ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ବହୁ ସିକ୍ୟୁରିଟି ଗାର୍ଡ!
ଆସିକା(ୱାଇଏନ୍ଏସ୍) : ସରକାରଙ୍କ ନୀତିନିୟମକୁ ଫୁ କରି ଉଡାଇ ଦେଉଛନ୍ତି କେତେକ ଘରୋଇ ସିକ୍ୟୁରିଟି ସଂସ୍ଥା । ଗୋଟିଏ କି ଦୁଇଟି ନୁହେଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଭିନ୍ନ ସିକ୍ୟୁରିଟି ସଂସ୍ଥା ଅଧୀନରେ ଶତାଧୀକ ସିକ୍ୟୁରିଟି ଗାର୍ଡ କାମ କରୁଛନ୍ତି । କେତେକ ସିକ୍ୟୁରିଟି ସଂସ୍ଥା ଅଧୀନରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡମାନେ ୮ ଘଣ୍ଟା କାମ କରିବା ପରିବର୍ତ୍ତେ ଦୈନିକ ପ୍ରାୟ ୧୨ ଘଣ୍ଟା କାମ କରୁଥିବା ଅଭିଯୋଗ ହେଉଛି । ତେବେ ପାରିଶ୍ରମିକ ବାବଦକୁ ମିଳୁଛି ମାତ୍ର ୭ ରୁ ୯ ହଜାର ଟଙ୍କା । ଦୀର୍ଘ ଦିନ ଧରି କେତେକ ଘରୋଇ ସିକ୍ୟୁରିଟି ସଂସ୍ଥା ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରିଚାଲିଥିଲେ ମଧ୍ୟ ତାହାକୁ ବନ୍ଦ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ବିଭିନ୍ନ ସଂସ୍ଥାରେ ଘରୋଇ ସିକ୍ୟୁରିଟି ଏଜେନ୍ସି ଅଧୀନରେ କାର୍ଯ୍ୟରତ ଥିବା କେତେକ ହାତଗଣତି ସିକ୍ୟୁରିଟି ଗାର୍ଡ ସରକାରଙ୍କ ନୀତିନିୟମ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପାଉଥିଲା ବେଳେ ଅନ୍ୟ କେତେକ ସିକ୍ୟୁରିଟି ସଂସ୍ଥା ଅଧୀନରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡମାନେ ସ୍ୱଳ୍ପ ଦରମାରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିଥିବା ସିକ୍ୟୁରିଟି ଏଜେନ୍ସି ଗୁଡିକ ମଧ୍ୟରୁ କେତେକଙ୍କର ଆବଶ୍ୟକୀୟ ଲାଇସେନ୍ସ ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରାଇଭେଟ୍ ରେଗୁଲେଟିଂ ଆକ୍ଟ ଅନୁସାରେ ଲାଇସେନ୍ସ ପାଇବା ନିୟମ ରହିଛି । ଏଥିପାଇଁ ସିକ୍ୟୁରିଟି ସଂସ୍ଥାର ମାଲିକଙ୍କୁ ଟ୍ରେନିଂ ସେଣ୍ଟର, ପିଏଫ୍ ପଞ୍ଜିକରଣ, ଇଏସ୍ଆଇ, ଲେବର୍ ଲାଇସେନ୍ସ ଆଦି କାଗଜପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବହୁ ସିକ୍ୟୁରିଟି ସଂସ୍ଥା ବର୍ଷ ବର୍ଷ ଧରି ବିନା ସରକାରୀ ପଞ୍ଜିକରଣରେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରି ଶୋଷଣ କରୁଥିବା ଅଭିଯୋଗ ହେଉଛି । କେତେକ ସିକ୍ୟୁରିଟି ଏଜେନ୍ସି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାସିକ ଯେତିକି ଟଙ୍କା ପାଉଛନ୍ତି ସେହି ତୁଳନାରେ ସିକ୍ୟୁରିଟି ଗାର୍ଡଙ୍କୁ ପାରିଶ୍ରମିକ ଦେଉନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳରେ କେତେକ ସିକ୍ୟୁରିଟି ଏଜେନ୍ସି ନିଜ ଅଧୀନରେ ନିଯୁକ୍ତି ଦେଇଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଥିବା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


