ସମ୍ଭାବ୍ୟ ବାତ୍ୟା ମୋକା ପାଇଁ ଉପକୂଳବାସୀ ଆତଙ୍କିତ
ନିମାପଡ଼ା, (ସନ୍ତୋଷ ଦାଶ):ସମ୍ଭାବ୍ୟ ବାତ୍ୟା ମୋକା ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇ ଥିବାବେଳେ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅସ୍ତରଙ୍ଗ,କାକଟପୁର, ଗୋପ, ନିମାପଡା ବ୍ଲକ ଅଞ୍ଚଳ ର ଅଧିବାସୀ ମାନେ ଆତଙ୍କିତ ହୋଇପଡ଼ିଛନ୍ତି ।ଜିଲ୍ଲା ଜରୁରୀ କାଳୀନ ବିଭାଗ ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ।ଜିଲ୍ଲାର ସବୁ ତହସିଲଦାର ,ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ପୌର ଅଧିକାରୀଙ୍କୁ ସଜାଗ କରାଯାଇଛି ।ସ୍ଵତନ୍ତ୍ର ରିଲିଫ କମିଶନ ର ଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କରାଯାଇଛି ।ଜିଲ୍ଲାପାଳ ସମର୍ଥ ବର୍ମା ସବୁ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ କୁ ପ୍ରସ୍ତୁତ କରି ରଖାଯାଇଛି ।ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୂପ ନେବା ସମ୍ଭାବନା ରହିଛି ।ତେବେ କେଉଁଠାରେ ଏହା ସ୍ଥଳଭାଗ ସ୍ପର୍ଶ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପାଣିପାଗ ବିଭାଗର ପୂର୍ବାନୁମାନ କୁ ଭିତ୍ତିକରି ପ୍ରଶାସନ ସଜାଗ ରହିଛି ।ଓଡ଼ିଶା ଉପରେ ଏହାର କେତେ ପ୍ରଭାବ ପଡ଼ିବ ତାହା ବୁଧବାର ସୁଦ୍ଧା ସ୍ପଷ୍ଟ ହେବ।୨୦୧୯ ମସିହା ମେ ମାସ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫଣି ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା ।ପୁରୀରେ ଏହା ସ୍ଥଳଭାଗ ଛୁଇଁବା ସହ ବଡ଼ ଧରଣର କ୍ଷୟକ୍ଷତି ଘଟିଥିଲା ।ତେଣୁ ଆଉ ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ପ୍ରଶାସନ ସଜାଗ ରହିଛି ।ସମୁଦ୍ର କୂଳରେ ବାସ କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି ।ଜିଲ୍ଲାରେ ୮୮ ଟି ସୁନାମି ପ୍ରବଣ ଗ୍ରାମ ରହିଛି ।ବାତ୍ୟା ହେଲେ ସେ ସବୁ ଅଞ୍ଚଳରେ ବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ପୁରୀ ପୌରାଞ୍ଚଳ ,କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ନିମାପଡ଼ା,କୃଷ୍ଣପ୍ରସାଦ ,ବ୍ରହ୍ମଗିରି ,ପୁରୀ ସଦର କାକଟପୁର, ଗୋପ ଏବଂ ଅସ୍ତରଙ୍ଗ ବ୍ଲକ ସମୁଦ୍ର କୂଳରେ ରହିଛି । ଜିଲ୍ଲା ରେ ୧୪୨ ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୯ ଟି ରେଡକ୍ରସ ଆଶ୍ରୟସ୍ଥଳୀ ରହିଛି ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୨ ଶହ ଆପଦ ମିତ୍ର ଙ୍କୁ ତାଲିମ ପ୍ରଦାନ କରାଯାଇଛି ।ଲଘୁଚାପ ଯଦି ବାତ୍ୟାର ରୂପ ନିଏ ତାହାହେଲେ ୩୫୫ ବିଦ୍ୟାଳୟକୁ ସାମୟିକ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ସମ୍ଭାବ୍ୟ ବାତ୍ୟାରେ ଯେପରି କେହି ମୃତାହତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ର ପରବର୍ତ୍ତୀ ସତର୍କ ସୂଚନା କୁ ଅପେକ୍ଷା କରାଯାଇଛି ।ଜିଲ୍ଲାରେ ଯଦି ବାତ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ସମୁଦ୍ର କୂଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।ତେଣୁ ସ୍ବାସ୍ଥ୍ୟ ,ଓ ପରିବାର କଲ୍ୟାଣ ,ଖାଦ୍ୟ ଓ ଯୋଗାଣ ବିଭାଗ ,ପ୍ରାଣୀ ଧନ ଚିକିତ୍ସା ,କୃଷି ପଞ୍ଚାୟତିରାଜ ,ରାଜସ୍ଵ,ଗ୍ରାମ ଜଳଯୋଗାଣ ,ଅଗ୍ନିଶମ,ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଆଗୁଆ ସଜାଗ କରାଯାଇଛି । ଯଦି ସମ୍ଭାବ୍ୟ ବାତ୍ୟା ମୋକା ପ୍ରଭାବ ରେ ଲଗାଣ ବର୍ଷା ହୁଏ ତେବେ ଉପକୂଳ ଅଞ୍ଚଳ ରେ ପାଚି ଆସୁଥିବା ଧାନ ଫସଲ ଓ ପନିପରିବା ଚାଷ ର ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି। ଏଣୁ ଚାଷୀ ମାନେ ଭୟଭୀତ ହୋଇ ପଡିଛନ୍ତି। କେତେକ ଅଞ୍ଚଳରେ ଚାଷୀ ମାନେ ଅଧା ପାଚିଥିବା ଧାନ କୁ କାଟି ସୁରକ୍ଷିତ ସ୍ଥାନ କୁ ବୋହି ନେଉଥିବା ଲକ୍ଷ୍ୟ କରାଯାଉଛି।


