ସର୍ବପୁରାତନ ବନ୍ତ ପୁରୁଣା ବଜାର ଦୁର୍ଗା ପୂଜା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ପୁରୁଣା ବଜାର ଠାରେ ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଆଡମ୍ବର ସହକାରେ ଆରମ୍ଭ ହୋଇଛି । ସ୍ଥାୟୀ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାରେ ସୁଶିଲ ଦାସ ଓ ଲକ୍ଷ୍ମୀନାରାୟଣ ପାଣି ନିକଟସ୍ଥ ଗ୍ରାମ୍ୟ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ଶୁକ୍ରବାର ବିଲ୍ୱବୃକ୍ଷ ବୋଧନ ଓ ବିଲ୍ୱଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ଶନିବାର ଘଟନିମର୍ଜ୍ଜନ, ଦେବପତ୍ରିକା ପ୍ରବେଶ କର୍ମ ଶେଷ କରାଯାଇ ସପ୍ତମୀ ବିହିତ ପୂଜା ଆରମ୍ଭ ହୋଇଥିଲା । ପରମ୍ପରା ନୀତି ଅନୁଯାୟୀ କଖାରୁ ଛେଦ ସହ ସପ୍ତମୀ ବିହିତ ପୂଜା ସଂପୂର୍ଣ୍ଣ ହୋଇଥିଲା । ରବିବାର ସକାଳେ ଅଷ୍ଟମୀ ବିହିତ ପୂଜା, ଅପରାହ୍ନ ସମୟରେ ସନ୍ଧି ପୂଜା, ସନ୍ଧିବଳୀ ପ୍ରକ୍ଷଣ ହେବ । ନବମୀ ପ୍ରାତଃରେ ନବମୀ ବିହିତ ପୂଜା ପରମ୍ପରା ରୀତି ଅନୁଯାୟୀ ଗ୍ରାମ ଦେବତୀ, ଦକ୍ଷିଣ ଚଣ୍ଡିଙ୍କର ପୂଜାର୍ଚ୍ଚନା, କଖାରୁ ଛେଦଦାନ, ଅପରାହ୍ନରେ ସଂପୂର୍ଣ୍ଣ କଖାରୁ ଛେଦନ କରାଯିବ । ପ୍ରାତଃ ସମୟରୁ ନବମୀ ବିହିତ ପୂଜା, ହୋମଯଜ୍ଞ, ଅପରାଜିତା ପୂଜନ ଓ ବିସର୍ଜ୍ଜନ କରାଯିବ । ପୂଜା କାର୍ଯ୍ୟରେ ଜଗବନ୍ଧୁ ଶତପଥି, ପୁସ୍ତକାଚାର୍ଯ୍ୟ ଲିଙ୍ଗରାଜ ମିଶ୍ର, ଗଂଗାଧର ପାଣି ପ୍ରମୁଖ ପୂଜକ ଦାୟୀତ୍ୱ ତୁଲାଉଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସମଗ୍ର ବଜାର ଅଂଚଳକୁ ଆଲୋକ ମାଳାରେ ସଜ୍ଜା ଯାଇଥିବା ବେଳେ ଆକର୍ଷଣୀୟ ତୋରଣ ସାଂଗକୁ ପୂଜା ମଣ୍ଡପ ମାନ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଚଳିତ ବର୍ଷ ଅନୁଷ୍ଠିତ ପୂଜା ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିବା ସହ ଆସନ୍ତା ମଂଗଳବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ମହେନ୍ଦ୍ରନାଥ ମିଶ୍ର, ସଂପାଦକ ବାଦଲ କୁମାର ମଜୁମଦାର କହିଛନ୍ତି । ପୂଜା କାର୍ଯ୍ୟରେ ଉପସଭାପତି ଗଂଗାଧର ପଣ୍ଡା, ସହ ସଂପାଦକ ସଂଜୟ କୁମାର ମଜୁମଦାର, କୋଷାଧ୍ୟକ୍ଷ ଗଂଗାଧର ନାୟକଙ୍କ ସମେତ ବନ୍ତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ସେହିପରି ନିଳୋକ ଠାରେ ୨୩ ବର୍ଷ ଧରି ଚାଲିଥିବା ସାମ୍ବତ୍ସରିକ ଦୁର୍ଗା ପୂଜା ଚଳିତ ବର୍ଷ ବେଶ ଆଡମ୍ବର ସହକାରେ ପାଳିତ ହେଉଛି । ନିକଟସ୍ଥ ମହାଦେବ ପୋଖରୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ପୂଜାରେ ରାମ ଚନ୍ଦ୍ର ଦାଶ, ମନ ରଂଜନ ବିଶ୍ୱାଳ, ପତିତପାବନ ଜେନା, ବିଶ୍ୱଭୂଷଣ ଜେନା ମୁଖ୍ୟ କଳସ ଆଣିଛନ୍ତି । ପୂଜକ ଭାବେ ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ସନ୍ତୋଷ କୁମାର ମିଶ୍ର, ପତିତପାବନ ପଣ୍ଡା ପୂଜା ଦାୟୀତ୍ୱ ତୁଲାଉଛନ୍ତି । ସେହିପରି ସମସ୍ତ କାର୍ଯ୍ୟରେ ନଟବର ମୁଦୁଲି, ସଂଜୟ କୁମାର ଜେନା, ଗୀତାଞ୍ଜଳ ବିଶ୍ୱାଳ, ନିଳମାଧବ ବିଶ୍ୱାଳ, ସୁମିତ୍ରା ବିଶ୍ୱାଳ ସହାୟତା କରୁଛନ୍ତି । ଦଶହରା ଦିନ ମା’ବଉଳାଶୁଣୀ ପଡିଆ ଠାରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ