ଶିକ୍ଷାରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସମ୍ପର୍କରେ ଜାତୀୟ ସୋପାନ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ କଲେଜର ଶିକ୍ଷା ବିଭାଗ ତଥା ଭୁବନେଶ୍ୱର ‘ଟିକା’ ପ୍ରତିଷ୍ଠାନର ମିଳିତ ସହଯୋଗରେ “ଶିକ୍ଷାଦାନରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସୁଯୋଗ ଓ ଆହ୍ୱାନ” ସମ୍ପର୍କରେ ବିଶ୍ବ ବିଦ୍ୟାଳୟ ମଞ୍ଜୁରୀ ଆୟୋଗ ପ୍ରାୟୋଜିତ ଏକ ଦୁଇ ଦିନିଆ ଜାତୀୟ ସମ୍ପାନ ଅଧ୍ୟକ୍ଷ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି । ଏହି ସମ୍ପାନକୁ ଶିକ୍ଷକ ସାମର୍ଥ୍ୟ ବୃଦ୍ଧିରେ ଜ୍ଞାନର ପ୍ରୟୋଗ ଲକ୍ଷ୍ୟରେ ପ୍ରତିଷ୍ଠିତ ‘ଟିକା’ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଏନ.ସି.ଇ.ଆର.ଟି. ପରିଚାଳିତ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସୁବାସ ଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ଭୂଜେନ୍ଦ୍ର ନାଥ ପଣ୍ଡା ସମ୍ପାନରେ ମୁଖ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉତ୍ତରପ୍ରଦେଶ ନଇଡ଼ାସ୍ଥ ଆମିଟି ବିଶ୍ୱ ବିଦ୍ୟାଳୟର ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ପ୍ରଫେସର ମମତା ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗ ଉତ୍ତରବଙ୍ଗ ବିଶ୍ୱ ବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରଫେସର ହରପ୍ରସାଦ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଭିତ୍ତିପତ୍ର ଉପସ୍ଥାପନ କରିଥିଲେ ବିଭାଗର ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ । ବକ୍ତାମାନେ ଶିକ୍ଷାରେ ସୂଚନା ଓ ଯୋଗାଯୋଗ ପ୍ରଜୁକ୍ତି ବିଦ୍ୟାର ସୁଯୋଗ ଓ ଆହ୍ୱାନ ସମ୍ପର୍କରେ ନିଜର ମତାମତ ରଖି ଏହି ପ୍ରଜୁକ୍ତି ବିଦ୍ୟା ଶିକ୍ଷା ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ । ଏହି ସମ୍ପାନରେ କଲେଜ ଉପାଧ୍ୟକ୍ଷ ଗୋପାଳ ବେହେରା ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଭୁବନେଶ୍ୱର ରାଜଧାନୀ କଲେଜ ଶିକ୍ଷା ବିଭାଗ ସହକାରୀ ପ୍ରଫେସର ଡଃ. ସରୋଜକାନ୍ତ ଚୈାଧୁରୀ । ଏଥିରେ ସହଯୋଗ କରିଥିଲେ ‘ଟିକା’ ପ୍ରତିଷ୍ଠାନ ପକ୍ଷରୁ ସାଲେପୁର କଲେଜର ପ୍ରାଧ୍ୟାପକ ଡଃ. ପ୍ରସନ୍ନ କୁମାର ମହାପାତ୍ର ଓ ନିମାପଡା କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡଃ. ରବୀନ୍ଦ୍ର ନାରାୟଣ ସାହୁ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପ୍ରାଣନାଥ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡଃ. ପ୍ରମୋଦ କୁମାର ଦାସ ଓ ଡଃ. ଭାବଗ୍ରାହୀ ବିଶ୍ୱାଳ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରମାନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନୀ ଉତ୍ସବରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ବିନ୍ଦୁମିତ୍ର ବଳ, ପ୍ରାକ୍ତନ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଜୟ ସାମଲ, ତପନ କୁମାର ପତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୈାରପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ, ହିମାଂଶୁ ମହାପାତ୍ର, ଡଃ. ଦେବକାନ୍ତ ଷଡଙ୍ଗୀ, ଡଃ. ରତ୍ନମଞ୍ଜରୀ ଦାସ, ଡଃ. ରେବତୀ କର, ରଣଜିତ ଦାସ, ଲେଫଟନାଣ୍ଟ ସୀମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଦିନାନ୍ତରେ କଲେଜର ଛାତ୍ରଛାତ୍ରୀମାନେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିଲେ ।


