ସଂଗରୋଧ ଅର୍ଥରେ ଜିତେନ୍ଦ୍ରଙ୍କ ଭାଗ୍ୟ ବଦଳାଇ ଦେଲା 

ରାଇକିଆ : (ପ୍ରଦୀପ କୁମାର ବେହେରା) : ୩ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଲକଡାଉନରେ ଘରକୁ ଫେରିଥିବା ଜଣେ ପ୍ରବାସୀ ଏବେ ସ୍ବାବଲମ୍ବନଶୀଳ ହୋଇଛନ୍ତି। ସଂଗରୋଧ କେନ୍ଦ୍ରରେ ରହିବା ବାବଦରେ ପାଇଥିବା ୨ହଜାର ଟଙ୍କା ପୁଞ୍ଜିକୁ ସଠିକ ମାର୍ଗରେ ବିନିଯୋଗ କରି ପରିବାର ପ୍ରତିପୋଷଣ କରିବାକୁ ସେ ସକ୍ଷମ ହୋଇଛନ୍ତି । ଟିଏମ୍‍ସିରେ ରହି ଘରକୁ ଯିବା ବେଳେ ସରକାରଙ୍କ ଘୋଷଣାମତେ ପାଇଥିବା ୨୦୦୦ ଟଙ୍କାରେ ନିଜ ଭାଗ୍ୟ ବଦଳାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବ୍ଳକର ଦୁର୍ଗମ ଇନ୍ଦ୍ରଗଡ଼ର ୩୫ ବର୍ଷୀୟ ଜିତେନ୍ଦ୍ର ଗୌଡ଼। ଆନ୍ଧ୍ରପ୍ରଦେଶରେ ଏକ ଲୁହା କମ୍ପାନିରେ ସେ କାମ କରୁଥିଲେ। ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ। ଏବେ ସେ କିନ୍ତୁ ଦିନକୁ ୫ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପରିବାରର ୭ପ୍ରାଣୀ କୁଟୁମ୍ବଙ୍କୁ ବଞ୍ଚାଉଛନ୍ତି।ଲକ୍‍ଡ଼ାଉନରେ ଜିତେନ୍ଦ୍ର କାମ କରୁଥିବା କମ୍ପାନୀଟି ବନ୍ଦ ହୋଇଯାଇଥିଲ। ଲକ୍‍ଡ଼ାଉନ୍‍ ଖୋଲିବ ପୁଣିଥରେ ସେ କାମରେ ଯୋଗଦେବା ଚିନ୍ତାରେ ଦୀର୍ଘ ଦେଢ଼ମାସ ପର୍ଯ୍ୟନ୍ତ ସେଠାରେ ରହିଥିଲେ। ଯାହା କିଛି ସଂଚୟ କରି ରଖିଥିଲେ ସେଥିରେ ସେ ଚଳିବା ସହିତ ପରିବାରକୁ ଚଳାଉଥିଲେ। ଦେଢ଼ମାସ ପରେ ମଧ୍ୟ ସ୍ଥିତିରେ କିଛି ପରିବର୍ତ୍ତନ ନବେହରୁ ସେ ବାଧ୍ୟହୋଇ ଭିଟାମାଟିକୁ ଫେରିବା ପାଇଁ ମନସ୍ଥ କରିଥିଲେ। ହେଲେ ହାତରେ ଟଙ୍କାଟିଏ ସେତେବେଳକୁ ନଥିଲା। ବାଧ୍ୟ ହୋଇ ସେ ଚାଲି ଚାଲି ଆରମ୍ଭ କରିଥିଲେ ଭିଟାମାଟି ଯାତ୍ରା। ଆନ୍ଧ୍ରପ୍ରଦେଶରୁ ଚାଲି ଚାଲି ୭ ଦିନ ପରେ ପହଞ୍ଚିଥିଲେ ବିଶାଖାପାଟଣାରେ। ବିଶାଖାପାଟଣାର ପହଞ୍ଚିବା ପରେ ଏକ ଟ୍ରକ୍‍ ଚାଳକ ସହାୟତାରେ ସେ ଗତ ମେ ୧୨ ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ସେଠାରୁ ସେ କନ୍ଧମାଳ ଜିଲା ପ୍ରଶାସନ ସହାୟତାରେ ଅନ୍ୟ ୨୮ଜଣଙ୍କ ସହିତ ପହଞ୍ଚିଥିଲେ ଦାରିଙ୍ଗବାଡ଼ିରେ। ପ୍ରଶାସନର ନିଷ୍ପତ୍ତି ପ୍ରକାରେ ଜିତେନ୍ଦ୍ରଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା। ବ୍ଳକ ପ୍ରଶାସନ ସହିତ ଜାଗୃତି ଅନୁଷ୍ଠାନ ଦ୍ୱାରା ପରିଚାଳିତ ଡ଼.ବି.ଆର.ଆମ୍ବେଦକର ଟି.ଏମ୍‍.ସି ରେ ରହୁଥିବା ବେଳେ ଜିତେନ୍ଦ୍ର ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲା। ଟିଏମ୍‍ସିରେ ଥିବା ବେଳେ ଗାଁରେ ଜନ୍ମ ହୋଇଥିଲା ଏକ ପୁତ୍ର ସନ୍ତାନ। ଖବର ପାଇଥିଲେ ମଧ୍ୟ ହାତରେ ଟଙ୍କାଟିଏ ମଧ୍ୟ ନଥିବା ଯୋଗୁ ସେ ଆଉ ଘରକୁ ଯିବାକୁ ମନ କରିନଥିଲେ। ଟିଏମ୍‍ସିରେ ଥିବା ଅନ୍ୟ ପ୍ରବାସୀଙ୍କ ପରାମର୍ଶ ପ୍ରକାରେ ଗତ ମେ ମାସ ୨୫ ତାରିଖରେ ସେ ପ୍ରଶାସନ ସହଯୋଗରେ ଫେରିଥିଲେ ନିଜ ଗ୍ରାମ ଇନ୍ଦ୍ରଗଡ଼କୁ। ରୋଜଗାର ବନ୍ଦ ହୋଇଯାଇଥିବା ଯୋଗୁ ଗ୍ରାମରେ ପହଞ୍ଚିବା ପରେ ଚିନ୍ତା କରିଥିଲେ କିଛି ରୋଜଗାର କରିବାକୁ। କିନ୍ତୁ ଉକ୍ତ ଅପହଞ୍ଚ ଅଞ୍ଚଳରେ ରୋଜଗାରର କିଛି ବାଟନଥିଲା। ଘରେ ରହିବାର କିଛିଦିନ ପରେ ସଂପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ତାଙ୍କୁ ଦେଇଥିଲେ ସରକାରଙ୍କ ପ୍ରଦତ୍ତ ୨୦୦୦ ଟଙ୍କା। ସେଥିରେ ବଦଳିଥିଲା ଜିତେନ୍ଦ୍ରଙ୍କ ଭାଗ୍ୟ। ଉକ୍ତ ଟଙ୍କା ଧରି ସେ ସାଇକଲରେ ଯାଇ ପହଞ୍ଚିଥିଲେ ଶ୍ବଶୂର ଘର ଭଞ୍ଜନଗରେ । ଏହି ଅର୍ଥରେ ସେ ପାଉଁରୁଟି ଓ ବିସ୍କୁଟ୍‍ କିଣି ଆରମ୍ଭ କରିଥିଲେ ବ୍ୟବସାୟ। କନ୍ଧମାଳ ସୀମାନ୍ତ ଅଞ୍ଚଳ ସହିତ ଭଂଜନଗରର ବିଭିନ୍ନ ଅଞ୍ଚଳକୁ ସାଇକଲରେ ଯାଇ ବେପାର କରୁଛନ୍ତି। ବର୍ତ୍ତମାନ ସେ ଦିନକୁ ୫୦୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଥିବା କହିଛନ୍ତି। ଭଂଜନଗର ଅଞ୍ଚଳର ଏକ ପାଉଁରୁଟି କାରଖାନାର ମାଲିକ ମଧ୍ୟ ଏଥିରେ ସହଯୋଗ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଜିତେନ୍ଦ୍ର ଆଉ ଦାଦନ ଖଟିବାକୁ ନଯିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକ ରୋଜଗାର ଓ ବ୍ୟବସାୟ ବୁଝିବା ପାଇଁ ଭଂଜନଗରର ମାଲିକ ଜଣକ କିଛିଦିନ ହେଲା ଜିତେନ୍ଦ୍ରଙ୍କ ଖୋରଧାଠାରେ ଥିବା ରୁଟି କାରଖାନାରେ ନିଯୁକ୍ତି ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ