ସରକାରୀ ବିଦ୍ୟାଳୟ ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ତା ୧୮/୧୧/୨୦୨୦ ରିଖ ଆପ୍ ଗଜପତି ତରଫରୁ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ମାନର ଭିତ୍ତିଭୂମି ଯୋଗେଇଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା ୨୦ ରୁ କମ୍ ପିଲା ଥିବା ସରକାରୀ ବିଦ୍ୟାଳୟ ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରାଯାଇ ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ଓଡିଶା ସରକାର ୧୪୦୦୦ରୁ ଅଧିକ ବିଦ୍ୟାଳୟକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୫୦ ରୁ ଉର୍ଦ୍ଧ୍ବ ସ୍କୁଲ ବନ୍ଦ ହୋଇସାରିଛି ଆଗାମୀ ଏ ସଂଖ୍ୟା ଆହୁରି ବଢିବ । ଯେଉଁ ସ୍କୁଲରେ ପିଲାଙ୍କ ସଂଖ୍ୟା ୨୦ରୁ କମ ତାହାକୁ ବନ୍ଦ କରିଦିଆଯିବା। ଶିକ୍ଷା ଅଧିକାର ଆଇନକୁ ପାଳନ କରିବା ଏବଂ ପ୍ରତ୍ୟକ ଗ୍ରାମରେ ପାଠ ପଢ଼ିବାର ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ସରକାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ନଷ୍ଟ କରିବା ପାଇଁ ଏହି ଶିକ୍ଷା ବିରୋଧୀ ନୀତିକୁ ଗ୍ରହଣ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ ବର୍ଷ ଗୁଡିକରେ ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ୨୦,୦୦୦ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି । ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୨୧,୦୦୦ ପଦବୀ ଖାଲି ପଡ଼ିଛି। ହାଇସ୍କୁଲ ଗୁଡିକରେ ୧୪,୦୦୦ ପଦବୀ ଖାଲି ପଡ଼ିଛି । ନବୀନ ସରକାର ଏପରି ଛାତ୍ରଛାତ୍ରୀ ହିତ ବିରୋଧୀ ନିଷ୍ପତ୍ତି ନେବାର କାରଣ କଣ? ସରକାରୀ ଶିକ୍ଷାକୁ ନିମ୍ନ ମାନର କରିବା ଏବଂ ବିଦ୍ୟାଳୟ ଗୁଡିକୁ ସବୁଦିନ ପାଇଁ ବନ୍ଦ କରିବା ନିଷ୍ପତ୍ତି କାହା ସ୍ୱାର୍ଥରେ ? ଶିକ୍ଷା ବଜେଟକୁ ମାତ୍ର ୮%ରେ ସୀମିତ ରଖିବାର ଉଦେଶ୍ୟ କଣ ? ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ । ଶିକ୍ଷା ବେପାରୀଙ୍କ ହାତରେ ଶିକ୍ଷା କ୍ଷେତ୍ରକୁ ଟେକି ଦେବା ପାଇଁ ଏହା ନବୀନ ଯୋଜନା। ପ୍ରତ୍ୟକ ଦିନ ନୂଆ ନୂଆ ବେସରକାରୀ ବିଦ୍ୟାଳୟ ଖୋଲୁଛି। ରାଜ୍ୟରେ ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ସରସ୍ବତୀ ଶିଶୁ ମନ୍ଦିର ସଂଖ୍ୟା ବଢିବାରେ ଲାଗିଛି । ମାତ୍ର ସରକାରୀ ସ୍କୁଲ ଗୁଡିକୁ ବନ୍ଦ କରାଯାଉଛି । ଅର୍ଥାତ ଗରୀବ ପିଲାଙ୍କ ପାଇଁ ଏବଂ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ବାଧା ସୃଷ୍ଟି କରାଯାଉଛି । ପଇସା ନାହିଁତ ପଢ଼ା ନାହିଁ । ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଶିକ୍ଷା କ୍ଷେତ୍ରରେ ବଜେଟର ପ୍ରାୟ ୨୫% ଅର୍ଥ ଖର୍ଚ୍ଚ କରୁଛନ୍ତି। ନୂଆ ନୂଆ ବିଦ୍ୟାଳୟ ନିର୍ମାଣ କରିବା ସହିତ ଶିକ୍ଷକ ମାନଙ୍କୁ ଉଚ୍ଚ ମାନର ତାଲିମ ଏବଂ ପ୍ରୋତ୍ସାହନ ଦେଉଛନ୍ତି। ପାଠ ପଢାକୁ ମଜାଦାର କରିବା ସହିତ ଅଭିଭାବକ ଏବଂ ପରିଚାଳନା କମିଟିର ସହଯୋଗରେ ଉଚ୍ଚ ମାନର ଶିକ୍ଷା ଦେଉଛନ୍ତି । ପ୍ରଧାନ ଶିକ୍ଷକ ମାନଙ୍କୁ ଅଧିକ କ୍ଷମତା ଦେବା ସହିତ ଶିକ୍ଷା କ୍ଷେତ୍ରରେ ନୂତନ ପ୍ରୟୋଗ କରି ରୋଜଗାରର ମଧ୍ୟ ସୁଯୋଗ ସୃଷ୍ଟି କରୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ପିଲାମାନେ ବେସରକାରୀ ବିଦ୍ୟାଳୟକୁ ଛାଡି ସରକାରୀ ସ୍କୁଲରେ ଯୋଗ ଦେଲେଣି । ପୁଣି ଆପ ସରକାର ବେସରକାରୀ ସ୍କୁଲରେ ମଧ୍ୟ ଫିସକୁ ନିୟନ୍ତ୍ରିତ କରିଛନ୍ତି । ଅର୍ଥାତ କୌଣସି ବେସରକାରୀ ବିଦ୍ୟାଳୟ ମନ ଇଚ୍ଛା ଫିସ ବଢ଼େଇ ପାରିବେ ନାହିଁ । ମାତ୍ର ଓଡ଼ିଶାର ଦୁର୍ଭାଗ୍ୟ। ଏଠାରେ ଏକ ବେପାରୀ ସରକାର ରହିଛି । ଶିକ୍ଷା ବେପାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦିନରାତି ଲାଗିଛି । ସରକାରୀ ବିଦ୍ୟାଳୟକୁ ବନ୍ଦ କରିବା ସହିତ ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଏବଂ ପ୍ରଶିକ୍ଷଣ ନ ଦେଇ ପରୋକ୍ଷରେ ଶିକ୍ଷାର ମାନକୁ ତଳକୁ ନେଉଛି । ଓଡିଶା ଶିକ୍ଷା ବେପାରୀଙ୍କ ପାଇଁ ଭୂସ୍ବର୍ଗ ହୋଇଛି । ହୁଏତ କିଛି ସଂସ୍ଥା ପ୍ରକୃତରେ ଶିକ୍ଷାର ବିକାଶ ପାଇଁ କାମ କରୁଥାଇ ପାରନ୍ତି । ମାତ୍ର ମୋଟାମୋଟି ଭାବରେ ଓଡ଼ିଶାରେ ଶିକ୍ଷାର ଭବିଷ୍ୟତ ଦୁଃଖଦ।ଯଦି ବେଳୁହୁଁ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ପିଢ଼ି ପାଇଁ ବିପଦ । ଆସନ୍ତୁ ମିଳିତ ଭାବରେ ସରକାରଙ୍କର ଏହି ଶିକ୍ଷା ନୀତିକୁ ବିରୋଧ କରିବା । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ବେସରକାରୀ ଠାରୁ ଉତ୍ତମ କରିବା ପାଇଁ ଏବଂ ସମୟ ଉପଯୋଗୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବାଧ୍ୟ କରିବା । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଦେବେନ୍ଦ୍ରନାଥ ଜମାଦାର, ତ୍ରିନାଥ ପଟ୍ଟନାୟକ, ପ୍ରଫୁଲ୍ଲ ଲିମ୍ମା,ରାଙ୍ଗା ପଟ୍ଟନାୟକ,ଲଗୋସ୍ ଦାସ ବର୍ଦ୍ଧନ, ତ୍ରିନାଥ ଅଧିକାରୀ, ଚକ୍ରଧର ନାୟକ,ଏସ୍.କେ.ମୋଜିବ,ଅଟିନ ଭୁଁୟା ପ୍ରମୁଖ ଯୋଗ ଦେଇଥିଲେ ।


