ଲକ୍ ଡାଉନ୍ ନିୟମ ଉଲଙ୍ଘନ କରି ବେଧଡ଼କ ଚାଲିଛି କୋଚିଂ ସେଣ୍ଟର
କୋଦଳା, (ଗୁଲସନ କୁମାର କର):ସାରା ରାଜ୍ୟରେ କରୋନାକୁ ନେଇ ଲକ୍ ଡାଉନ୍ ଜାରି ରହିଛି ଏବଂ ଏବେ ୩.୦ ଲକ୍ ଡାଉନ୍ ଅବଧି ୧୭ ମଇରେ ସରିବାକୁ ଯାଉଛି। ଆଜିଠାରୁ ଲକ୍ ଡାଉନ୍ ୪.୦ ଓ ନୂତନ ଗାଇଡଲାଇନ ଆସିବ । ତେବେ ଆରମ୍ଭରୁ ଲକ୍ ଡାଉନ୍ କଟକଣା କଡାକଡି ହେଉଥିବା ବେଳେ ଏବେ ଗଂଜାମ ଜିଲ୍ଲାରେ ଏହା ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ଖଣ୍ଡିଆନଈ ଠାରେ ଲକ୍ ଡାଉନ୍ କଟକଣାକୁ ମାନୁ ନାହାଁନ୍ତି ଘରୋଇ କୋଚିଂ ସେଣ୍ଟର। ଖଣ୍ଡିଆନଈ ଠାରେ ଥିବା ଏକ କୋଚିଂ ସେଣ୍ଟରରେ ୬୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତା ରକ୍ଷା ନକରି ପିଲାମାନେ ଏଠି ଘଣ୍ଟା ଘଣ୍ଟା ଧରି ପାଠ ପଢୁଥିବା ବେଳେ ଶିକ୍ଷାଦାନ କରୁଥିବା କୋଚିଂ ସେଣ୍ଟରର ଶିକ୍ଷକ ନାରାୟଣ ଶତପଥୀ ଖୋଲାଖୋଲି ଭାବେ ଆଇନ୍ କୁ ଧଜିଆ ଉଡ଼ାଉଛନ୍ତି। ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ଗ୍ରାମ ତିରିଡା, ମିରିଗିଲେଣ୍ଡି, ଖଣ୍ଡିଆନଈ ଓ ବେଗୁନିଆପଡ଼ା ଅଞ୍ଚଳରୁ ଆସୁଛନ୍ତି। ତେବେ ସମସ୍ତ ଗ୍ରାମ ମାନଙ୍କରେ ଏବେ ସୁରଟ ଫେରନ୍ତା ମାନେ ସଂଘରୋଧ ଗୃହରେ ଅଛନ୍ତି। ଜିଲ୍ଲାକୁ ମଧ୍ୟ ରେଡ୍ ଜୋନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ଏହି କୋଚିଂ ସେଣ୍ଟରରେ ଯେଉଁଭଳି ଖୋଲାଖୋଲି ନିୟମକୁ ଉଲ୍ଲଂଘନ କରାଯାଉଛି କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି ।ଯେଉଁଭଳି ଭାବେ ଗୋଟିଏ ଛୋଟ ଦୋକାନରେ ଭିଡ କିମ୍ବା ସାମାଜିକ ଦୂରତାକୁ ବଜାୟ ନ ରଖିଲେ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଛି, ସେପରି ଉକ୍ତ କୋଚିଂ ସେଣ୍ଟରକୁ ତୁରନ୍ତ ସିଲ୍ କରାଇବା ସହ ସଂପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏନେଇ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଓ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ଅଭିଯୋଗ କରାଯାଇଛି।


