ସାଧୁତା, ପ୍ରତିବଦ୍ଧତା, ମୂଲ୍ୟବୋଧ ଏବଂ ସ୍ୱଚ୍ଛତାର ବିରଳ ରାଜନେତା ତ୍ରିଲୋଚନ କାନୁନଗୋ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ତ୍ରିଲୋଚନ କାନୁନଗୋ ରାଜ୍ୟସ୍ତରୀୟ ସ୍ମୃତି କମିଟି’ ତରଫରୁ ଭୁବନେଶ୍ୱର ଜୟଦେବ ଭବନଠାରେ ତ୍ରିଲୋଚନ କାନୁନଗୋଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସାମ୍ବାଦିକ, ଜନପ୍ରତିନିଧି ତଥା ସକଳସ୍ତରର ଜନସାଧାରଣ ଯୋଗଦେଇ ଏହି ଲୋକପ୍ରିୟ ନେତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ଏଥିରେ ସଭାପତିତ୍ୱ କରିଥିଲେ ।ତ୍ରିଲୋଚନ କାନୁନଗୋ ଗଣତାନ୍ତ୍ରିକ ବିଚାର, ମୂଲ୍ୟବୋଧ ଏବଂ ସାଧୁତା ଆଧାରରେ ଛାତ୍ର ଜୀବନରୁ ରେଭେନ୍ସା ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି, ପରବର୍ତ୍ତୀ ସମୟରେ ବିଧାୟକ, ସାଂସଦ, କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ, ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଇତ୍ୟାଦି ଦାୟିତ୍ୱକୁ ସ୍ୱଚ୍ଛତାର ସହିତ ନିର୍ବାହ କରିଥିଲେ । ସାଧୁତା, ସ୍ୱଚ୍ଛତା, ଜନବାଦୀ ବିଚାର ଏବଂ ମୂଲ୍ୟବୋଧ ତାଙ୍କ ରାଜନୈତିକ ଜୀବନର ମୂଳ ପୁଞ୍ଜି ଥିଲା । ଜଣେ ସଚ୍ଚୋଟ, ସତ୍ୟନିଷ୍ଠ ଓ ସ୍ପଷ୍ଟବାଦୀ ରାଜନେତା ଭାବେ ତ୍ରିଲୋଚନ କାନୁନଗୋ ଓଡ଼ିଶା ରାଜନୀତିରେ ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଥିଲେ ବୋଲି ସ୍ମୃତିଚାରଣ କରି ସର୍ବଦଳୀୟ ସ୍ମୃତିସଭାରେ ବକ୍ତାମାନେ ମତପ୍ରକାଶ କରିଥିଲେ ।ସ୍ୱାଭିମାନୀ ତ୍ରିଲୋଚନ ୨୦୦୪ ପରଠାରୁ ସକ୍ରିୟ ରାଜନୀତିରୁ କ୍ରମେ ଓହରି ନିଜ ହାତଗଢା ଅଡ଼ଶପୁର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକ ଉନ୍ନତ ଏବଂ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଭାବେ ନିର୍ମାଣ କରିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଥିଲେ । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଅଡ଼ଶପୁରର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଜି ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି । ଜୀବନରେ ଶେଷ ଦୁଇ ଦଶନ୍ଧି ଅଡଶପୁର କଲେଜ ହିଁ ତାଙ୍କର କର୍ମକ୍ଷେତ୍ର ଥିଲା । ଗ୍ରାମୀଣ ଇଲାକାରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ତାଙ୍କର ବଡ଼ ଅବଦାନ ରହିଛି ।ଗଣିତର ଜଣେ ମୋଧାବୀ ଛାତ୍ର ହୋଇ ଅର୍ଥନୀତି କ୍ଷେତ୍ରରେ ତ୍ରିଲୋଚନ କାନୁନଗୋଙ୍କ ଜ୍ଞାନ ଏବଂ ପ୍ରତିଭା ବେଶ ବିକଶିତ ହୋଇଥିଲା । ଜୀବନର ଶେଷ ପର୍ଯ୍ୟନ୍ତ ନିଜ ଗାଁ ମାଟି ବଡ଼ମୂଳାଇର ଜୀବନ, ଜୀବିକା, ଗ୍ରାମର ବିକାଶ ଏବଂ ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ ଅବିରତ କାର୍ଯ୍ୟ କରିଛନ୍ତି । ବହୁଗୁଣ ସମ୍ପନ୍ନ ତ୍ରିଲୋଚନ କାନୁନଗୋ ସମସାମୟିକ ସମୟର ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଆଜିକାର ପରିସ୍ଥିତିରେ ବିପନ୍ନ ହୋଇ ପଡ଼ିଥିବା ମୂଲ୍ୟବୋଧଭିତ୍ତିକ ରାଜନୀତି, ଜନବାଦୀ ବିଚାର, ଗଣତନ୍ତ୍ର ଏବଂ ସ୍ୱାଭିମାନକୁ ପୁନଃଜାଗ୍ରତ କରିପାରିଲେ ତ୍ରିଲୋଚନ କାନୁନଗୋଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।ଏହି ସ୍ମୃତିସଭାରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଶ୍ରୀକାନ୍ତ ଜେନା, ସୁରେଶ କୁମାର ରାଉତରାୟ, ପ୍ରଫୁୁଲ୍ଲ ସାମଲ, ପ୍ରଫୁଲ୍ଲ ସାମନ୍ତରା, ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଡାକ୍ତର ଦାମୋଦର ରାଉତ, ରାଧାକାନ୍ତ ସେଠି, ପୃଥ୍ୱୀରାଜ ହରିଚନ୍ଦନ, ଅଭୟ ସାହୁ, ସୁରେଶ ପାଣିଗ୍ରାହୀ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର, ରବି ବେହେରା, ଯତିଶ ମହାନ୍ତି, ପ୍ରିମଳା, ଶେକ ଅବଦୁଲ ୱାଲି, ଗଣେଶ୍ୱର ବେହେରା, ଯଜେ୍ଞଶ୍ୱର ବାବୁ, ଉମାବଲ୍ଲଭ ରଥ, ମୀର ଅହମ୍ମଦ ଅଲ୍ଲୀ, ଭୃଗୁ ବକ୍ସିପାତ୍ର, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ନୀଳମଣି ସବୁ, ସଞ୍ଜୀବ ହୋତା, ଅଧ୍ୟାପକ ବିଶ୍ୱରଞ୍ଜନ, ଡଃ ଅରୁଣ କୁମାର ନାୟକ, ପ୍ରଭାସ ସାମନ୍ତରାୟ, କେଦାର ମିଶ୍ର, ସତ୍ୟଜିତ ମିଶ୍ର, ପ୍ରଭୁ କଲ୍ୟାଣ ମହାପାତ୍ର, ସୁଦର୍ଶନ ଦାସ, ମହେନ୍ଦ୍ର ପରିଡ଼ା, ରାମକୃଷ୍ଣ ପଣ୍ଡା, ଶିବାନନ୍ଦ ରାୟ, ପ୍ରଶାନ୍ତ ଶତପଥୀ, ଅମିୟ ପାଣ୍ଡବ, କୃଷ୍ଣଚନ୍ଦ୍ର ନାୟକ, ମାନସ ପଟ୍ଟନାୟକଙ୍କ ସମେତ ଅନେକ ରାଜନେତା, ବୁଦ୍ଧିଜୀବୀ ଏବଂ ତ୍ରିଲୋଚନ ପ୍ରେମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ