ଶିକ୍ଷକ ସଂଘ ପକ୍ଷରୁ ୭ଜଣ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନୁଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ସହକାରୀ ଶିକ୍ଷାଅଧିକାରୀ ତଥା ବିଆରସିସି ସୁରେଶ କୁମାର ଯେନା, ବରେଣ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମ୍ମାନୀତ ଅତିଥି ଭାବେ ସମ୍ପାଦକ ମିହିର କୁମାର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ ପିତାମ୍ବର ପଣ୍ଡା, ପିତବାସ ନାୟକ, ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗଠନ ମାଧ୍ୟମରେ କିପରି ଶିକ୍ଷକ ମାନଙ୍କ ସମସ୍ୟା ଦୁର ହୋଇପାରିବ ସେନେଇ ଅନେକ ସଦସ୍ୟମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପିତ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପରେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ, ଗଙ୍ଗାଧର ପୁହାଣ, ବୀରଭଦ୍ର ସାହୁ, କ୍ଷୀରୋଦ କୁମାର ବ୍ରହ୍ମ, ନଟବର ଓଝା, ପୁର୍ଣ୍ଣଚନ୍ଦ୍ର ପରିଡା, ନାରାୟଣ ଷେଣ୍ଢ ପ୍ରମୁଖ ୭ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ମୋହନ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଂଗଠନର କିଛି ପଦବୀ ଖାଲି ପଡିଥିବାରୁ ସହସମ୍ପାଦକ ଭାବେ ଜଳସରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଅଡିଟର ଭାବେ ବଣିଆପଙ୍କ ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ପଙ୍କଜ କୁମାର ରାଉତଙ୍କୁ ମନୋନୀତ କରାଯାଇଥିଲା । ଏହି ସଭାରେ ହାଟଡିହି ବ୍ଲକର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।


