରେ ଦୁର୍ଭାଗ୍ୟପୂର୍ଣ୍ଣ । ଆମକୁ ଏକଥା ବୁଝିବାକୁ ହେବ, ସାମ୍ପ୍ରତିକ ପରିସ୍ଥିତିରେ ଜଣେ ଜଣଙ୍କଠାରୁ ମାତ୍ର ସାମାଜିକ ଦୂରତା ପାଳନ କରିବ, କିନ୍ତୁ ଭାବଗତ ବା ମାନବୀୟ ଦୂରତା ନୁହେଁ । ଏମିତି ଲୋକ ଅପରାଧି ନୁହନ୍ତି, ବରଂ ଭୂତାଣୁ ଦ୍ୱାରା ସମ୍ଭାବିତ ପୀଡ଼ିତ ମାତ୍ର । ଏମାନେ ଏଇ ଭୂତାଣୁ ସଂକ୍ରମଣରୁ ଅନ୍ୟମାନଙ୍କୁ ବଂଚାଇ ରଖିବା ପାଇଁ ନିଜକୁ ଅଲଗା କରି ରଖିଛନ୍ତି ଏବଂ କ୍ୱାରେଂଟାଇନରେ ରହୁଛନ୍ତି । ଅନେକ ସ୍ଥାନରେ ଲୋକମାନେ ନିଜର ଦାୟିତ୍ୱକୁ ଗଭୀରତାର ସହିତ ନେଇଛନ୍ତି । ଏପରିକି ଭୂତାଣୁର କୌଣସି ଲକ୍ଷଣ ଦେଖାନଯିବା ସତ୍ୱେ ମଧ୍ୟ ନିଜେ ନିଜକୁ କ୍ୱାରୋଂଟାଇନ କରିଛନ୍ତି । ଏହା ସେମାନେ ଏଥିପାଇଁ କରୁଛନ୍ତି କାହିଁକି ନା ସେମାନେ ବିଦେଶରୁ ଫେରିଛନ୍ତି ଏବଂ ଦୁଇଗୁଣ ସାବଧାନତା ଆପଣେଇଛନ୍ତି । ସେମାନେ ଏହା ସୁନିଶ୍ଚିତ କରିବାକୁ ଚାହାଁନ୍ତି ଯେ, କୌଣସି ବି ପରିସ୍ଥିତିରେ ଯେମିତି ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିକୁ ଏଇ ଭୂତାଣୁ ସଂକ୍ରମଣ ନ ହେଉ । ଏଥିପାଇଁ ଲୋକେ ଯେତେବେଳେ ନିଜର ଦାୟିତ୍ୱ ପ୍ରତି ଏତେ ପରିମାଣରେ ସଚେତନ ଅଛନ୍ତି ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ବରଂ ସେମାନଙ୍କ ସହିତ ସହାନୁଭୂତି ପୂର୍ବକ ସହଯୋଗ କରିବା ଆବଶ୍ୟକ । କରୋନା ଭୂତାଣୁ ସହ ଲଢ଼ିବାର ସର୍ବୋତମ ମାଧ୍ୟମ ହେଉଛି ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ, କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ, ସୋସିଆଲ ଡିଷ୍ଟାନ୍ସିଂ ମାନେ ସୋସିଆଲ ଇଂଟରଆକ୍ସନକୁ ସମାପ୍ତ କରିବା ନୁହେଁ, ବରଂ ବାସ୍ତବରେ ଏଇ ସମୟରେ ନିଜର ସମସ୍ତ ପୁରୁଣା ସାମାଜିକ ସମ୍ପର୍କକୁ ନବ-ଜୀବନ ଦେବା । ଏହା ଏକ ପ୍ରକାରର ସେଇ ସମସ୍ତ ସମ୍ପର୍କକୁ ପୁଣିଥରେ ଉଜ୍ଜୀବିତ କରିବାର ସମୟ । ଏ ସମୟ ଏକ ପ୍ରକାର ଆମକୁ ସୂଚାଇଦିଏ ଯେ ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସ କମ୍ କରନ୍ତୁ । ମୁଁ ପୁଣି କହିରଖେ, ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସକମାନ୍ତୁ ।
କୋଟାରୁ ୟଶବର୍ଦ୍ଧନ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ଲକଡାଉନ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିଛି । ପିଲାଙ୍କ ସହିତ ବୋର୍ଡ ଗେମ୍ସ ଏବଂ କ୍ରିକେଟ ଖେଳୁଛନ୍ତି । ରୋଷେଇ ଘରେ ନୂଆ ନୂଆ ଖାଇବା ପ୍ରସ୍ତୁତ କରୁଛନ୍ତି । ଜବଲପୁରର ନିରୂପମା ହର୍ଷେୟ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ରେଜେଇ ତିଆରି କରିବାର ନିଜ ରୁଚି ପୂରା କରିବାର ସୁଯୋଗ ମିଳିଲା । ଖାଲି ଏତିକି ନୁହେଁ, ଏହାସହିତ ସେ ବଗିଚା କାମର ରୁଚି ମଧ୍ୟ ପୂରଣ କରିପାରୁଛନ୍ତି । ସେଇପରି ରାୟପୁରର ପରୀକ୍ଷିତ, ଗୁରୁଗ୍ରାମର ଆର୍ଯ୍ୟମନ୍ ଏବଂ ଝାଡ଼ଖଣ୍ଡର ସ୍ୱରଜୀଙ୍କର ପୋଷ୍ଟ ପଢ଼ିବାକୁ ମିଳିଲା ଯେଉଁଠି ସେମାନେ ନିଜର ବିଦ୍ୟାଳୟ ସାଥୀମାନଙ୍କର ଇ-ପୁନର୍ମିଳନ କରିବାର କଥା କହିଛନ୍ତି । ସେମାନଙ୍କର ଏଇ ଉପାୟ ଖୁବ୍ ରୋଚକପୂର୍ଣ୍ଣ । ହୁଏତ ଆପଣମାନଙ୍କୁ ମଧ୍ୟ ଅନେକ ବର୍ଷରୁ ସ୍କୁଲ କଲେଜର ପୁରୁଣା ସାଙ୍ଗସାଥୀଙ୍କ ସହିତ କଥାହେବାର ସୁଯୋଗ ମିଳି ନ ଥାଇପାରେ । ଆପଣମାନେ ବି ଏଇ ଉପାୟକୁ ବ୍ୟବହାର କରିପାରନ୍ତି । ଭୁବନେଶ୍ୱରର ପ୍ରତ୍ୟୁଷ ଏବଂ କଲିକତାର ବସୁଧା କହିଛନ୍ତି ଯେ, ସେମାନେ ସେହି ବହିଗୁଡ଼ିକ ପଢ଼ୁଛନ୍ତି ଯାହାକୁ ପୂର୍ବରୁ ପଢ଼ିପାରିନଥିଲେ । ସୋସିଆଲ ମିଡିଆରେ ମୁଁ ଦେଖିଛି ଯେ କିଛି ଲୋକ ଅନେକ ବର୍ଷରୁ ଘରେ ବନ୍ଦ ପଡ଼ିଥିବା ତବଲା, ବୀଣା ପରି ବାଦ୍ୟ ଯନ୍ତ୍ର ବାହାର କରି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଆପଣ ବି ଏମିତି କରିପାରିବେ । ଏଥିରେ ଆପଣ ସଙ୍ଗୀତର ଆନନ୍ଦ ଉଠାଇବା ସହ ଆପଣଙ୍କର କିଛି ପୁରୁଣା ସ୍ମୃତି ମଧ୍ୟ ସତେଜ ହୋଇଯିବ । ମାନେ ଅସୁବିଧାର ଏଇ କ୍ଷଣରେ ଆପଣଙ୍କୁ ଅସୁବିଧା ଭିତରୁ ଏମିତି କିଛି ମୁହୂର୍ତ ମିଳିଛି, ଯେଉଁଠି ଆପଣଙ୍କୁ ନିଜ ସହିତ ଯୋଡ଼ିହେବାର ସୁଯୋଗ କେବଳ ମିଳିବନି, ବରଂ ଆପଣ ନିଜର ରୁଚି ସହିତ ବି ଯୋଡ଼ି ହୋଇଯିବେ । ଆପଣ ନିଜର ପୁରୁଣା ବନ୍ଧୁ ତଥା ପରିବାର ସହ ମଧ୍ୟ ଯୋଡ଼ି ହେବାର ସୁଯୋଗ ପାଇଯିବେ ।
ନମୋ ଆପ୍‌ରେ ମତେ ରୁରକୀର ଶଶୀଜୀ ପଚାରିଛନ୍ତି ଯେ ଖକ୍ଟମଳୟକ୍ଟଙ୍ଗଦ୍ଭ ସମୟରେ ମୁଁ ନିଜର ଫିଟନେସ ପାଇଁ କ’ଣ କରୁଛି? ଏଇ ପରିସ୍ଥିତିରେ ମୁଁ ନବରାତ୍ରର ଉପାସ କେମିତି ରଖୁଛି? ମୁଁ ଆଉଥରେ ଆପଣମାନଙ୍କୁ କହୁଛି ଯେ ମୁଁ ଆପଣମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରିଛି କିନ୍ତୁ ଆପଣଙ୍କୁ ନିଜ ଭିତରେ ନିଜକୁ ଦେଖିବାର ସୁଯୋଗ ଦେଇଛି – ଏଇଟା ଗୋଟେ ସୁଯୋଗ । ବାହାରକୁ ବାହାରିବାନି, କିନ୍ତୁ ନିଜ ଭିତରେ ନିଜେ ପ୍ରବେଶ କରିବା, ନିଜକୁ ନିଜେ ଜାଣିବାର ଚେଷ୍ଟା କରିବା । ଆଉ ନବରାତ୍ରୀର ଉପବାସ କଥା, ଏଇଟା ମୋର ଶକ୍ତି ଓ ଭକ୍ତିର କଥା । ଆଉ ଫିଟନେଓ କଥା କହିଲେ ମୋତେ ଲାଗୁଛି କଥା ଲମ୍ବା ହୋଇଯିବ ତେଣୁ ମୁଁ ସୋସିଆଲ ମିଡିଆରେ ଏଇ ବିଷୟରେ କିଛି ଭିଡ଼ିଓ ଅପଲୋଡ କରୁଛି – ନରେନ୍ଦ୍ର ମୋଦୀ ଆପରେ ଆପଣ ନିଶ୍ଚୟ ଏହି ଭିଡ଼ିଓକୁ ଦେଖିବେ – ଯାହା ମୁଁ କରୁଛି ସମ୍ଭବତଃ ଏଥିରୁ କିଛି କଥା ଆପଣଙ୍କ କାମରେ ଆସିବ! କିନ୍ତୁ ଗୋଟେ କଥା ମନରେ ରଖିବେ ଯେ ମୁଁ ଫିଟନେଓ ବିଶେଷଜ୍ଞ ନୁହେଁ କି ମୁଁ ଯୋଗଶିକ୍ଷକ ନୁହେଁ – ମୁଁ କେବଳ ଜଣେ ଅଭ୍ୟାସକାରୀ । ହଁ ଏକଥା ମୁଁ ନିଶ୍ଚୟ ସ୍ୱୀକାର କରିବି ଯେ ଯୋଗର କେତେକ ଆସନରୁ ମୁଁ ବହୁତ ଲାଭ ପାଇଛି – ଲକଡାଉନ ସମୟରେ ହୁଏତ ଏକଥା ଆପଣଙ୍କ କାମରେ ଆସିପାରେ ।

କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାହାସବୁ ପଦକ୍ଷେପ ଭାରତବାସୀ ନେଇଛନ୍ତି, ଯେଉଁ ଚେଷ୍ଟା ଆମେ କରୁଛେ ତାହା ଭାରତକୁ କରୋନା ମହାମାରୀ ଉପରେ ନିଶ୍ଚୟ ବିଜୟ ଦେବ – ଜଣେ ଜଣେ ଭାରତୀୟଙ୍କ ସଂଯମ ଓ ସଂକଳ୍ପ ମଧ୍ୟ ଆମକୁ ଏଇ ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ । ଏଥିସହିତ ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧିକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଆଉ ଏକଥା ହିନ୍ଦୁସ୍ତାନ କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ମୋର ପ୍ରିୟ ଦେଶବାସୀଗଣ! ଆଜି ପ୍ରତ୍ୟେକ ଭାରତୀୟ, ନିଜ ଜୀବନର ରକ୍ଷା ପାଇଁ ଘରେ ଭିତରେ ଆବଦ୍ଧ । କିନ୍ତୁ ଆଗାମୀ ସମୟରେ ଏହି ଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ଗତିରୋଧକୁ ଭାଙ୍ଗି ଆଗକୁ ବଢ଼ିବେ, ଦେଶକୁ ଆଗକୁ ନେଇଯିବେ । ଆପଣମାନେ ଆପଣମାନଙ୍କ ପରିବାର ସାଥୀରେ ଘରେ ରୁହନ୍ତୁ । ସୁରକ୍ଷିତ ଆଉ ସାବଧାନ ରୁହନ୍ତୁ, ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ । ନିଶ୍ଚୟ ଜିତିବା । ‘ମନ କି ବାତ୍‌’ ପାଇଁ ପୁଣି ଆସନ୍ତା ମାସରେ ଭେଟହେବା ଆଉ ସେତେବେଳକୁ ଏଇ ସଂକଟକୁ ଟାଳିବାକୁ ଆମେ ସଫଳ ବି ହୋଇଯିବା – ଏଇ କଳ୍ପନା ସହିତ, ଏହି ଏକମାତ୍ର ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ