ସଂକ୍ଷେପରେ ଓଡ଼ିଶା ରାଜ୍ୟ ବଜେଟ୍‌

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପିତ କରିଛନ୍ତି । ଗତ ଆର୍ଥିକ ବର୍ଷର ସଂଶୋଧିତ ଆକଳନ ତୁଳନାରେ ବଜେଟର ଆକାର ୧୫ ହଜାର କୋଟି ଟଙ୍କା ବଢିଛି । ମୋଟ ବ୍ୟୟବରାଦର ୬୫ ହଜାର ୬ ଶହ ୫୫ କୋଟି ଟଙ୍କା ପ୍ରଶାସନିକ ବ୍ୟୟ, ୭୪ ହଜାର କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ, ୩ ହଜାର ୨ ଶହ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଏବଂ ୭ ହଜାର ୧୪୫ କୋଟି ଟଙ୍କା ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ବାବଦରେ ଖର୍ଚ୍ଚ କରାଯିବ । ସେହିପରି ଓମବଡ଼ାକ, ଡିଏମଏଫ ଓ ସରକାରୀ ଉଦ୍ୟୋଗରୁ ମିଳିବାକୁ ଥିବା ୬ ହଜାର ୫୦୦ କୋଟି ଟଙ୍କାର ବଜେଟ ବହିର୍ଭୂତ ସମ୍ବଳ ମଧ୍ୟ ବ୍ୟୟ କରାଯିବାକୁ ଲକ୍ଷ୍ୟ ରହିଛି ।
ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୨୪ ହଜାର ୩୦୦ କୋଟି ଟଙ୍କା ମିଳିବ ବୋଲି ବଜେଟରେ ଆକଳିତ ହୋଇଥିବାବେଳେ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ୨୫ ହଜାର ୭୦୦ କୋଟି ଟଙ୍କା ମିଳିବ । ଆଗାମୀ ଆର୍ଥିକ ବର୍ଷରେ ସରକାର ୧୭ ହଜାର ୮୭୮ କୋଟି ଟଙ୍କା ଋଣ କରିବେ । ଫଳରେ ରାଜ୍ୟର ସାମଗ୍ରୀକ ଋଣ ପରିମାଣ ୧ ଲକ୍ଷ ୧୩ ହଜାର ୨୩୪ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ଅଟକଳ ୨୬ ହଜାର ୫୧୩ କୋଟି ଟଙ୍କା ରହିଛି ।
ଆଗାମୀ ଆର୍ଥିକ ବର୍ଷରେ ରାଜସ୍ୱ ପ୍ରାପ୍ତି ସକାଶେ ସରକାର କରିଥିବା ଆକଳନ ଅନୁଯାୟୀ, ନିଜସ୍ୱ ଟିକସରୁ ୩୮ ହଜାର ୩୫୦ କୋଟି ଟଙ୍କା ମିଳିବ । ଯେତେବେଳେକି ନିଜସ୍ୱ ଅଣଟିକସ ରାଜସ୍ୱ ୧୭ ହଜାର ୬୫୦ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ଭାବେ ୩୬ ହଜାର ୩ ଶହ କୋଟି ଟଙ୍କା ଏବଂ କେନ୍ଦ୍ରରୁ ୩୨ ହଜାର କୋଟିର ଅନୁଦାନ ମିଳିବ ବୋଲି ସରକାର ଆକଳନ କରିଛନ୍ତି ।
ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୭୪୫୮ କୋଟି ୪୨ ଲକ୍ଷ ଟଙ୍କା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସକାଶେ ୧୭୬୦୫ କୋଟି ଟଙ୍କା, ଜଳସମ୍ପଦ ବିଭାଗ ନିକନ୍ତେ ୯୩୭୪ କୋଟି ୪୬ ଲକ୍ଷ ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିମନ୍ତେ ୭୬୯୯ କୋଟି ୮୪ ଲକ୍ଷ ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିମନ୍ତେ ୬୮୧୭ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୫୫୪୯ କୋଟି ୪୨ ଲକ୍ଷ ଟଙ୍କା ଏବଂ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ନିମନ୍ତେ ୪୦୭୪ କୋଟି ୬୪ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି ।
ପୁରୀ ଶ୍ରୀ ଜଗନ୍ନାଥଙ୍କ ପୀଠ ସମେତ ପାରିପାର୍ଶ୍ୱିକ ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ଅବଢ଼ା ଯୋଜନାରେ ୩୨୦୮ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରହିଥିବାବେଳେ ୨୦୨୦-୨୧ ବଜେଟରେ ୬୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୁରୀ ଭଳି ଏକାମ୍ର କ୍ଷେତ୍ରର ବିକାଶ ପାଇଁ ବି ସରକାର ଧ୍ୟାନ ଦେଇଛନ୍ତି । ପ୍ରଭୂ ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ବିକାଶ ପାଇଁ ୭୦୦ କୋଟିର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ବଜେଟରେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ୧୫୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।
ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବି ଗୁରୁତ୍ୱାରୋପ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୫୭୮ କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଭିତିଭୂମିର ବିକାଶ ନିମନ୍ତେ ୧୬୫୨ କୋଟିର ବ୍ୟୟ ଅଟକଳ କରାଯାଇଛି । ଏସସିବି ମେଡ଼ିକାଲ କଲେଜକୁ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ ମେଡ଼ିକାଲରେ ପରିଣତ କରିବା ନିମନ୍ତେ ଆଗାମୀ ୨ ବର୍ଷରେ ୧ ହଜାର କୋଟିରୁ ଉଦ୍ଧ୍ୱର୍ ନିବେଶ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ନିର୍ମଳ ଯୋଜନା ନିମନ୍ତେ ମଧ୍ୟ ୩୬୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ଆଗାମୀ ଦିନରେ ପୁରୀ, ଯାଜପୁର, କେନ୍ଦୁଝର, ଭବାନୀପାଟଣା, କନ୍ଧମାଳ, ଏନଟିପିସି ସହାୟତାରେ ସୁନ୍ଦରଗଡ଼ ଏବଂ ଏମସିଏଲ ସହାୟତାରେ ତାଳଚେର ଠାରେ ମେଡ଼ିକାଲ କଲେଜ ନିର୍ମାଣ ନିମନ୍ତେ ୫୬୨ କୋଟିର ବ୍ୟୟବରାଦ କରାଯାଇଛି । ଜିଲ୍ଲାମାନଙ୍କୁ ହୃଦରୋଗ ସେବାର ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା କାର୍ଡିଆକ କେୟାର ପ୍ରୋଗ୍ରାମ ନାମରେ ଏକ ନୂତନ ଯୋଜନା କରାଯିବ ।
ସ୍ୱାସ୍ଥ୍ୟ ଭଳି ଶିକ୍ଷା ଉପରେ ବି ସରକାର ଗୁରୁତ୍ୱାରୋପ କରିଛନ୍ତି । ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ବଜେଟରେ ୨୨ ହଜାର ୬୩୧ କୋଟିର ବ୍ୟୟବରାଦ କରାଯାଇଛି । ଆଦର୍ଶ ବିଦ୍ୟାଳୟ ନିମନ୍ତେ ୪ ଶହ କୋଟି, ମଧ୍ୟାହ୍ନଭୋଜନ ନିମନ୍ତେ ୮ ଶହ କୋଟି, ସମଗ୍ର ଶିକ୍ଷା ଅଭିଯାନ ନିମନ୍ତେ ୩୧୫୭ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୨୩୧ କୋଟି, ଏସସିଏସଟି ଛାତ୍ରୀ ନିବାସ ଏବଂ ସହରାଂଚଳରେ ଛାତ୍ରବାସ ପାଇଁ ମଧ୍ୟ ୨୭୭ କୋଟିର ବ୍ୟୟ ଅଟକଳ କରାଯାଇଛି । ଛାତ୍ରବୃତି ନିମନ୍ତେ ୧୪୦୭ କୋଟିର ବ୍ୟବସ୍ଥା ଥିବାବେଳେ ଓଏଚଇପିଇଇ ଯୋଜନା ପାଇଁ ୧୩୦ କୋଟି, ଋଷା ଯୋଜନା ନିମନ୍ତେ ୨୨୦ କୋଟିର ବ୍ୟୟବରାଦ କରାଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ର ନିମନ୍ତେ ବଜେଟରେ ୨୨୦ କୋଟିର ପ୍ରାବଧାନ ଥିବାବେଳେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତିଭୂମି ବିକାଶ ଲାଗି ୧୯୯ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।
ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଗ୍ରାମାଞ୍ଚଳର ୬୦% ଓ ନଗରାଚଂଳର ସବୁ ଲୋକଙ୍କୁ ପାଇପ ଦ୍ୱାରା ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଗ୍ରାମାଞ୍ଚଳରେ ବସୁଧା ଯୋଜନା ନିମନ୍ତେ ୩୨୫୦ କୋଟି ଓ ନଗରାଞ୍ଚଳରେ ଜଳଯୋଗାଣ ନିମନ୍ତେ ୨୩୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ଜଳଜୀବନ ମିଶନ ପାଇଁ ୨ ହଜାର କୋଟି ଟଙ୍କାର ପ୍ରାବଧାନ ଥିବାବେଳେ ଓମାଡ଼କ ଓ ଡିଏମଫରୁ ଜଳଯୋଗାଣ ପାଇଁ ଯଥାକ୍ରମେ ୯୯୧ କୋଟି ଟଙ୍କା ଓ ୧୫୩୮ କୋଟି ଟଙ୍କାର ଅଟକଳ କରାଯାଇଛି । ଡ୍ରିଙ୍କ ଫର ଟ୍ୟାପ ମିଶନ ପାଇଁ ୧୦୦ କୋଟି ଓ ସ୍ୱଚ୍ଛଭାରତ ମିଶନ ନିମନ୍ତେ ୮ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ୩୯୬୨ କୋଟି ଟଙ୍କା ବ୍ୟବସ୍ଥା କରାଯିବ । ନଗରାଞ୍ଚଳରେ ଗୃହ ନିର୍ମାଣ ନିମନ୍ତେ ମଧ୍ୟ ୫୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ଅପରପକ୍ଷରେ ମମତା ଯୋଜନା ପାଇଁ ୩୦୫ କୋଟି, ମିଶନ ଶକ୍ତି ଯୋଜନାରେ ସୁଧ ରିହାତି ପାଇଁ ୧୫୦ କୋଟି, ମିଶନ ଶକ୍ତି ପାଇଁ ୩୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ମନରେଗା ଯୋଜନା ନିମନ୍ତେ ବଜେଟରେ ୧୫୦୧ କୋଟିର ବ୍ୟୟବରାଦ କରାଯାଇଥିବାବେଳେ ମଜୁରୀ ପାଇଁ ୫୦୦ କୋଟିର କର୍ପସ ପାଣ୍ଠି ସୃଷ୍ଟି କରାଯାଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାକୁ ୨୨୫୮ କୋଟି ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ୨୬୪୫ କୋଟି ଟଙ୍କା ପ୍ରଦାନ କରାଯିବ । ଏସସି ଏସଟି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ବଜେଟରେ ୨୩ ହଜାର ୮୦୮ କୋଟିର ବ୍ୟୟବରାଦ କରାଯାଇଛି । ଅପରପକ୍ଷରେ ମଧୁବାବୁ ପେନସନ ଯୋଜନା ନିମନ୍ତେ ୧୭୧୮ କୋଟି ଟଙ୍କା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ନିମନ୍ତେ ୯୨୮ କୋଟି ଓ ବୃଦ୍ଧାଶ୍ରମ ନିମନ୍ତେ ୧୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଖାଦ୍ୟ ନିରାପତା ନିମନ୍ତେ ୧ ହଜାର ୩୮ କୋଟିର ବ୍ୟୟ ଅଟକଳ କରାଯାଇଥିବାବେଳେ ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମରେ ୬୩୧ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି । ଅପରପକ୍ଷରେ ଉନ୍ନତି ଯୋଜନା ପାଇଁ ୩୫୧ କୋଟି, ସ୍ମାର୍ଟ ସିଟି ମିଶନ ପାଇଁ ୨ ଶହ କୋଟି, ଜାଇକା ପାଇଁ ୩୦୧ କୋଟିର ପ୍ରାବଧାନ କରାଯିବା ସହ ପଞ୍ଚଦଶ ଅର୍ଥ କମିଶନ ଓ ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ସହରାଞ୍ଚଳ ନିକାୟ ସଂସ୍ଥାକୁ ଯଥାକ୍ରମେ ୧୦୮୭ କୋଟି ଓ ୧୨୬୧ କୋଟି ଟଙ୍କା ପ୍ରଦାନ କରାଯିବ ।
ସମସ୍ତଙ୍କ ପାଇଁ ବିଦ୍ୟୁତ ସେବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ନିମନ୍ତେ ୮୮୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପିଏମଜିଏସୱାଇ ସକାଶେ ୨୫ ଶହ କୋଟି ଓ ମୁଖ୍ୟମନ୍ତ୍ରୀ ସଡ଼କ ନିମନ୍ତେ ୨୫୭ କୋଟ ଟଙ୍କାର ବ୍ୟୟବରାଦ ହୋଇଛି । ବିଜୁ ସେତୁ ଯୋଜନା ନିମନ୍ତେ ମଧ୍ୟ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
୨୦୨୦ରେ ରାଜ୍ୟରେ ମେକ ଇନ ଓଡ଼ିଶା କନକ୍ଲେଭର ଆୟୋଜନ କରାଯିବ । ଏଥିପାଇଁ ଇପିକଲକୁ ୭୦ କୋଟି ଟଙ୍କା ପ୍ରଦାନ କରାଯିବ । ଅପରପକ୍ଷରେ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗର ବଜେଟ ପୂର୍ବାପେକ୍ଷା ଦ୍ୱିଗୁଣିତ କରାଯାଇଛି । କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ୧୪୦ କୋଟି ଓ କ୍ରୀଡ଼ା ଶିକ୍ଷା ସକାଶେ ୯୧ କୋଟିର ଅଟକଳ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ସକାଶେ ବଜେଟରେ ୧୭୧୧ କୋଟିର ପ୍ରାବଧାନ ହୋଇଥିବାବେଳେ ବିଧାୟକ ହାତ ପାଣ୍ଠି ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ