ଆପ୍ ର ପଂଚାୟତ ବିଗୁଲ: ପ୍ରତି ଆସନରେ ଲଢ଼ିବ ଦଳ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କମର କଷିଲା ଆମ ଆଦମୀ ପାର୍ଟି । କାକଟପୁର ନିକଟସ୍ଥ ମୋତି କଲ୍ୟାଣ ମଣ୍ଡପରେ ମଙ୍ଗଳବାର ମଧ୍ୟାହ୍ନରେ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ଲଢେଇ ଅଭିଯାନ ଆରମ୍ଭ ହୋଇଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀରେ ସଂଗଠନ ସହ ସଦସ୍ୟତା କାର୍ଯ୍ୟ ଜୋରଦାର ଚାଲିଛି । ବୈଠକରେ ଆମ ଆଦମୀ ପାର୍ଟି ଦିଲ୍ଲୀର ପ୍ରମୁଖ କର୍ମକର୍ତା ତଥା ଓଡ଼ିଶା ସହ ପ୍ରଭାରୀ ପୁନିତ୍ ରାୟ ଯୋଗଦେଇ କର୍ମକର୍ତ୍ତା ମାନଙ୍କୁ ସାଂଗଠନିକ ଗୁରୁମନ୍ତ୍ର ଦେଇଥିଲେ । ସେ କହିଥିଲେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ପ୍ରତି ଆସନରେ ଆପ ପ୍ରାର୍ଥୀ ଦେଇ ଲଢିବ। ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ ମଡେଲ୍ କୁ ଓଡ଼ିଶାରେ ଲାଗୁ କରି ଲୋକଙ୍କୁ ସୁବିଧା ଦିଆଯିବ । କାକଟପୁର ରୁ ଏହି ଲଢେଇ ଆରମ୍ଭ ହୋଇଛି । ଜିଲ୍ଲା ଉପ ସଭାପତି ରବିନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଜଗତସିଂହପୁର ଲୋକସଭା ପ୍ରଭାରୀ ସନ୍ଦିପ୍ତ କୁମାର ଦାସ ଓ ସଂଗଠନ ସମ୍ପାଦକ ସୂର୍ଯ୍ୟକାନ୍ତ କାନୁନଗୋ ମଧ୍ୟ ଯୋଗ ଦେଇଥିଲେ। ସେମାନେ କର୍ମୀ ମାନଙ୍କୁ ଦଳର ଲକ୍ଷ ଓ ଯୋଜନା ବୁଝାଇ ତୃଣମୂଳ ସ୍ତରରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଓଡିଶା ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଆପ୍ ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ପାନୀୟ ଜଳ, ସ୍ୱାସ୍ଥ୍ୟ କେନ୍ଦ୍ର, ଅସ୍ତରଙ୍ଗ ବସ ଷ୍ଟାଣ୍ଡ ସମସ୍ୟା, ଫିସିଂ ହାର୍ବର, ପଂଚାୟତ ସମିତିରେ ହେଉଥିବା ଦୁର୍ନୀତି, କୁଜି ନେତାଙ୍କ ପିସି କାରବାର,ରାସ୍ତା ଓ ବେକାରୀ ସମସ୍ୟା ପାଇଁ ସରକାରକୁ ଦାୟୀ କରିଥିବା ବେଳେ ମା ମଙ୍ଗଳା ମନ୍ଦିରକୁ ରାଜ୍ୟ ସରକାର ଅଣଦେଖା କରୁଥିବା କହି ଆନ୍ଦୋଳନ ଜୋରଦାର କରିବାକୁ ସ୍ଥିର କରାଯାଇଥିଲା । ଆଗାମୀ ନିର୍ବାଚନରେ ସାରା ଓଡ଼ିଶାରେ ପ୍ରତି ଜାଗାରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢେଇ ଜୋରଦାର କରିବ ଦଳ ବୋଲି ନେତାମାନେ ଦୃଢତାର ସହ କହିଥିଲେ। ଏହି ଅବସର ରେ କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ସୋନାଲି ରାଉତ୍, ଗୋପ ବ୍ଲକ ସଭାପତି ଦୁଷ୍ମନ୍ତ ଦଳାଇ, ସଂଖ୍ୟାଲଘୁ ନେତା ଶେଖ୍ ମମତାଜ ଓ ଭାଗବତ ବେହେରାଙ୍କ ସମେତ ୨ ଶହ ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ । ସମସ୍ତେ ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ସହ ଆଗାମୀ ନିର୍ବାଚନରେ ଲଢେଇ ଜାରି ରଖିବେ ବୋଲି ଶପଥ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ