ଲକଡାଉନ୍ ଅବଧି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଲୋଡ଼ିଲେ ମୋଦି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କୋଭିଡ-୧୯ର ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି । ମାର୍ଚ୍ଚ ୨୦ ଓ ଏପ୍ରିଲ ୨ ତାରିଖ ପରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏପରି ମତ ବିନିମୟ କରିଛନ୍ତି । ଦେଶରେ କୋରୋନା ଭୂତାଣୁର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ଗତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଥିଲେ। ଏହି ଅବଧି ଆସନ୍ତା ୧୪ ତାରିଖକୁ ପୂରିବାକୁ ଥିବା ବେଳେ ଏହି ଲକଡାଉନକୁ ବଢ଼ାଇବାର ଆବଶ୍ୟକତା ରହିଛି କି ନାହିଁ, ବିଭିନ୍ନ ରାଜ୍ୟରେ ସ୍ଥିତି କିପରି ରହିଛି, ତାହା ଜାଣିବା ସକାଶେ ଶନିବାର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୁହଁରେ ମାସ୍କ ଲଗାଇ ସାମିଲ୍ ହୋଇଥିବା ବେଳେ ପ୍ରତିଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯେ କୌଣସି ସମୟରେ ବି ତାଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇପାରିବେ ବୋଲି କହିଥିଲେ। ବର୍ତ୍ତମାନ ସମୟରେ ଦେଶରେ ଜାରି ରହିଥିବା ମହାମାରୀ ଯେପରି ନିୟନ୍ତ୍ରଣ ବାହାରକୁ ଚାଲି ନ ଯିବ, ସେଥିପାଇଁ କେନ୍ଦ୍ର ସହ ରାଜ୍ୟମାନଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଆଲୋଚନା ସମୟରେ ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏ ଲକଡାଉନ୍ ଅବଧି ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ସମୟ ବଢ଼ିଲେ ପ୍ରତି ରାଜ୍ୟ ସରକାର ମହାମାରୀର ମୁକାବିଲା ଦିଗରେ ଠୋସ୍ ପଦକ୍ଷେପ ନେଇପାରିବେ ବୋଲି ସେମାନେ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଯୋଗୁଁ କୋଭିଡ-୧୯ର ମୁକାବିଲା ଦିଗରେ ନିଶ୍ଚିତ ସୁଫଳ ମିଳିଛି, ତେବେ ସଂକ୍ରମଣ ହାର ଦ୍ରୁତ ହୋଇଥିବାରୁ ନିରବଚ୍ଛିନ୍ନ ସତର୍କତା ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି । ଆଗାମୀ ୩ ରୁ ୪ ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରିସ୍ଥିତିରେ ସୁଧାର ଆଣିବା ଲାଗି ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଦେଶରେ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଓ କରୋନା ଯୁଦ୍ଧରେ ସବୁଠୁ ଆଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନିରାପତ୍ତା ଉପକରଣ ଯୋଗାଇଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି । ସେ ମହଜୁଦକାରୀ ଓ କଳାବଜାରୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି । ଚିକିତ୍ସକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିବା ସହ ଉତ୍ତରପୂର୍ବାଞ୍ଚଳ ଓ କଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଘଟଣା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ଲକଡାଉନ ଉଲଂଘନକୁ କଠୋର ଭାବେ ଦମନ କରିବା ସହ ସାମାଜିକ ଦୂରତ୍ଵକୁ ବଜାୟ ରଖିବା ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି । ଏଭଳି ପରିସ୍ଥିତିରେ ଆର୍ଥିକ ଆହ୍ଵାନର ଅବତାରଣ କରି ବର୍ତ୍ତମାନର ପରିସ୍ଥିତି ଦେଶକୁ ଆତ୍ମନିର୍ଭରଶୀଳ ହେବାର ଏକ ସୁଯୋଗ ଦେଇଛି ଓ ଦେଶ ପରିସ୍ଥିତିର ମୁକାବିଲା ସହ ଏକ ଆର୍ଥିକ ଶକ୍ତି ଭାବେ ଉଭା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କୋଭିଡ-୧୯ର ମୁକାବିଲା ପାଇଁ ନିଜ ନିଜ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ, ସାମାଜିକ ଦୂରତ୍ଵ ରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ଉପରେ ଆଲୋକପାତ କରିଥିଲେ । କିପରି ଦକ୍ଷିଣ କୋରିଆ ଓ ସିଙ୍ଗାପୁର ସଂକ୍ରମିତ ବ୍ୟକ୍ତିମାନଙ୍କ ଚିହ୍ନଟ କାର୍ଯ୍ୟ ଶୀଘ୍ର କରିପାରିଲେ ସେ ତାହାର ଉଦାହରଣ ଦେଇଥିଲେ । ସେହିସବୁ ଘଟଣାକୁ ଅନୁସରଣ କରି ଭାରତ ନିଜ ଉଦ୍ୟମରେ ମହାମାରୀର ମୁକାବିଲା ପାଇଁ ଏହି ଆପ ବିକଶିତ କରିଛି । ଭବିଷ୍ୟତରେ ଦେଶର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଏହା ଇ-ପାସ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ । ଆଗରୁ ସରକାରଙ୍କ ଥିବା ମନ୍ତ୍ର ‘ଜାନ ହେ ତୋ ଜାହାଁ ହେ’ ଏବେ ‘ଜାନ ଭି ଜାହାଁ ଭି’ରେ ପରିବର୍ତ୍ତିତ ହୋଇଯାଇଛି ।  ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରିବା ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ରାପିଡ୍ ଟେଷ୍ଟ୍ କିଟ୍ସ ଯୋଗାଇଦେବାକୁ ଅନୁରୋଧ କରିବା ସହ ଶିଳ୍ପ ଓ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ରିହାତି ଦାବି କରିଥିଲେ। ଏହାଛଡ଼ା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲର ବର୍ତ୍ତମାନର ଦୁଃଖଦ ପରିସ୍ଥିତିରେ କେନ୍ଦ୍ର ସରକାର ଦୁର୍ବଳ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି କହିବା ସହ କୃଷକଙ୍କ ସକାଶେ ବୋନସ୍ ଦାବି କରିଥିଲେ। ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଲକଡାଉନ୍ ବେଳେ ଆଉ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଅଧିକ କୋହଳ କରାଯିବା ଦରକାର କି ନାହିଁ, ସେଥିନେଇ ରାଜ୍ୟମାନଙ୍କ ପରାମର୍ଶ ଲୋଡ଼ିଥିଲେ। ଏହି ବୈଠକରେ କେଜରିୱାଲ୍, କ୍ୟାପଟେନ୍ ସିଂହ ଓ ବାନାର୍ଜୀଙ୍କ ବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ଉଦ୍ଧବ ଠାକରେ, ବିହାରର ନୀତିଶ କୁମାର, ହରିୟାଣାର ମନୋହର ଲାଲ୍ ଖଟ୍ଟର୍, ରାଜସ୍ଥାନର ଅଶୋକ ଗେହଲୋଟ୍, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ, କର୍ଣ୍ଣାଟକର ବିଏସ୍ ୟେଦିୟୁରପ୍ପା, ଛତିଶଗଡ଼ର ଭୂପେଶ ବାଘେଲ୍, କେରଳର ପିନାରାୟି ବିଜୟନ୍, ପୁଡୁଚେରୀର ଭି. ନାରାୟଣସ୍ବାମୀ, ମଧ୍ୟ ପ୍ରଦେଶର ଶିବରାଜ ସିଂହ ଚୌହାନ୍, କେନ୍ଦ୍ର ସ୍ଵରାଷ୍ଟ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ