ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପଦକ ଗ୍ରହଣ କଲେ ନୃତ୍ୟଗୁରୁ ସିମାଞ୍ଚଳ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହି ର ପୌରାଣିକ ପ୍ରହଲ୍ଲାଦ ନାଟକ ର ହିରନ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା ନୃତ୍ୟ (ଗୁରୁ) ସିମାଞ୍ଚଳ ପାତ୍ର(୯୭) ଙ୍କୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବା ସହ ସମ୍ମାନୀତ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପ ରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ ପଦ୍ମଶ୍ରୀ ସିମାଞ୍ଚଳ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଛନ୍ତି। ଉତ୍ସବ ରେ ସିମାଞ୍ଚଳ ଙ୍କ ସାନପୁଅ ସାହେବ ପାତ୍ର,ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳିି ନାଟ୍ୟ ଅନୁଷ୍ଠାନର ସମ୍ପାଦକ ତଥା ବିଶିଷ୍ଟ ନୃତ୍ୟ ଗୁରୁ ଆଲୋକ ବିଷୋୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଙ୍କ ସମେତ ବହୁ ଗନ୍ୟମାନ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ। ଖବର ପ୍ରଚାରିତ ହେବା ପରେ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବମୋକେଇ ଗ୍ରାମର ସୁର ପାତ୍ର ଓ ବାଙ୍ଗାରି ଦେବୀ ଙ୍କ ପୁଅ ସିମାଞ୍ଚଳ ମାତ୍ର ୬ ବର୍ଷ ବୟସରେ ପାଲୁରଗଡ ର ନୃତ୍ୟଗୁରୁ ନରସିଂହ ପ୍ରଧାନ ଙ୍କ ଠାରୁ ଓଡ଼ିଶୀ ନୃତ୍ୟ ର ପୂର୍ବାଭାସ ସଖୀ ନାଚ ଶିକ୍ଷା କରିଥିଲେ। ବାପା ସୁର ପାତ୍ର ଜଣେ ଗରିବ ଚାଷୀ ପରିବାର ରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନୃତ୍ୟ ଗୀତ ପ୍ରତି ତାଙ୍କର ରୁଚି ଥିଲା।ସେ ଗ୍ରାମର ପ୍ରହଲ୍ଲାଦ ନାଟକ ର ରାଜା ହିରନ୍ୟକଶ୍ୟପ ରୂପେ ଅଭିନୟ କରୁଥିଲେ।ତେଣୁ ସିମାଞ୍ଚଳ ପିଲାଟି ଦିନରୁ ପିତାଙ୍କୁ ଅନୁସରଣ କରି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ଦେଖି ପିତା ତାଙ୍କୁ ନାଟକର ସୂତ୍ରଧର ଗୀତ ଅଭ୍ୟାସ କରାଇଥିଲେ।ପରବର୍ତ୍ତୀ ସମୟରେ ତାଙ୍କ ନିର୍ଦ୍ଦେଶନାରେ ସେ ରଜାନାଟ ବା ପ୍ରହଲ୍ଲାଦ ନାଟକରେ ପ୍ରହଲ୍ଲାଦ ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଥିଲେ।ପିତାଙ୍କ ଦେହାନ୍ତ ପରେ ସେ ପ୍ରହଲ୍ଲାଦ ନାଟକ ର ଗୁରୁ ତ୍ରିନାଥ ପ୍ରଧାନ ଏବଂ ଲକ୍ଷ୍ମଣ ଶତପଥି ଙ୍କ ନିକଟରେ ଦୀର୍ଘ ୨୦ ବର୍ଷ ନୃତ୍ୟାଭିନୟ ର ବିଭିନ୍ନ ଶୈଳୀ, ରାଗ,ରସ,ଲୟ, ଠାଣି, ସଂଳାପ,ନୃତ୍ୟ ଭଙ୍ଗୀ ପ୍ରଭୃତି ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ହିରନ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରି ଆସୁଥିଲେ।ତାଙ୍କୁ ସମଗ୍ର ଅଞ୍ଚଳରେ ରଜା ସିମାଞ୍ଚଳ ବୋଲି ଲୋକେ ଡାକୁଛନ୍ତି।ଗରିବ ଚାଷୀ ପରିବାର ରେ ଜନ୍ମ ଗ୍ରହଣ କରିଥିବା ସିମାଞ୍ଚଳ ଙ୍କୁ ପ୍ରହଲ୍ଲାଦ ନାଟକ ର ରଜା ଭୂମିକାରେ ଉଚ୍ଚକୋଟୀର ଅଭିନୟ ଓ ଲୋକ ନାଟକ ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୧୯୯୦ ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ। ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୧୯୯୭ ରେ ଲୋକନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।


