ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ୧୭ଶ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦାବିରେ ଗତ ୨୦୦୫ ମସିହାରେ ଗଠିତ ସରକାରୀ ମେଡିକାଲ୍ କଲେଜ୍ ଓ ହସପିଟାଲ୍ କ୍ରିୟାନୁଷ୍ଠାନ କମିଟିର ସପ୍ତଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରଥମ ଅଧିବେଶନକୁ ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସପିଟାଲର ଅଧ୍ୟକ୍ଷ ଡା. ରାମଚନ୍ଦ୍ର ଗିରି ଓ ଜିଲ୍ଲା ପରିଷଦର ସଭାପତି ତଥା ଅଭ୍ୟର୍ଥନା କମିଟିର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସପିଟାଲ୍ ପ୍ରତିଷ୍ଠା ପରେ ରୋଗୀମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାରଙ୍କ ଉଦ୍ୟମ ଏବଂ ଏଥି ନିମନ୍ତେ କ୍ରିୟାନୁଷ୍ଠାନ କମିଟିର ସହଯୋଗକୁ ମୁଖ୍ୟଅତିଥି ଡା. ଗିରି ଉଚ୍ଚପ୍ରଶଂସା କରିଥିଲେ । ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କ୍ରିୟାନୁଷ୍ଠାନ କମିଟିର ସଭାପତି ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମଳନୀରେ ସମ୍ପାଦକ ପ୍ରଦୀପ ଦାସ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଉପ-ସଭାପତି ପ୍ରଭାକର ସାହୁ ଅତିଥି ପରିଚୟ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ୨୦୨୩ ପାଇଁ ଗୃହୀତ କାର୍ଯ୍ୟସୂଚୀ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟର ବିବରଣୀ ପାଠ କରିଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟ ଜନିତ ରୋଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଦାବି କରାଯାଇଥିଲା । ଏମ୍ସ ସାଟେଲାଇଟ୍ ସେଂଟରକୁ କାର୍ଯ୍ୟକ୍ଷମ, ୭ଦିନ ବହିର୍ବିଭାଗ ଖୋଲା ରଖିବା, ନର୍ସିର୍ଂ ଓ ଫାର୍ମାସିଷ୍ଟ୍ କଲେଜ୍ ଏବଂ ଆୟୁଷ ହସପିଟାଲର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ, ବାଲେଶ୍ୱରରେ ଆୟୁର୍ବେଦିକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପ୍ରଭୃତି ଦାବି ଉପରେ ପ୍ରତିନିଧିମାନେ ଆଲୋଚନାରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କମିଟିର ୨୦୨୨ ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ନିରଞ୍ଜନ ରାଉତ ମୁଖପତ୍ରର ସଂପାଦକୀୟ ପାଠ କରିଥିଲେ । ପରେ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଃସ୍ୱାର୍ଥପର ବିଶେଷ ସେବା ପ୍ରଦାନ କରିଥିବା ଡାକ୍ତର ମୀରା ପତି, ଡା. ସୁକାନ୍ତ କୁମାର ସାହୁ, ସ୍ୱାସ୍ଥ୍ୟକର୍ମୀ ରମାକାନ୍ତ କର ଓ ନର୍ସ ପୁଷ୍ପିତା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଗତ ନଭେମ୍ବର ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ସଚେତନତା ଯାତ୍ରାରେ ଜିଲ୍ଲା ପରିକ୍ରମା କରିଥିବା ୧୦ଜଣ ସଦସ୍ୟଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସନ୍ତା ଦୁଇବର୍ଷ ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିରୁ ମନୋନୀତ ନୂତନ କର୍ମକର୍ତ୍ତାଙ୍କ ନାମ ଇଂ. ବନମାଳୀ ନାୟକ ପାଠ କରିବା ପରେ ଏହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା । ପ୍ରାରମ୍ଭରେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


