ସଂଗଠନ ବିରୋଧୀ କାର୍ଯ୍ୟ ଯୋଗୁ ମହାସଚିବ ଅମୀୟ ଦାଶଙ୍କୁ ପଦବୀରୁ ଅବ୍ୟାହତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ, ୫, ଖାରବେଳ ନଗର, ୟୁନିଟ୍-୩, ଭୁବନେଶ୍ୱରର ମହାସଚିବ ଶ୍ରୀଯୁକ୍ତ ଅମୀୟ କୁମାର ଦାଶଙ୍କ ଦୁର୍ନୀତି ଅଭିଯୋଗ ସାଧାରଣ ଗଣମାଧ୍ୟମରୁ ଜାଣିବା ପରେ ରାଜ୍ୟ ସଭାପତି ଶ୍ରୀ ହୃଦାନନ୍ଦ ଦ୍ୱିବେଦୀ ତାଙ୍କର ସଂଘୀୟ ମହାସଚିବ ପଦରୁ ପଦରହିତ କରିଛନ୍ତି । ପ୍ରକାଶଥାଉକି, ଆଜି ଶ୍ରୀ ଅମୀୟ କୁମାର ଦାଶ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଗିରଫ ହେବା ଶୁଣି ସଭାପତି ଶ୍ରୀ ହୃଦାନନ୍ଦ ଦ୍ୱିବେଦୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଲାସ୍ତରରେ ଓ ବ୍ଲକସ୍ତରରେ କୌଣସି ସଂଘୀୟ କାର୍ଯ୍ୟକର୍ତ୍ତମାନେ ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଶ୍ରୀ ଦାଶଙ୍କର ଏଭଳି କାର୍ଯ୍ୟ ପାଇଁ ସଂଗଠନ ତରଫରୁ ଦୃଢ ନିନ୍ଦା କରିଛନ୍ତି । ତତ୍ସହିତ ଶ୍ରୀ ଦ୍ୱିବେଦୀ ସଂଗଠନର ସଂଯୋଜିକା ଚାରୁଲତା ମହାପାତ୍ରଙ୍କୁ ଅସ୍ଥାୟୀ ଭାବେ ଆଗାମୀ କାର୍ଯ୍ୟକାରୀ ବୈଠକ ହେବା ପର୍ଯ୍ୟନ୍ତ ମହାସଚିବ ଦାୟିତ୍ୱ ତୁଲାଇବା ପାଇଁ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀମତୀ ମହାପାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଶିକ୍ଷକ ଜାତିର ସମସ୍ୟା ପାଇଁ ଯୋଗାଯୋଗ କରିବେ ବୋଲି ଶ୍ରୀ ଦ୍ୱିବେଦୀ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ, ଓଡ଼ିଶା, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ, ଯାଜପୁର ଓ ୩୦ଟି ଜିଲ୍ଲାର ସଭାପତି ଓ ସମ୍ପାଦକମାନଙ୍କୁ ପତ୍ର ଦ୍ୱାରା ଅବଗତ କରାଇଛନ୍ତି ।


