ଶ୍ରମିକ ଦିବସରେ ଗାଁକୁ ଚାଲ ଅଭିଯାନ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର) : ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ସମ୍ପାଦକ ଏରା ପଡିଆମୀ ଏବଂ ଶ୍ରମ ଜୀବୀ ସଂଗଠନର ଜିଲ୍ଲା ସଂଯୋଜକ ବଟ କୃଷ୍ଣ ସାହୁ ସହ ସଂଘର ଅନ୍ୟ କର୍ମକର୍ତା ଓ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଶ୍ରୀ ତ୍ରିପାଠୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଚଳିତ ବର୍ଷ ଶ୍ରମିକ ଦିବସକୁ ପଂଚାୟତ ସ୍ତରରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମ୍ୟ ସ୍ତରରେ ବିଭିନ୍ନ ଶ୍ରମିକ ମାନେ ବହୁସଂଖ୍ୟାରେ ଶୋଷିତ ହେଉଥିବା ଦେଖା ଦେଇଛି, ଉପଯୁକ୍ତ ମଜୁରୀ ନପାଇବା, ବହୁଦିନ ଧରି ପାରିଶ୍ରମିକ ପାଇବାରୁ ବଂଚିତ ହେବା ଭଳି ସମସ୍ୟା ଥିବାରୁ ଚଳିତ ବର୍ଷ ସଂଗଠନ ତରଫରୁ ଶ୍ରମିକ ଦିବସକୁ ଗ୍ରାମ୍ୟ ସ୍ତରରେ ପାଳନ କରି ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପଂଚାୟତ ସ୍ତରରେ ଗ୍ରାମୀଣ ଶ୍ରମିକ ଯଥା ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ନରେଗା ଶ୍ରମିକ ଭଳି ବିଭିନ୍ନ ସ୍ତରରେ କାମ କରୁଥିବା ଶ୍ରମିକ ମାନଙ୍କୁ ସଂଗଠିତ କରିବା ସହିତ ସେମାନେ କିପରି ଶୋଷଣ ମୁକ୍ତ ହୋଇପାରିବେ ଏବଂ ଶିଶୁ ଶ୍ରମିକ, ଦାଦନକୁ ବିରୋଧ କରିବା ସାଙ୍ଗକୁ ସରକାରଙ୍କର ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନା ଉପରେ ସଚେତନତା କରାଯିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ଶ୍ରୀ ପଡିଆମୀ ପ୍ରକାଶ କରିଛନ୍ତି। ଜିଲ୍ଲାର ୧୫ଟି ପଂଚାୟତରେ ଶ୍ରମିକ ଦିବସ ପାଳନ କରାଯିବ ବୋଲି ଶ୍ରମଜୀବୀ ସଙ୍ଗଠନର ଜିଲ୍ଲା ସଂଯୋଜକ ବଟ ସାହୁ ପ୍ରକାଶ କରିଛନ୍ତି। ଆବଶ୍ୟକ ହେଲେ ଏହି ସଂଖ୍ୟାବଢ଼ିପାରେ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପଂଚାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଂଗଠନର ବ୍ୟକ୍ତି ବିଶେଷଙ୍କୁ ସାଙ୍ଗରେ ନେବାକୁ ସ୍ଥିର ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ