୯୮ତମ ଜୟନ୍ତୀ ଅବସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ

ଅରବିନ୍ଦ ତ୍ରିପାଠୀ ଯେଉଁ କେତେଜଣ ମହାମାନବ ସ୍ୱକର୍ମ, ଆଚରଣ, ନେତୃତ୍ୱ, ଦେଶମାତୃକାର ସେବା ଇତ୍ୟାଦି ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତଥା ସମସ୍ତ ବର୍ଗର ଜନସାଧାରଣଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିପାରିଛନ୍ତି ସେହିପରି ଏକାଧାରାରେ ଜଣେ ବଳିଷ୍ଠ, କର୍ମଠ, ଦକ୍ଷ, ସୁସାହିତ୍ୟିକ, ବିଶିଷ୍ଟ କବି, ସାମ୍ବାଦିକ, ସଂଗଠକ, ସମ୍ପାଦକ, ରାଜନୈତିକ ଆଦର୍ଶ ବ୍ୟକ୍ତିତ୍ୱ ତଥା ଭାରତ ରାଜନୀତିର ଭୀଷ୍ମ ପିତାମହ, ଭାରତରତ୍ନ, ପଦ୍ମଭୂଷଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ । ସେ ଏପରି ଜଣେ ବିବାଦ ବିହୀନ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଯାହାର କେହି ପ୍ରାୟ ବଇରୀ ନ ଥିଲେ । ସମସ୍ତେ ତାଙ୍କୁ ଶ୍ରଦ୍ଧା, ସମ୍ମାନ କରିଥାନ୍ତି । ହଠାତ୍ ତାଙ୍କର ବିୟୋଗରେ ୧୬/୮/୨୦୧୮ତାରିଖରେ ସାରା ଭାରତ ବର୍ଷ ତଥା ବିଶ୍ୱ ଏକ ଧ୍ରୁବ ତାରାଙ୍କୁ ହରାଇଲା । ଏପରି ବ୍ୟକ୍ତିତ୍ୱ ଜନ୍ମ ନେବା ବହୁତ କଷ୍ଟକର । ରାଜନୈତିକ କ୍ଷେତ୍ରରେ ହେଉ ଅବା ସାହିତ୍ୟ କ୍ଷେତ୍ରରେ ହେଉ ସବୁଥିରେ ସେ ଛାଡ଼ି ଯାଇଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ଛାପ । ଯାହାକୁ କି ପୂରଣ କରିବା ଅସମ୍ଭବ । ସେ ଏପରି ଏକ ଜନନାୟକ ଭାରତ ବର୍ଷର ଯାହାକି ବିରଳ । ବାଦ ବିବାଦ, ମାନ-ସମ୍ମାନ ସବୁଠାରୁ ସେ ଥିଲେ ଉର୍ଦ୍ଧ୍ୱରେ । ତାଙ୍କର ମହା ବିୟୋଗରେ ସାରା ବିଶ୍ୱ ସ୍ତମ୍ଭିଭୂତ ହେବା ସହିତ ଭାରତ ମାତା ତା\’ର ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା । ଛୋଟଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜଣାଇଥିଲେ ବିଦାୟର ଅଶ୍ରୁ । ଏହିପରି ମହାମାନବଙ୍କର ଶରୀର ଚାଲିଯାଇଛି ମାତ୍ର ତାଙ୍କର କର୍ମ, ଆଦର୍ଶବ୍ୟକ୍ତିତ୍ୱ, ଆଜିବି ଜନମାନସରେ ରହିଛି ଓ ରହିଥିବ, ଯେତେ ଦିନ ପର୍ଯ୍ୟନ୍ତ ଭାରତ ବର୍ଷ ରହିଥିବ । ତାଙ୍କର ବିୟୋଗରେ ବହୁ ରାଜନେତାଙ୍କଠାରୁ ଆରମ୍ଭ କରି ପଡ଼ୋଶୀ ରାଷ୍ଟ୍ରର ପ୍ରମୁଖ ବ୍ୟକ୍ତିତ୍ୱ, ସାଧାରଣ ଜନତା, ଆନ୍ତର୍ଜାତୀୟ ସ୍ତରର ମୁଖ୍ୟ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି । ରାଷ୍ଟ୍ରୀୟ ସଂପୂର୍ଣ୍ଣ ମର୍ଯ୍ୟାଦା ସହ ତାଙ୍କର ମର ଶରୀରକୁ ସ୍ମୃତିସ୍ଥଳଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କ ଶେଷକୃତ୍ୟରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଯାହାକି ବହୁତ କମ ବ୍ୟକ୍ତିଙ୍କ ଜୀବନରେ ଆସେ ।ଭୂମିଷ୍ଠ -୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗୋଆଲିଅରଠାରେ ପିତା କୃଷ୍ଣ ବିହାରୀ ବାଜପେୟୀ ଓ ମାତା କୃଷ୍ଣାବିହାରୀଙ୍କ ଔରସରୁ ଅଟଳ ଭୂମିଷ୍ଠ ହୁଅନ୍ତି । ପିତା ଅଧ୍ୟାପନା କରିବା ସହିତ କାବ୍ୟ ରଚନାରେ ରତ ରହୁଥିଲେ । ମାତା ସୁଗୃହିଣୀ ହେବା ସହିତ କାବ୍ୟ କବିତାରେ ଗଭୀର ରୁଚି ରଖୁଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା ପରି ଅଟଳ ବିହାରିଙ୍କ ସୁଗୁଣ ସବୁ ପିଲାଟି ଦିନରୁ ଜଣାପଡିଥିଲା । ପ୍ରାଥମିକ ଶିକ୍ଷା ଲାଭ କଲାପରେ ଅଟଳ ଗୋୟାଲିୟରର ଭିକ୍ଟୋରିଆ କଲିଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ । ଏହା ପରେ ଭିକ୍ଟୋରିଆ ସ୍କୁଲରେ ପାଠ ପଢିଲେ । ପାଠ ପଢା ସହିତ କବିତା ଲେଖିବା, ଦେଶ ସେବା, ଲୋକମାନଙ୍କର ସୁବିଧା ଅସୁବିଧା ସମୟରେ ଠିଆ ହେବା ଇତ୍ୟାଦିକୁ ସେ ଭଲ ପାଉଥିଲେ । ମହାବିଦ୍ୟାଳୟ ଶିକ୍ଷା-ବି.ଏ. ପାଶ୍ କଲା ପରେ ଅଟଳ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିବା ପାଇଁ କାନପୁର ଗଲେ । ସେଠାରେ ଡି.ଏ.ଭି. କଲେଜରେ ଏମ୍‌.ଏ.ରେ ନାମ ଲେଖାଇଲେ । ମାଷ୍ଟର ଡିଗ୍ରୀ ହାସଲ କଲାପରେ ଜଣେ ଅଧ୍ୟାପକ ହିସାବରେ ରହିବାକୁ ତାଙ୍କର ପ୍ରବଳ ଇଚ୍ଛା ହେଉଥିଲା । ମାତ୍ର ବିଧିର ବିଧାନ ଥିଲା ଅନ୍ୟ ପ୍ରକାରର । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନରେ ଯୋଗଦାନ କରି ଦେଶ ମାତୃକାର ସେବା କରିବା ପାଇଁ ମନ ବଳାଇଲେ । ଏହି ସଂଗଠନରେ ସେ ସକ୍ରିୟ ହେବା ସହିତ ଧୀରେ ଧୀରେ ନିଜର ବୁଦ୍ଧି, ଜ୍ଞାନ ବଳରେ ମୁଖ୍ୟ ପଦରେ ରହିଲେ । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ୨୪ ଦିନ ଜେଲ ଦଣ୍ଡ ଭୋଗ କରିଥିଲେ । ଜେଲରୁ ଫେରି ସଂଘର ପ୍ରଚାରକ ଭାବରେ କାର୍ଯ୍ୟକଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ