ଲଗାଣ ବର୍ଷାରେ ଭୁଶୁଡିଲା ମାଟି କାନ୍ଥ; ଅଳ୍ପକେ ବର୍ତ୍ତିଲେ ଅସହାୟା ମହିଳା
ବେଲଗୁଣ୍ଠା, ( ସନ୍ତୋଷ ବିଶୋୟୀ): ଜଣେ ଅସହାୟା ମହିଳା ଏକ ଝାଟିମାଟି ଘରେ ରହୁଥିବା ବେଳେ ଗତ ଲଗାଣ ବର୍ଷାରେ ସେହି ଘର ମାଟି କାନ୍ଥ ଭୁଶୁଡ଼ି ପଡିଛି I କିନ୍ତୁ ମହିଳା ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି I ସୂଚନା ମୁତାବକ ବେଲଗୁଣ୍ଠା ବ୍ଳକ୍ ଧୂମୂଛାଇ ପଞ୍ଚାୟତର ସରପଲ୍ଲୀ ଗ୍ରାମରେ ମନୋରମା ବେହେରା(40) ବାସ କରନ୍ତି I ମନୋରମାଙ୍କ ବାପା ଗଦେଇ ବେହେରା ଏବଂ ମାଆ ଆଠ ଦଶ ବର୍ଷ ହେଲା ମୃତ୍ୟୁବରଣ କରିସାରିଥିବା ବେଳେ ମନୋରମାର ଭାଇ ନିଜ ସ୍ତ୍ରୀ ପିଲାକୁ ନେଇ ବାହାରେ ରହୁଛି I ଅଭାବ ଅନଟନ ମଧ୍ୟରେ ମନୋରମା ବିବାହ କରିନପାରି ଏକାକୀ ନିଜ ଗାଆଁରେ ଏକ ଦୁଇ ବଖୁରିଆ ଚାଳ ଛପର ଘରେ ରହୁଥିଲା I ଗତ ଗୁରୁବାର ଦିନ ଅପରାହ୍ଣ ତିନି ଘଣ୍ଟା ସମୟରେ ଲଗାଣ ବର୍ଷା ଯୋଗୁଁ ମନୋରମା ରହୁଥିବା ଘରର ମାଟି କାନ୍ଥଟି ଭୁଶୁଡ଼ି ଯାଇ ପଡ଼ିଯାଇଥିଲା I କିନ୍ତୁ ମନୋରମା ଭାଗ୍ୟବଳରେ ଅଳ୍ପକେ ବଞ୍ଚି ଯାଇଛି I ଆଜି ସୁଦ୍ଧା ମନୋରମାଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ମନୋରମା ଏକ ଚିରା ଜରି କୁ ଆଶ୍ରୟ କରି ରହିଛି I ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ତଥା ପୂର୍ବତନ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ମନୋରମା ନିକଟରେ ପହଞ୍ଚି ତାକୁ ସାନ୍ତ୍ୱନା ଦେଇଛନ୍ତି I ନିରାଶ୍ରୟା ମନୋରମାକୁ ତୁରନ୍ତ ଜରି ପାଲ ଯୋଗାଇବା ସହ ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ସାମିଲ୍ କରି ତାକୁ ପକ୍କା ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି I


