ସାମାଜିକ ସମରସତା ମଂଚ ତରଫରୁ ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ
ଭୁବନେଶ୍ୱର: ସାମାଜିକ ସମରସତା ମଂଚ ତରଫରୁ ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଅଧ୍ୟକ୍ଷ ଘନଶ୍ୟାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବାର୍ତ୍ତାର ସଂପାଦକ ପଦ୍ୟୁନ କୁମାର ଶତପଥି ମୁଖଅତିଥି , ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ରାଜେଶ ରାୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ନୀଳମଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମଂଚ ତରଫରୁ ମଂଚାସୀନ ଅତିଥି ତଥା ଉପସ୍ଥିତ ସମସ୍ତ ଭାଇ ଭଊଣୀଙ୍କ ହାତରେ ରାକ୍ଷୀ ବନ୍ଧାଯାଇଥିଲ । ପଦ୍ୟୁନ ଶତପଥି ରକ୍ଷା ବନ୍ଧନର ମହତ୍ୱ ସଂର୍ପକରେ ପ୍ରକାଶ କରିବା ସହିତ ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବିତ ହୋଇ ଆଜିର ଭାରତୀୟ ସମାଜ କିପରି ଅଧୋପତନ ଆଡକୁ ଗତି କରୁଛି ସେ ବିଷୟରେ ପ୍ରକାଶ କରିଥିଲେ । ଦେଶର କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ଗୋଟିଏ ଜାତୀୟ ପତାକା ଉତ୍ତୋଳନ ହେଲା । ଆଜି ଭାରତୀୟତା ପ୍ରତିପାଦିତ ହୋଇଛି । ସମସ୍ତେ ନିଜକୁ ଭାରତୀୟ ବୋଲି କହିଛନ୍ତି । ନଚେତ ଦିନ ଥିଲା ଭାରତୀୟତାକୁ ଖୋଜିବାକୁ ପଡୁଥିଲା । ଆଜିର ଦିନ ମଧ୍ୟ ଓଡିଶାର ଏକ ମହତ୍ୱ ଦିବସ । ଯାହାକି ଓଡିଶାର ଅସ୍ମୀତତା ସହିତ ଜଡିତ ହୋଇ ରହିଛି । ବର୍ତ୍ତମାନର ଯୁବପୀଢି ଯେକି ଦେଶର ଭବିଷ୍ୟତ ସେମାନେ ଆଜି ନିଜ ମାଟି, ମାଆ ଓ ମାତୃଭାଷାକୁ ଭୁଲି ଯାଉଛନ୍ତି । ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ରକ୍ଷା ବନ୍ଧନ ଓ ସାମାଜିକ ସମରସତା ଉପରେ ଗରୁତ୍ୱାରୋପ କରିଥିଲେ । ସେ କହିଲେ ଯେ,ସମରସତା କହିଲେ ସମ୍ପୂର୍ଣ୍ଣ ସମାଜ ହେଉଛି ଗୋଟିଏ । ସମସ୍ତେ ସମାନ । ତେଣୁ ସମସ୍ତଙ୍କୁ ସମସ୍ତ ପ୍ରକାର ଅଧିକାର ମିଳିବା ଉଚିତ୍ । ସମାନ ପ୍ରକାର ବ୍ୟବହାର ମିଳିବା ଉଚିତ । ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସେହି ପଥରେ ଚାଲିଛି । ସହଭୋଜି, ମନ୍ଦିର ପ୍ରବେଶ , ସମସ୍ତଙ୍କୁ ଶ୍ମଶାନ ଓ ଜଳାଶୟର ଉପଯୋଗ କରିବାର ଅଧିକାର ଉପରେ ସଂଘ ଗୁରୁତ୍ୱ ଦେଉଛି । ସାମାଜିକ ସମରସତା କାର୍ଯ୍ୟ ଯେତିକି ଆଗକୁ ବଢିବ ସମାଜ ସେତିକି ଏକାଠି ହୋଇ ରହିବ । ତେଣୁ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ ସମାଜରେ ବ୍ୟାପ୍ତ କରିବାକୁ ଅଛି । କେବଳ ରକ୍ଷା ବନ୍ଦନ ଦିନ ଗୋଟିଏ ଦିନ ଏହି କାମ କରିଦେଲେ ଚଳିବ ନାହିଁ । ଏହି କାମ ବର୍ଷ ସାରା ଚାଲିବ । ଏହି କାମ ଆମକୁ ସମାଜ ଭିତରକୁ ନେବାକୁ ହେବ । ପ୍ରଥମେ ଏହି କାର୍ଯ୍ୟ ଆମେ ଆମ ପରିବାର ଭିତରୁ ଆରମ୍ଭ କରିବା । ସେହି ଅବହେଳିତ ଭାଇମାନଙ୍କୁ ଆମ ଘରକୁ ଡାକିବା, ସେମାନଙ୍କ ସହିତ ସଂପର୍କ ବଢାଇବା । ଯାହାକି ଆଜିର ରକ୍ଷା ବନ୍ଧନ ସେହି ବାର୍ତା ଦେଉଛି । ଆମକୁ ସମାଜକୁ ଏକ କରିବାର ଅଛି । ସମାଜକୁ ଦୃଢ, ଶସକ୍ତ, ସଂସ୍କାରିତ କରିବା ପାଇଁ ଆଜି ସଂକଳ୍ପ କରିବାକୁ ହେବ ବୋଲି ଡ. ମିଶ୍ର ପ୍ରକାଶ କରିଥିଲେ ।


