ସଙ୍ଗରୋଧରୁ ବିଦା ହେଲେ ୪୫ଜଣ, ମିଳିଲାନି ସରକାରୀ ସହାୟତା

ହାଟଡିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ସୁରଟରୁ ଆସି ରହିଥିବା ୪୫ଜଣ ପ୍ରବାସୀ ଓଡିଆ ସଙ୍ଗରୋଧ କେନ୍ଦ୍ରରୁ ବିଦା ହୋଇଛନ୍ତି । ସେମାନଙ୍କ ସଙ୍ଗରୋଧ ଅବଧି ସରିଯିବା ପରେ ସେମାନେ ନିଜ ନିଜ ଘରକୁ ଫେରିଯାଇଛନ୍ତି । କିନ୍ତୁ ସେମାନଙ୍କ ପାଇଁ ଘୋଷଣା କରିଥିବା ୨୦୦୦ଟଙ୍କାର ସହାୟତା ରାଶି ସେମାନଙ୍କୁ ଦିଆଯାଇ ପାରିନାହିଁଁ । ପ୍ରଥମ ପର୍ଯ୍ୟାୟରେ ରହିଥିବା କଳିଗାଁ ସଙ୍ଗରୋଧ କେନ୍ଦ୍ରରେ ୨୯ଜଣ, ଇଞ୍ଚୋଳରେ ୯ଜଣ, ବଡରମ୍ପାସରେ ୪ଜଣ, ଷଡଙ୍ଗରେ ୨ଜଣ ଓ ଶାଳଣିଆଁରେ ଥିବା ଜଣେ ପ୍ରବାସୀଙ୍କୁ ଗତକାଲି ଘରକୁ ପଠାଇ ଦିଆଯାଇଛି । ସେମାନେ ଗତ ଏପ୍ରିଲ ୨୫ତାରିଖରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ । କଳିଗାଁରେ ସରପଞ୍ଚ ଅମରେନ୍ଦ୍ର ଧଳ, ପିଇଓ ନାରାୟଣ ଜେନା, ଜିଆରଏସ ବଳରାମ ମଲ୍ଲିକ, ପଞ୍ଚାୟତ କମିଟିର ସଦସ୍ୟ ସିଆରସିସି ପ୍ରଭାକର ବେହେରା, ଶିକ୍ଷକ ପ୍ରମୋଦ ବେହେରା, ରଞ୍ଜନ କୁମାର ପ୍ରଧାନ, ଏଏନଏମ ସୁକାନ୍ତି ବେହେରା, ଅଙ୍ଗନବାଡି କର୍ମୀ ବାସନ୍ତୀଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ବିଦାୟ ଦେବାସହିତ ସୁସ୍ଥ ଜୀବନ କାମନା କରିଥିଲେ । ସେହିପରି ଇଞ୍ଚୋଳରେ ସରପଞ୍ଚ ପାର୍ବତୀ ନାଇକ, ନାଏବ ସରପଞ୍ଚ ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ବିଦାୟ ଜଣାଇଥିଲେ । ସରକାରଙ୍କ କୌଣସି ନିର୍ଦ୍ଦେଶାନାମା କି ଆର୍ଥିକ ସହାୟତା ରାଶି ଆସିନଥିବାରୁ ସେମାନଙ୍କୁ ସହାୟତା ରାଶି ଦିଆଯାଇ ପାରି ନାହିଁଁ ବୋଲି ଇଞ୍ଚୋଳ ସରପଞ୍ଚ ପାର୍ବତୀ ନାଇକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ