ସମୁଦ୍ର ଭିତରେ ଓଲଟିଲା ଡଙ୍ଗା : ଜୀବନ ସହ ସଂଘର୍ଷ କରି କୁଳକୁ ଫେରିଲେ ମତ୍ସ୍ୟଜିବୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ହୋଇ ରହିଥିବା ବେଳେ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମତ୍ସ୍ୟ ବିଭାଗ ପକ୍ଷରୁ ଏନେଇ ସଚେତନ କରାଯାଇଛି କି ନାହିଁ ତାହା ସଠିକ୍ ଭାବେ ସୂଚନା ମିଳିନଥିଲେ ମଧ୍ୟ ସୋମବାର ସକାଳୁ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜିବୀ ମାନେ କିଛି ଡଙ୍ଗା ମାଧ୍ୟମରେ ସମୁଦ୍ରକୁ ମାଛ ମାରିବା ନିମନ୍ତେ ଯାଇ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସମୁଦ୍ର ଭିତରକୁ ମାଛ ମାରିବା ନିମନ୍ତେ ଯାଇଥିବା ମତ୍ସ୍ୟଜିବୀ ମାନେ ଅପରାହ୍ନ ୨ ଟା ବେଳେ ହଠାତ୍ ସମୁଦ୍ର ଅଶାନ୍ତ ହେବା ଫଳରେ ସେମାନେ ସାଙ୍ଗରେ ନେଇ ଯାଇଥିବା ଡଙ୍ଗାଟି ହଠାତ୍ ଓଲଟି ପଡିଥିଲା । ଯାହା ଫଳରେ ସମୁଦ୍ର ଭିରତରକୁ ପ୍ରବେଶ କରିଥିବା ମତ୍ସ୍ୟଜିବୀ ମାନେ ଭୟଭୀତ ହୋଇ ପଡିଥିଲେ । ଏହି ମତ୍ସ୍ୟଜିବୀ ମାନେ ନିଜ ଜୀବନ ବଂଚାଇବା ନିମନ୍ତେ ବିଭିନ୍ନ ସଂଘର୍ଷ କରିବା ସହ ୨୦୦ ମିଟର ଦୂରରେ ଥିବା ଜେଟି ନିକଟକୁ କିପରି ସୁରକ୍ଷିତ ଭାବେ ଆସିବେ ସେ ନେଇ ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲେ । ଏହାର ଖବର ପାଇ ଅଂଚଳର କିଛି ମତ୍ସ୍ୟଜିବୀ ମାନେ ମୁହାଣ ନିକଟକୁ ଆସି ରଶି ସାହାର୍ଯ୍ୟରେ ଡଙ୍ଗା ଗୁଡିକୁ ସଳଖିବା ନିମନ୍ତେ ଦୀର୍ଘ ଘଣ୍ଟା ଧରି ସଂଘର୍ଷ କରିଥିଲେ । ଶେଷରେ ୪ ଟି ଡଙ୍ଗା ଓ ମତ୍ସ୍ୟଜିବୀ ମାନେ ସୁରକ୍ଷିତ ଭାବେ ଜେଟି ନିକଟକୁ ଆସିଥିଲେ । ହେଲେ, ସମୁଦ୍ର ମଧ୍ୟକୁ ନେଇଥିବା ୪ ଟି ଡଙ୍ଗା ମଧ୍ୟରୁ ଗୋଟାଏ ଡଙ୍ଗାର ବିଶେଷ କ୍ଷତି ହୋଇଥିବା ବେଳେ ଆଉ ୩ଟି ଡଙ୍ଗା ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି । କ୍ଷତି ହୋଇଥିବା ୪ ଟି ଡଙ୍ଗା ମଧ୍ୟରୁ ଆର୍ଯ୍ୟପଲ୍ଲୀ ଅଂଚଳର ୩ ଟି ଡଙ୍ଗା ରହିଥିବା ବେଳେ ଗୋଟାଏ ଡଙ୍ଗା ନୂଆ ଗୋଳାବନ୍ଧ ଅଂଚଳର ରହିଛି । ସେହିପରି ଦୁଇ ରୁ ତିନି ଜଣ ମତ୍ସ୍ୟଜିବୀ ସାମାନ୍ୟ ଆହାତ ହୋଇ କ୍ୱାକ ମାନଙ୍କ ନିକଟରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ତେବେ ମତ୍ସ୍ୟଜିବୀ ମାନେ ଲକ୍ଷାଧିକ ଟଙ୍କାର ମାଛ ମାରି ସାଥିରେ ନେଇ ଆସୁଥିବା ବେଳେ ସେଗୁଡିକ ନଷ୍ଟ ହୋଇଯାଇଥିବା ସେମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ପକ୍ଷରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରକୁ ମାଛ ମାରିବା ନିମନ୍ତେ ନ ଯିବା ପାଇଁ ସଚତେନତା କରାଯାଇଥିଲେ ମଧ୍ୟ ଆଜି କୌଣସି କାରଣ ନେଇ କିଛି ଡଙ୍ଗାରେ ମତ୍ସ୍ୟଜିବୀ ମାନେ ମାଛ ମାରିବା ନିମନ୍ତେ ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ର ଅଶାନ୍ତ ହେବା ଫଳରେ ୩ ଟି ଡଙ୍ଗା ଓଲଟିଯାଇଥିଲା । ଭାଗ୍ୟ ବସତଃ ମତ୍ସ୍ୟଜିବୀ ମାନେ ନିଜ ନିଜ ଡଙ୍ଗା ସହ ସୁରକ୍ଷିତ ଭାବେ ଫେରିଆସିଛନ୍ତି ବୋଲି ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ବିଶ୍ୱ ଭୂଷଣ ଜେନା କହିଛନ୍ତି ।


