ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ଶିକ୍ଷାଦାନ କ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ଥିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖାଠାରୁ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବିଜେପି ଓବିସି ମୋର୍ଚ୍ଚା କର୍ମକର୍ତ୍ତା କହିଛନ୍ତି । ସେହିଭଳି ଦେଶର ଅଧିକାଂଶ ରାଜ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତି ଅନୁସରଣ କରି ସଂରକ୍ଷଣ ଦେଇ ଚାଲିଛନ୍ତି । ମାତ୍ର ଓଡ଼ିଶାରେ ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗ ଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ସଂରକ୍ଷଣ ତାଲିକାଭୁକ୍ତ ନକରିବା ଦୁର୍ଭାଗ୍ୟର ବିଷୟ ବୋଲି ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟ ସରକାର ଓ ରାଜ୍ୟ ଓବିସି ଆୟୁକ୍ତଙ୍କୁ ଜଣାଇବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ହକ ନ ମିଳିବା ପର୍ଯ୍ୟନ୍ତ ବିଜେପି ଓବିସି ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି । ଏହି ଅବସରରେ ଓବିସି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରୀ ବେହେରାଙ୍କ ସମେତ ସରୋଜ କୁମାର କର, କମଳା ବିନ୍ଧାଣୀ, ଶୋଭନା ମହାନ୍ତି, ସସ୍ମିତା ଚାନ୍ଦ, ମମତା ପ୍ରଧାନ, ପିଙ୍କି ପ୍ରଧାନ, ମନୋଜ ପୋଦାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ