ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଦୁର୍ନୀତି ଜର୍ଜରିତ କଟକ ଜିଲ୍ଲା ନିଆଳି ବ୍ଲକର ଅଁଳୋ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ନିଗ୍ଧା ମହାନ୍ତିଙ୍କୁ ନିଲମ୍ବନ ପାଇଁ ଲୋକାୟୁକ୍ତ ଗତ ୩୧ ଡିସେମ୍ବର ୨୦୧୯ରିଖରେ ପ୍ରମୁଖ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କୁ ପତ୍ର ସଂଖ୍ୟା ୬୯୧୦ ଦ୍ୱାରା ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୦୪.୦୯.୨୦୧୯ରିଖରେ ସୂଚନା ଅଧିକାର ଅଭିଯାନର ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ମାନ୍ୟବର ଲୋକାୟୁକ୍ତଙ୍କ କୋର୍ଟରେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଅଁଳୋ ଗ୍ରାମ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ହରିଲୁଟ୍ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଅଁଳୋ ଗ୍ରାମ ପଞ୍ଚାୟତର କାଳିଆଘାଇ ହାଟ ନିଲାମ ବାବଦ ୧,୭୫,୩୬୫ ଟଙ୍କା ସରପଞ୍ଚ ସ୍ନିଗ୍ଧା ମହାନ୍ତି ଚଞ୍ଚକତା କରି ଗ୍ରାମ ପଞ୍ଚାୟତ ଖାତାରେ ଜମା ନ କରି ନିଜ ପାଖରେ ରଖିଥିଲେ । ଗ୍ରାମବାସୀ ଏହା ଉପରେ ଅଭିଯୋଗ କରିବାରୁ ଉପଜିଲ୍ଲାପାଳ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଟଙ୍କା ଆଦାୟ ସହ ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତ୍ୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।ସେହିପରି ୨୦୧୬-୧୭, ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତ ଉପର ମହଲା ପଲସ୍ତରା କାମ ଓ ଗୋଦାମ ଗୃହ ମରାମତି କାମ ବାବଦରେ ମିଥ୍ୟା ବିଲ୍ କରି ୫ ଲକ୍ଷ ଟଙ୍କା ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଡ଼ପ କରିଥିଲେ । ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଉନ୍ନତିକରଣ ଏବଂ ପାଇଖାନା ନିର୍ମାଣ ବାବଦରେ ୨ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଟଙ୍କାକୁ ବେଆଇନ୍ ଭାବେ ନଳକୂପ ନିର୍ମାଣ ପାଇଁ ଖର୍ଚ୍ଚ କରିଥିଲେ ।ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ପଞ୍ଚାୟତର ନୂତନ ପାଇଖାନା ନିର୍ମାଣ ଓ ଗ୍ରାମ ପଞ୍ଚାୟତ ଅଫିସ୍ ନିର୍ମାଣ ବାବଦକୁ ମୋଟ ୧ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ଏହି ଅର୍ଥ ତୋଷାରପାତ ହୋଇଛି ବୋଲି ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମିଳିଥିଲା । ତେଣୁ ଅଁଳୋ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହିଭଳି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ସହିତ ବ୍ୟାପକ ଅନୟମିତତା କରିଛନ୍ତି ବୋଲି ପ୍ରଦୀପ ପ୍ରଧାନ ଅଭିଯୋଗ କରିଥିଲେ । କେବଳ ସେମାନଙ୍କର ଲୁଟ୍ ଏତିକିରେ ସୀମାବଦ୍ଧ ନଥିଲା । ସୂଚନା ଅଧିକାର ଆଇନ୍ରେ ତଥ୍ୟ ଅନୁଯାୟୀ ଆହୁରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ୦୩.୧୨.୨୦୧୭ରେ ସବଡ଼ିଭିଜନାଲ ପଞ୍ଚାୟତ ଅଫିସ୍ର ଯେଉଁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ ସେଥିରେ ମଧ୍ୟ ହାଟ ନିଲାମ ଅର୍ଥ ସରପଞ୍ଚ ନିଜ ପାଖରେ ରଖିଛନ୍ତି ବୋଲି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପଜିଲ୍ଲାପାଳ, କଟକ ସଦରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।ପୁନର୍ବାର ୨୬.୦୮.୨୦୧୯ରିଖରେ ସବ୍ଡ଼ିଭିଜନାଲ ପଞ୍ଚାୟତ ଅଫିସର ତଦନ୍ତ କରି ସେ ମଧ୍ୟ ସମାନ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ରିପୋର୍ଟ ପ୍ରଦାନ କରିଥିଲେ । ଏଥିସହିତ ସରପଞ୍ଚ, ସରକାରୀ ତହବିଲ୍ରୁ ବାରମ୍ବାର ଅଗ୍ରୀମ ନେଇଛନ୍ତି ଏବଂ ଏହାକୁ ମଧ୍ୟ ଠିକ୍ ଭାବେ ପଇଠ କରିନାହାଁନ୍ତି ଯାହାକି ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ ୨୦୧୪ ଅନୁଯାୟୀ ନିୟମ ବହିର୍ଭୁତ ଅଟେ ।ଲୋକାୟୁକ୍ତ ଏହିସବୁ ସାଂଘାତିକ ଅଭିଯୋଗ ଉପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ୦୨.୧୨.୧୯ରିଖରେ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଜିଲ୍ଲାପାଳ ଏହା ଉପରେ ତଦନ୍ତ କରି ଜଣାଇଥିଲେ ଯେ ଓଡ଼ିିଶା ପଞ୍ଚାୟତ ଆକ୍ଟ ୧୯୬୪ ଧାରା ୧୧୫ ଅନୁଯାୟୀ ସରପଞ୍ଚଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେର୍କ ପଞ୍ଚାୟତିରାଜଙ୍କୁ ୨୨.୧୨.୧୯ରେ ସୁପାରିଶ କରି ଲୋକାୟୁକ୍ତଙ୍କ ନିକଟରେ ଏହାର ରିପୋର୍ଟ ପ୍ରଦାନ କରିଥିଲେ । ତଦନୁଯାୟୀ ଲୋକାୟୁକ୍ତ ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରମୁଖ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗକୁ ତିନିମାସ ମଧ୍ୟରେ ସରପଞ୍ଚଙ୍କୁ ନିଲମ୍ବନ ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।


