ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଶିଶୁ ଦିବସ ପାଳିତ ହୋଇଯାଇଅଛି । ଗୁରୁବାର ପବିତ୍ର ଶିଶୁ ଦିବସ ଅବସରରେ ଶିକ୍ଷାର୍ଥୀ ମାନେ ପ୍ରାତଃହରୁ ସ୍ନାନ ସାରି ବିଦ୍ୟାଳୟରେ ପଂହଚି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରବର୍ତୀ ସମୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଶିକ୍ଷାର୍ଥୀ ମାନେ ଶିଶୁ ଦିବସର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ହିଞ୍ଜିଳିକାଟୁ ପୌରାଂଚଳର ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାଳୟ, ଆଙ୍କୋରଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଁଗଡ଼ ପ୍ରାଥମିକ ବିଦ୍ୟାଳୟ, ରେଗିଡ଼ି ପ୍ରାଥମିକ ବିଦ୍ୟାଳୟ, ଓଁ ଶ୍ରୀ ଇଂଟରନ୍ୟାସନାଲ ସ୍କୁଲ, ଧରିତ୍ରୀ ପବ୍ଳିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରଭୂପାଦ ବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ବୁରୁପଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ସିକିରି ଉଦୟନାଥ ବିଦ୍ୟାପିଠ, ଦୃର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ, ସାଇ ନାରାୟଣ ପବ୍ଳିକ ସ୍କୁଲ, ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଲଗାଁ ବେଲେଶ୍ୱର ଉଚ୍ଚ ବିଦ୍ୟାଳୟ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମରେ ଅବସ୍ଥାପିତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଶିଶୁ ଦିବସ ପାଳିତ ହୋଇଯାଇଅଛି । କେତେକ ବିଦ୍ୟାଳୟରେ ଶିଶୁ ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକୃତା, ଚିତ୍ରାଙ୍କନ, ନୃତ୍ୟ, ଗୀତ ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଇକୋ କ୍ଳବ ସହାୟତାରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଚାରାରୋପଣ କରିବା ସହ ରୋପଣ କରାଯାଇଥିବା ଚାରାର ଯତ୍ନ ନେବା ପାଇଁ ଶପଥ ନେଇଥିଲେ । ପରିଶେଷରେ ଶିକ୍ଷାର୍ଥୀ ମାନଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା ।


