ଲ୍ୟାବ ଟେକ୍ନିସିଆନ ପଦ ଉଚ୍ଛେଦ: ବଢୁଛି ରୋଗୀଙ୍କ ପରୀକ୍ଷା ସମସ୍ୟା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହିଞ୍ଜିଳିକାଟୁ ପୌରଞ୍ଚଳରେ କାର୍ଯ୍ୟକ୍ଷମ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସମ୍ପୂର୍ଣ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇଛି। ସେପ୍ଟେମ୍ବର ପହିଲାରୁ ଏଠାରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏଭଳି ଅଚଳାବସ୍ଥା ଦେଖାଦେଇଛି। ପୁର୍ବରୁ ଏଠାରେ ନିୟୋଜିତ ଥିବା ଲ୍ୟାବ ଟେକ୍ନିସିଆନଙ୍କ ପଦ ଉଚ୍ଛେଦ ହେବା ପରେ ଗତ ୫ ଦିନ ଧରି ରୋଗୀ ହଟହଟା ହେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯେନତେନ ପ୍ରକାରେ କାମ ଚଳା ଯାଉଛି। ପୂର୍ବ ସରକାରଙ୍କ ସମୟରେ ସହରଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଚାଲିଥିବା ସହରଞ୍ଚଳ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଲ୍ୟାବ୍ ଟେକ୍ନୀସିଆନ ନିୟୋଜିତ ହୋଇଥିଲେ। କିନ୍ତୁ ଗତ ଅଗଷ୍ଟ ୨୩ ତାରିଖରୁ ଲ୍ୟାବ ଟେକ୍ନିସିଆନ ପଦ ଉଚ୍ଛେଦ କରାଯିବାକୁ ନେଇ ଜାତୀୟ ସ୍ଵାସ୍ଥ୍ୟ ମିଶନ, ଓଡ଼ିଶା ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ନିର୍ଦ୍ଦେଶନାମାକୁ ଆଧାର କରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସମେତ ୧୪ଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଲ୍ୟାବ ଟେକ୍ନିସିଆନଙ୍କୁ ପଦଚ୍ୟୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହେବା ସହ ରୋଗୀ ସେବା ବ୍ୟାହତ ହୋଇଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ସେବା ପାଇବା ଆଶାରେ ଦୈନିକ ପ୍ରାୟ ଶହେ ପାଖାପାଖି ରୋଗୀ ଏଠାକୁ ଆସୁଥିଲେ। ମଳ,ମୂତ୍ର ସହ ୨୨ ପ୍ରକାର ପରୀକ୍ଷା ପାଇଁ ନିଃଶୁଳ୍କ ସେବାରେ ରୋଗୀ ମାନେ ସୁବିଧା ହାସଲ କରି ଉପକୃତ ହେଉଥିଲେ। କିନ୍ତୁ ଲ୍ୟାବ ଟେକ୍ନିସିଆନ ପଦ ଉଚ୍ଛେଦ ହେବା ପରେ କେନ୍ଦ୍ରରେ ସୁବିଧାରେ ଓ ସଠିକ ଭାବେ ବିଭିନ୍ନ ପ୍ରକାର ପରୀକ୍ଷା ନ ପାଇ ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି। ଡାକ୍ତରଙ୍କ ପରାମର୍ଶ ପରେ କାହା ପାଖରେ ରୋଗର ପରୀକ୍ଷା କରାଯିବ ସେନେଇ ଦ୍ଵନ୍ଦ ଓ ଚାପରେ ରହୁଛନ୍ତି। ରୋଗର ପରୀକ୍ଷା ପାଇଁ ମାନସିକ ଚାପରେ ପଡି ଆର୍ଥିକ ଖର୍ଚ୍ଚାନ୍ତ ଓ ସମୟ ଅପଚୟ ହେବା ସହ ପଦବୀ ଉଚ୍ଛେଦ ନିଷ୍ପତ୍ତି ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁର୍ବରୁ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଧିକ ରୋଗୀଙ୍କ ଚାପ ପଡ଼ିବାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ସହର ମଧ୍ୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଥିଲା। ଚିକିତ୍ସା ସେବାକୁ ଅଧିକ କ୍ରିୟାଶୀଳ କରିବା ସହ ତ୍ୱରିତ ସେବା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ଗୁଡିକରେ ଅଭିଜ୍ଞ ଓ ବୈଷୟକ ଯୁବକଙ୍କୁ ନିୟୋଜିତ କରା ଯାଇଥିଲା। ବହୁ ମୂଲ୍ୟବାନ ଯନ୍ତ୍ରାଂଶ ଓ ଉପକରଣ ବ୍ଯବହାର କରି ତ୍ରୁଟିଶୂନ୍ୟ ପରୀକ୍ଷା କରା ଯାଉଥିଲା। ଫଳରେ ସ୍ଵୀକୃତି ବିହୀନ ତଥା ବିନା ପଞ୍ଜିକରଣରେ ଚାଲିଥିବା ରୋଗ ନିଦାନ କେନ୍ଦ୍ର ଗୁଡ଼ିକର ଆର୍ଥିକ ଶୋଷଣ ଓ ପ୍ରଲୋଭନର ଶିକାର ନ ହୋଇ ରୋଗୀ ମାନେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିର୍ବିଘ୍ନରେ ପରୀକ୍ଷା କରାଇ ସୁରକ୍ଷିତ ମଣୁଥିଲେ। କିନ୍ତୁ ନୂଆଁ ସରକାରଙ୍କ ଅପରିପକ୍ବ ନିଷ୍ପତ୍ତି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା କେବଳ ରୋଗୀଙ୍କୁ ହଇରାଣ କରିବ ତା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଥିବା ବହୁ ମୂଲ୍ୟ ଯନ୍ତ୍ରାଂଶ ଓ ଉପକରଣ ଅଚଳ ହୋଇ ବୈଷୟିକ ଜ୍ଞାନ ସମ୍ପନ୍ନ ଯୁବକଙ୍କୁ ବେକାରୀ ସଜାଇବା ସହ ସେମାନଙ୍କ ଜୀବନ ଓ ଜୀବିକାରେ ବାଧକ ସାଜିବ। ନୂଆଁ ସରକାରଙ୍କ ଏଭଳି ନିଷ୍ପତ୍ତି ଓ ପଦ ଉଚ୍ଛେଦ ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇ ଏହାର ପୁନର୍ବିଚାର କରିବାକୁ ସାଧାରଣରେ ଦାବି ହେଉଛି।


