ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ : ପ୍ରଭାବିତ ହେବନି ନୀତିକାନ୍ତି

ପୁରୀ : ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ।
ଆଜି ଏଠାରେ ଆୟୋଜିତ ଏକ ଆଲୋଚନା ବୈଠକରେ ଐତିହ୍ୟ କରିଡର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭୂମିପୂତ୍ର କମ୍ପାନୀ ଉପସ୍ଥିତ ସରକାରୀ ଅଧିକାରୀ ତଥା ସମସ୍ତ ଅଂଶୀଦାରଙ୍କୁ ଏହାର ଯୋଜନା ବିଷୟରେ ବିସ୍ତାରିତ ଭାବେ ବୁଝାଇଥିଲା । ଏହି ଆଲୋଚନାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବିଭିନ୍ନ ନିଯୋଗ ସମିତି, ବିସ୍ଥାପିତ ସାହି ପରିବାର ତଥା ସେବାୟତଙ୍କ ପ୍ରତିନିଧି ଯୋଗ ଦେଇଥିଲେ ।
ଐତିହ୍ୟ କରିଡର ନିର୍ମାଣ ହେଲେ ବହୁଦିନ ଧରି ଚାଲି ଆସୁଥିବା ଅନେକ ପରମ୍ପରା ଭଙ୍ଗ ହେବ ବୋଲି ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିଗଣ ଆଶଙ୍କା ପ୍ରକାଶ କରିଥିଲେ । ତେବେ ଏଭଳି କୌଣସି ପରମ୍ପରା ଭଙ୍ଗ ହେବନାହିଁ ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କୁମାର କହିଥିଲେ ।
ପ୍ରସ୍ତାବିତ ଐତିହ୍ୟ କରିଡର ର୍ନିମାଣ ହେଲେ ଶ୍ରୀମନ୍ଦିର ସାମ୍ନାରେ ଅନେକ କଳାକୃତି ଓ ବୃକ୍ଷଲତା ସ୍ଥାନ ପାଇବ । ଏପରି ହେଲେ ସାହି ପରମ୍ପରା ଅନୁସାରେ ଅରୁଣସ୍ତମ୍ଭ ଆଗରେ ମୃତ୍ୟୁପରେ ଶେଷ ଦର୍ଶନ କରିବା ତଥା ଦେବତା ଓ ଚଳନ୍ତି ପ୍ରତିମାମାନଙ୍କ ପହଣ୍ଡି ହେବାରେ ଅସୁବିଧା ହେବବୋଲି ଆଶଙ୍କା ପ୍ରକାଶ ପାଇଥିଲା । ସେହିଭଳି ରଥଖଳାରେ ରଥ ନିର୍ମାଣ, ନୀଳାଦ୍ରୀବିଜେ ଇତ୍ୟାଦି ନିମନ୍ତେ ଆବଶ୍ୟକ ପରିମାଣରେ ସ୍ଥାନ ରହିବ କି ନାହିଁ ସେ ବିଷୟରେ ମଧ୍ୟ ମନ୍ଦିର ନୀତିକାନ୍ତିରେ ସାମିଲ ଅନେକ ବ୍ୟକ୍ତି ଆଶଙ୍କା ପ୍ରକାଶ କରିଥିଲେ ।
ଏହି ଆଲୋଚନାରେ ଭାଗନେଇ ପୂର୍ତ୍ତ ସଚିବ କହିଥିଲେ ଯେ ସମ୍ପ୍ରତି ପୁରୀ ଐତିହ୍ୟ କରିଡର ଯୋଜନାର କେବଳ ଚିଠା ପ୍ରସ୍ତାବକୁ ସାର୍ବଜନୀନ କରାଯାଇଛି ଓ ଏହା ଚୂଡାନ୍ତ ଯୋଜନା ନୁହେଁ । ଏଣୁ ଅଂଶୀଦାରମାନେ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ସେ ସମସ୍ତକୁ ଆଖିଆଗରେ ରଖି କିପରି ଯୋଜନାକୁ ସଂଶୋଧିତ ବା ପରିବର୍ଦ୍ଧିତ କରାଯାଇ ପାରିବ ସେ ବିଷୟରେ ଏକ କ୍ଷୁଦ୍ର କମିଟି ନିଷ୍ପତ୍ତି ନେବ ।
ଏହି ଆଲୋଚନାରେ ମହାରାଜା ଦିବ୍ୟସିଂହ ଦେବ ବଡଦାଣ୍ଡରେ ଶ୍ରୀମନ୍ଦିର କରିଡର ଅଞ୍ଚଳରେ ଏକ ଯଜ୍ଞଶାଳା ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲେ । ସେହିପରି ଏହି କରିଡରରେ ସ୍ଥାନିତ ହେଉଥିବା ସମସ୍ତ କଳାକୃତୀରେ ଉତ୍କରଳୀୟ ସ୍ଥାପତ୍ୟ ପରମ୍ପରାର ଝଲକ ରହିବା ଆବଶ୍ୟକ ବୋଲି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ସ୍ଥପତି ରଘୁନାଥ ମହାପାତ୍ର ମତବ୍ୟକ୍ତ କରିଥିଲେ ।
ଏହିସବୁ ମତାମତକୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ କୁମାର କହିଥିଲେ । ପୁରୀ କରିଡରରେ ଦୈନିକ ପ୍ରାୟ ୫ହଜାର ଲୋକ ବସି ମହାପ୍ରସାଦ ଭୋଜନ କରିପାରିଲା ଭଳି ଏକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ଓ ଏହାକୁ ଚୂଡାନ୍ତ ଯୋଜନାରେ ସାମିଲ କରାଯିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡକ୍ଟର କୁମାର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ