ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠା ଦିବସ ଓ ଗୁରୁଦିବସ ପାଳନ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଯୋଗେଶ୍ୱରପୁର ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭୀମସେନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ୩୦ ତମ ପ୍ରତିଷ୍ଠା ଦିବସ ଓ ଗୁରୁଦିବସ ପାଳନ ହୋଇଯାଇଛି। ଶିଶୁମାନେ ପ୍ରଥମେ ଗୁରୁ ଓ ଗୁରୁମାଙ୍କର ପଦ ପ୍ରଖାଳନ ସହିତ ଫୁଲ, ଚନ୍ଦନ ଦେଇ ସେମାନଙ୍କୁ ପୂଜନ କରିଥିଲେ। ଶିଶୁ ବିଦ୍ୟାମନ୍ଦିର ର ଭୂମିଦାତା ପ୍ରାଣବନ୍ଧୁ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରାଧା ଚରଣ ସ୍ୱାଇଁ, ସମ୍ପାଦକ ମାନସ କୁମାର ସାହୁ, ଯୁଗ୍ମ ସମ୍ପାଦିକା ବିଷ୍ଣୁ ପ୍ରିୟା ନାୟକ,ଉପ ସଭାପତି କୃଷ୍ଣ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବିମଳକାନ୍ତ ସ୍ୱାଇଁ, ସମାଜସେବୀ ଅଶୋକ ପରିଡ଼ା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ଗୁରୁ ଓ ଶିଷ୍ୟ ସମ୍ପର୍କ ବିଷୟରେ କହିବା ସହିତ ପୁରସ୍କାର ବିତରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଅପର ପକ୍ଷରେ ନିମାପଡ଼ା, ଗୋପ,କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଗୁରୁଦିବସ ଯଥାବିଧି ପାଳନ କରାଯାଇଥିଲା।


