ସଂସ୍କୃତ ଭାଷାର ପ୍ରଚାର, ପ୍ରସାର ହେଲେ ଯୁବକ, ଛାତ୍ରମାନଙ୍କ ମଧ୍ୟରେ ନୈତିକତା ଓ ଚରିତ୍ରବତ୍ତା ଶୃଙ୍ଖଳିତ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ ପକ୍ଷରୁ ତ୍ରିଦିବସୀୟ ସଂସ୍କୃତ ଯୁବ ସମାରୋହ ଆଜି ପୂର୍ବାହ୍ନରେ ଶ୍ରୀ ଅରବିନ୍ଦନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି । ଭାରତବର୍ଷର ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ଅମୃତଭାଷା ସଂସ୍କୃତ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଯୁବକ ଛାତ୍ରମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ଓ ସାହିତ୍ୟର ଯେତେ ପ୍ରଚାର, ପ୍ରସାର ହେବ, ସମାଜରେ ନୈତିକତାର ଉତ୍‌ଥାନ ହେବା ସହ ଚରିତ୍ରବତ୍ତାରେ ଶୃଙ୍ଖଳା ଆସିବ । ମୁଖ୍ୟବକ୍ତା ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସତ୍ୟନାରାୟଣ ଆଚାର୍ଯ୍ୟ କହିଲେ ଯେ, ଆମ ସଂସ୍କୃତି ହଜାର ହଜାର ବର୍ଷର ସଂସ୍କୃତି । ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି କେବଳ ସଂସ୍କୃତ ଭାଷା ଦ୍ୱାରା ସମୃଦ୍ଧ ହୋଇପାରିବ । ଅନ୍ୟତମ ବକ୍ତା ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଡଃ ଶ୍ୱେତପଦ୍ମା ଶତପଥି କହିଲେ ଯେ, ସଂସ୍କୃତ ଭାଷା ହିଁ ଭାରତବର୍ଷର ଏକତା, ଅଖଣ୍ଡତା ରକ୍ଷା କରିପାରିବ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡଃ ସୂର୍ଯ୍ୟପ୍ରକାଶ ବେଦପାଠ କରିବା ପରେ ଅମୃତବାଣୀ ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡଃ କୁମାର ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେବା ପରେ ଅମୃତବାଣୀର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟତମ ଅତିଥି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସଂସ୍କୃତ ଭାଷାକୁ ବୋଧଗମ୍ୟ ସ୍ତରକୁ ଆଣିବାକୁ ଅନୁରୋଧ କରିବା ପରେ ଡଃ ନାରାୟଣ ସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଉତ୍କଳ ଓ କିସ୍ ବିଶ୍ୱବିଦ୍ୟାଳୟର ସଂସ୍କୃତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ