ଶ୍ରୀଜଗନ୍ନାଥ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ ସିନ୍ଦୁରୀ ଶ୍ରୀଜଗନ୍ନାଥ ପବ୍ଲିକ୍ ସ୍କୁଲ୍ର ଦ୍ୱାଦଶ ବର୍ଷ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ଇଶାଣୀ ଲବଣ ସ୍ମୃତି ସ୍ମାରକୀ ଷ୍ଟାଡିୟମ୍ରେ ଆୟୋଜିତ ଉଦଯାପନୀ ସମାରୋହରେ କଳା ଓ ସାଂସ୍କୃତିକ ଅନୁଷ୍ଠାନ ‘ଚନ୍ଦ୍ରଭାଗା’ର ନିର୍ଦ୍ଦେଶକ କବି ଶ୍ରୀଦେବ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସରୋଜିନୀ ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୃଙ୍ଖଳିତ ହୋଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଭାସ୍କର ପାଣିଗ୍ରାହୀ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ସହ ଶିଶୁର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ରତିକାନ୍ତ ପାତ୍ର ଯୋଗଦେଇ ଶିଶୁଙ୍କ ପାଠପଢ଼ା ସହ ଖେଳକୁଦର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ସାରଗାଁ ଅଞ୍ଚଳର ଉଦୀୟମାନ ସଂଗଠକ ସୁଶାନ୍ତ ଶତପଥୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଷ୍ଟାଡିୟମରେ ପଞ୍ଚାୟତ ଅନୁଦାନରୁ ଖୁବ୍ ଶୀଘ୍ର ଶୌଚାଳୟ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇଥିଲେ । କ୍ରୀଡ଼ାର ଶେଷ ଭାଗରେ ମହିଳା ଅଭିଭାବକଙ୍କୁ ନେଇ ଆୟୋଜିତ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ବେଶ୍ ମଜାଦାର ଥିଲା । ପରିଶେଷରେ ଦୌଡ଼, ଗଣିତକଷା, ଜିଲାପି, ଅଖା ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ତଥା ବିଦ୍ୟାଳୟର ନିର୍ଦ୍ଦେଶକ ଗୋପାଳ ମହାପାତ୍ର କ୍ରୀଡ଼ା ଉତ୍ସବ ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦିକା ଜୟନ୍ତୀ ପାଣିଗ୍ରାହୀ, ଶିକ୍ଷକ ସନ୍ତୋଷ ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ପ୍ରିୟା ପାଲ୍, ଲତିକା ରାୟ, ମୋନାଲିସା ପଣ୍ଡା, ଜୟନ୍ତୀ ଦାସ, ଅର୍ପିତା ନାୟକ, କବିତା ବେହେରା, ନିବେଦିତା ସାମଲ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ ।


