ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରା

ପ୍ରଦୀପ ସେନାପତି

ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ‘କାଶୀ’ ନାମରେ ପରିଚିତ । କେବଳ ମହାପ୍ରଭୁ ‘ଲିଙ୍ଗରାଜ’ଙ୍କ ଠାରୁ ଆରମ୍ଭ କରି ତାଙ୍କର ଚତୁପାଶ୍ୱର୍ରେ ଥିବା ଅନେକ ଶୈବପୀଠର ଆସ୍ଥାନ, ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଭାବରେ ଯେତିକି ଚର୍ଚ୍ଚିତ, ବିଶ୍ୱ ବିଖ୍ୟାତ ସେତିକି ମଧ୍ୟ ସୁନ୍ଦର ତା’ର ଶୋଭାରାଜି । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର, ଭୁବନେଶ୍ୱର ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଏହି ସହରର ପରମ୍ପରା ଯେତିକି ପୁରୁଣା ସେତିକି ଐତିହ୍ୟପୂର୍ଣ୍ର । ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କ ବିରାଜମାନ ଏହି କ୍ଷେତ୍ରର ମର୍ଯ୍ୟଦାକୁ ଦ୍ୱିଗୁଣିତ କରିଛି । ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପରି ପ୍ରତିବର୍ଷ ଚୌତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମାଉସୀ ମା’ ମନ୍ଦିରକୁ ଯାତ୍ରା କରିଥାନ୍ତି । ତେବେ, ଏହି ଯାତ୍ରା ପାଞ୍ଚଦିନ ବ୍ୟାପି ଚାଲୁଥିବା ବେଳେ, ଏହି ରଥର ବିଶେଷତ୍ତ୍ୱ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ରଥପରି ରୁକୁଣା ରଥ ଦକ୍ଷିଣମୋଡ଼ ବା ପଛକୁ ବୁଲିନଥାଏ । ଯେଉଁଭଳି ଭାବରେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି, ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ସେଥିପାଇଁ କୁହାଯାଏ ରୁକୁଣାରଥ ଅଣଲେଉଟା ।
ଲିଙ୍ଗପୁରାଣର କିମ୍ବଦନ୍ତୀ ଅନୁସାରେ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ସବୁଠାରୁ ଅନନ୍ୟ ଓ ଭିନ୍ନ । ରାମାୟଣରେ ବଳିଷ୍ଠ ଚରିତ୍ର ଭାବରେ ପ୍ରତିବାଦିତ୍ୟ କରାଯାଇଥିବା ରାବଣଙ୍କୁ ହତ୍ୟାକରି ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିଥିଲେ ରାମଚନ୍ଦ୍ର । ରାବଣ ନୈଷ୍ଟିକ ବ୍ରାହ୍ମଣ ହୋଇଥିବାରୁ ଏଭଳି ପାପରୁ ମୁକ୍ତି ପାଇବା ପାଇଁ ସେ (ରାମଚନ୍ଦ୍ର)ଙ୍କ କୂଳଗୁରୁ ମହର୍ଷି ବୈଶିଷ୍ଠଙ୍କ ପାଖକୁ ଯାଇଥିଲେ । ବଶିଷ୍ଠଙ୍କ ମହତ୍ୱ ଉପଦେଶ ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱର ଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାର୍ଚ୍ଚନା କରିଥିଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ମହାଦେବ ସନ୍ତୁଷ୍ଟ ହୋଇ କ’ଣ ବର ଚାହୁଁ ବୋଲି ରାମଚନ୍ଦ୍ରଙ୍କୁ ପଚାରିଥିଲେ । ଶେଷରେ, ଚୌତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ମହାଦେବ ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେଠାରେ ରାମଚନ୍ଦ୍ର ଏବଂ ଈଶ୍ୱରଙ୍କର ମହାମିଳନ ହୋଇଥିବାରୁ ସେହି ମନ୍ଦିରର ନାମ ରାମେଶ୍ୱର କୁହାଯାଏ । ସେହିଦିନ ଠାରୁ ତାଙ୍କୁ ଦର୍ଶନ ଦେବାଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଅଛି । ଏତତ୍‌ବ୍ୟତୀତ ଏହି ରଥଯାତ୍ରାରେ ଆଉ ଏକ ବିଶେଷତ୍ତ୍ୱ ମଧ୍ୟ ରହିଛି ଯେ, ମା’ ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ‘ସୁରାସର’କୁ ବଦ୍ଧ କରିବାପାଇଁ ଯାତ୍ରା କରିଥାନ୍ତି । ପାଞ୍ଚଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ଯାତ୍ରାକଲେ, ଲିଙ୍ଗରାଜ ମନ୍ଦିର ଶୁନ୍ୟ ହୋଇଯାଏ । ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ ଅନୁସାରେ ମା’ ଭୁବନେଶ୍ୱରୀଙ୍କ ନାମରେ ରାଜଧାନୀର ନାମ ଭୁବନେଶ୍ୱର ବୋଲି କୁହାଯାଇଛି । କୌଣସି ସରକାର ଏହି ନାମକୁ ଘୋଷଣା କରିନାହାନ୍ତି ।
ଏ କଳ୍‌କୀ ଯୁଗର ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଯେତେଗୁଡ଼ିଏ ପାତାଳଫୁଟି ଲିଙ୍ଗ ଆବିର୍ଭାବ ହୋଇଛି, ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ରାଜା ହୋଇଥିବାରୁ, ନାମଟି ତାଙ୍କର ଲିଙ୍ଗରାଜ ମହାଦେବ ବୋଲି ମନ୍ଦିରର ନିର୍ମାତା କେଶରୀ ବଂଶର ରାଜା ଯଯାତି କେଶରୀ ଏବଂ ଲଲାଟେନ୍ଦୁ କେଶରୀ ଦେଇଥିବାର ପ୍ରାମାଣିକ ତଥ୍ୟରେ ଳିପିବଦ୍ଧ ଅଟେ । ତେବେ ଏହି ରଥଯାତ୍ରା ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣା ଲାଗିର ବିଦ୍ଧିବ୍ୟବସ୍ଥା ରହିଛି । ଏହାକୁ ଦେଖିବା ଲାଗି ଭକ୍ତଙ୍କର ପ୍ରବଳ ଜନଗହଳି ଲାଗିରହେ । ଶାସ୍ତ୍ର ଅନୁସାରେ, ବିଶ୍ୱାସ ରହିଛି ଯେ, ଲିଙ୍ଗରାଜ ମହାପ୍ରଭୁଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ, ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ରାମଚନ୍ଦ୍ରଙ୍କ କଥାକୁ ରକ୍ଷାକରି ଏହି ତିଥିରେ ପ୍ରତ୍ୟକବର୍ଷ ଦୋଳଗୋବିନ୍ଦ ଓ ରୂକୁଣାଙ୍କୁ ସାଙ୍ଗରେ ଧରି ଲିଙ୍ଗରାଜ ମହାଦେବ ରାମେଶ୍ୱର ମାଉସୀ ମା’ ମନ୍ଦିରକୁ ଯିବାର ବିଦ୍ଧିବ୍ୟବସ୍ଥା ରହିଥିବା ବେଳେ, ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ରଥକୁ ଟଣା ଯାଇଥାଏ ।
ରଥ ତିଆରି ପାଇଁ ଏହାର ବିଶେଷତ୍ତ୍ୱ ଯେ, ଏହା ୫୦ ଫୁଟ୍ ଉଚ୍ଚତା ଓ ଚାରୋଟି ଚକ୍‌, ଦୁଇଟି ଓରା, ଷୋହଳ ନାହାକା, ପାଞ୍ଚଗୋଟି ଦଣ୍ଡା ବିଶିଷ୍ଟରେ ନିର୍ମିତ ହୋଇଥାଏ । ଦୋଳପୂର୍ଣ୍ଣିମା ଦୁଇଦିନ ପରଠାରୁ ରଥ ତିଆରିପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇ, ଚୈତ୍ର‌୍ୟ ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତ୍ରୀ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କାର୍ଯ୍ୟ ସଂପନ୍ନ ହୁଏ । ଏଥିପାଇଁ ମହାରଣା ମାନେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିଥାନ୍ତି । ରଥଖଳା ଠାରେ ରଥର ସମସ୍ତ କାର୍ଯ୍ୟକୁ ମହାରଣା ମାନେ ସମ୍ପନ୍ନ କରିବା ପରେ, ରଥଯାତ୍ରା ପୂର୍ବଦିନ ଭୋର ଚାରିଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶନୀତି, ରୋଷପାକ, ସାହାଣମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭପୂଜା, ମା’ ଭୁବନେଶ୍ୱରୀଙ୍କ ପୂଜା, ସକାଳଧୂପ, ଭୋଗମଣ୍ଡପ, ବେଶ ରୂପ ସଜ୍ଜା ସମ୍ପନ୍ନ ହେବାପରେ ଦିନ ଦୁଇଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା’ ଭୁବନେଶ୍ୱରୀ (ରୂକୁଣୀ)ଙ୍କ ପହଣ୍ଡି ବିଜେ ହୋଇଥାଏ । ପରେ ରଥ ଉପରେ ଚକପୂଜା, ଅଖପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜ୍ଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ଆଦି ପ୍ରାୟ ବାରପ୍ରକାରର ପୂଜାର୍ଚ୍ଚନା ଆମ୍ଭର ସେବାୟତ ମାନଙ୍କ ଦ୍ୱାରା ନିତୀନିର୍ଘଣ୍ଟ କରାଯାଇଥାଏ । ରଥର ସାରଥୀଙ୍କୁ ବ୍ରହ୍ମା ବୋଲି କୁହାଯାଇଛି ।
ମହାପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ରୁକୁଣା ରଥର ଆଉଏକ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ମରିଚିକୁଣ୍ଡ ଜଳ ନିଲାମର ବିଦ୍ଧିବ୍ୟବସ୍ଥା । ଜଳନେବା ପାଇଁ ଶ୍ରଦ୍ଧାଳୁମାନେ ସଂଧ୍ୟାରୁ ଭିଡ଼ ଜମାଇଥାନ୍ତି । ରାତି ବାରଟା ଠାରୁ ଜଳ ନିଲାମ ଆରମ୍ଭ ହୁଏ । ନିଲାମର ପ୍ରଥମ ଜଳଘଡ଼ି ଲକ୍ଷଲକ୍ଷ ଟଙ୍କାପର୍ଯ୍ୟନ୍ତ ଦାନକରି ଭକ୍ତମାନେ ନିଅନ୍ତି । ସର୍ବପ୍ରଥମେ ରୂକୁଣାରଥର ପ୍ରତିଷ୍ଠାପାଇଁ ଜଳ ନିଆଯିବାପରେ ନିଲାମ ଆରମ୍ଭ ହୁଏ ।
କିମ୍ବଦନ୍ତୀ ଓ ପରମ୍ପରା ଅନୁଯାୟୀ, କେଦାର ଗୈାରୀ ମନ୍ଦିର ନିକଟସ୍ଥ ସୁକ୍ରେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡର ଜଳ ନିଲାମ ହୋଇଥାଏ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଏହି ଜଳରେ ମହିଳା ଓ ପୁରୁଷ ଭକ୍ତମାନେ ସ୍ନାନ କଲେ, ନିଃସନ୍ତାନ ଥିବା ଶ୍ରଦ୍ଧାଳୁ ଭକ୍ତମାନେ ସନ୍ତାନପ୍ରାପ୍ତି ହୋଇଥାନ୍ତି ବୋଲି ଉଦାହରଣ ସ୍ୱରୂପ, ପ୍ରମାଣ ଓ ବିଶ୍ୱାସ ରହିଛି । ଏହାର ଶାସ୍ତ୍ର କହେ, ପୁରାଣ କାଳରେ ଦୈତ ରାଜା ଦୁର୍ମିଳାଙ୍କ ଦୁଇପୁତ୍ରଙ୍କୁ ଅସୁରପ୍ରଭୁତିର ଚରିତ୍ର ହୋଇଥିବାରୁ ମା’ ଯୋଗମାୟା ପାଦରେ ଦଳି ମାରିଥିଲେ । ତେବେ ଦୁର୍ମିଳାଙ୍କ ପତ୍ନୀ ‘ମରିଚି’ ନିଃସନ୍ତ୍ରାଜ ହୋଇଯିବାରୁ ବଂଶ ରକ୍ଷାପାଇଁ ମହାଯୋଗୀ, ମହାଶକ୍‌ି ଶିବଙ୍କ ଶରଣରେ ଆଶ୍ରିତ ହୋଇଥିଲେ ଏବଂ ଆଶିର୍ବାଦ କାମନା କରିଥିଲେ । ପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ଠାରୁ ଅପାର କରୁଣା ପ୍ରାପ୍ତ କରି ପ୍ରଭୁ ଶିବଶକ୍ତି ବିର୍ଜ୍ୟକୁ ଏହି କୁଣ୍ଡରେ ସ୍ପଳନ କରିଥିଲେ । ଏହି ମରିଚି କୁଣ୍ଡର ଜଳକୁ ସେବନ କରିବାସହ, ଏଥିରେ ସ୍ନାନ କରିଥିବାରୁ ମରିଚି ସନ୍ତାନପ୍ରାପ୍ତ ଲାଭ କରିଥିଲା । ସେଥିପାଇଁ ଏହି କୁଣ୍ଡର ନାମ ମରିଚିକୁଣ୍ଡ ବୋଲି କୁହାଯାଇଛି ।
ଶେଷରେ ମହାପ୍ରଭୁଙ୍କର ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହୁଏ । ମହାପ୍ରଭୁ ପାଞ୍ଚଦିନ ବ୍ୟାପି ରାମେଶ୍ୱର ଯାତ୍ରା ଶେଷକରି ପ୍ରତ୍ୟାବର୍ତନ କରିବାଦିନ ଭୋର ୬ଟାରେ ମଙ୍ଗଳ ଆରତୀ, ଏହାପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ଶ୍ରୀ ଦୋଳଗୋବିନ୍ଦ, ମା’ ରୂକୁଣୀଙ୍କୁ ଖଟୁଲିରୁ ଓହ୍ଲାଇ ସ୍ନାନକାର୍ଯ୍ୟ ସମ୍ପାଦନ, ଲିଙ୍ଗରାଜମନ୍ଦିରର ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ରଥ ଉପରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ବାହୁଡ଼ାଯାତ୍ରା ଆରମ୍ଭ ହୁଏ । ଏହି ଫେରିବା ସମୟ ମଧ୍ୟରେ ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଏବଂ ବଡ଼ୁ ନିଯୋଗ ପକ୍ଷରୁ ପ୍ରଭୁଙ୍କ ପାଖରେ ପଣା ଲାଗିହୋଇଥାଏ । ପରମ୍ପରା ଅନୁଯାୟୀ ବାହୁଡ଼ିବା ବେଳେ ପ୍ରଥମେ ତିନିମୁଣ୍ଡିଆ ଛକଠାରେ ବ୍ରାହ୍ମଣ ନିଯୋଗ ପକ୍ଷରୁ ଏବଂ ପୂଜାପଣ୍ଡା ସାହି ଛକରେ ପୂଜାପଣ୍ଡା ନିଯୋଗ ସମେତ ବଢ଼େଇବାଙ୍କ ଛକଠାରେ ବଡ଼ୁ ନିଯୋଗ ପକ୍ଷରୁ ମଧ୍ୟ ପଣା ଭୋଗ ହୋଇଥାଏ । ରଥ ତିଆରି କରୁଥିବା ବଢ଼େଇମାନେ ସେହି ସ୍ଥାନର ବାସିନ୍ଦା ହୋଇଥିବାରୁ ତାଙ୍କ ରଥଟି ବାଙ୍କମୋଡ଼ ହୋଇ ଯାଉଥିବାରୁ ସେହି ଛକକୁ ବଢ଼େଇବାଙ୍କ ଛକବୋଲି କୁହାଯାଏ । ରଥଖଳାରେ ପହଞ୍ôଚବା ପରେ ଚାରମାଳ ବନ୍ଧାଯାଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ପୂଜାର୍ଚ୍ଚନା କରିଥାନ୍ତି ।
ଅଶୋକାଷ୍ଟମୀ ରଥଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁ ମା’ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଅଭିମାନ କରିଥିଲେ । ମହାପ୍ରଭୁ ପଥୁରିଆ ସାହିଠାରେ ପହଞ୍ôଚବା ବେଳକୁ ମା’ ପାର୍ବତୀ ପାଲିଙ୍କିରେ ଆସି ରଥ ଚତୁପାର୍ଶରେ ବୁଲିଥାନ୍ତି ଏବଂ ପରେ ରଥରୁ ଖଣ୍ଡିଏ ପଟା ଚୋରି କରି ନିଅନ୍ତି । ଏହି ପରମ୍ପରାରେ ସେହି ପଟା ଶ୍ରୀ ଜଗନ୍ନାଥଙ୍କ ରଥରେ ଲାଗିହୁଏ । ତେବେ, ମା’ ପାର୍ବତୀ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରି ମନ୍ଦିର ପରିସରରେ ପୂର୍ବ-ଉତ୍ତର କୋଣରେ ଥିବା ଚାହାଣି ମଣ୍ଡପରେ ବସି ମହାପ୍ରଭୁଙ୍କ ସୂର୍ଣ୍ଣାଦ୍ରି ବିଜେକୁ ଅପେକ୍ଷା କରନ୍ତି । ସେହିଭଳି, ପରମ୍ପରା ଅନୁଯାୟୀ, ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବେଳେ ମା’ ପାର୍ବତୀ ଦକ୍ଷିଣଦ୍ୱାର ବନ୍ଦ କରି ରଖିବେ । ମହାପ୍ରଭୁ ମା’ଙ୍କୁ ଚାପରେ ୨୧ ଦିନ ଚନ୍ଦନ ଯାତ୍ରାପାଇଁ ପ୍ରତିଶୃତି ଦେବାପରେ ମା’ ପାର୍ବତୀ କବାଟ ଖୋଲିବେ । ସୂର୍ଣ୍ଣାଦ୍ରି ବିଜେ ଦିନ ଏହି କବାଟକିଳା ପରମ୍ପରା ପାଳନ କରାଯାଏ । ଏକ ବିରାଟ ଶୋଭାଯାତ୍ରାରେ ସ୍ୱର୍ଣ୍ଣାଦ୍ରିବିଜେ କାର୍ଯ୍ୟକ୍ରମ ପାଳନ କରାଯାଇ ରଥ ଉପରେ ରସଗୋଲା ଭୋଗହୋଇ ବଣ୍ଟା ହେବାପରେ ଏହି ଶୋଭାଯାତ୍ରାରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ବୋଲି କିମ୍ବଦନ୍ତୀରୁ ଜଣାଯାଏ । ଏହି ଅଶୋକାଷ୍ଟମୀ ଦିନ ଆଠଟି ଅଶୋକାକଢ଼ି ପକାଇ ସେହି ଜଳକୁ ପାନକଲେ ସକଳ ଦୁଃଖଶୋକ ଲାଘବ ହେବାର ବିଶ୍ୱାସ କରାଯାଏ । ସେଥିପାଇଁ ସମ୍ଭବତଃ ଏଇଥିଲାଗି ସୀତାଙ୍କୁ ଅଶୋକ ବନରେ ରଖାଯାଇଥିଲା ବୋଲି ଶାସ୍ତ୍ରକାର ମାନେ ମତଦିଅନ୍ତି ।

ଲେଖକ ଜଣେ
ଲିଙ୍ଗରାଜ ସଂସ୍କୃତି ଗବେଷକ ତଥା
ସଭାପତି ପୁରଣା ଭୁବନେଶ୍ୱର
ଯୁବ-ସଂଗଠନ, ସାମନ୍ତରାପୁର,
ପୁରୁଣା ଭୁବନେଶ୍ୱର-୨
ମୋ- ୯୪୩୮୪୪୬୫୭୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ