ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩ଜଣଙ୍କୁ ଟ୍ରାଇସାଇକେଲ ଓ ଆଶାବାଡି ପ୍ରଦାନ
କେନ୍ଦ୍ରାପଡା – ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ସଦର ମହକୁମାରେ ଚାଲିଥିବା ସମୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ନକୁଳ ବେହେରାଙ୍କ ଭିନ୍ନକ୍ଷମ ଝିଅ ସରସ୍ୱତୀ ବେହେରା ଓ ଡେରାବିଶି ବ୍ଲକ ଅନ୍ତର୍ଗତ କୁଆପଡା ଗ୍ରାମର ଭାଗବତ ଜେନାଙ୍କ ଭିନ୍ନକ୍ଷମ ପୁଅ ଫଗୁ ଚରଣ ଜେନାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ଗ୍ରାମର ବିଦ୍ୟାଧର ତ୍ରିପାଠୀଙ୍କ ଭିନ୍ନକ୍ଷମ ଝିଅ ଦମୟନ୍ତୀ ତ୍ରିପାଠୀଙ୍କୁ ଆଶାବାଡି ପ୍ରଦାନ କରାଯାଇଛି । ଏଥିସହିତ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଏରଡାଙ୍ଗ ଗ୍ରାମର କିନ୍ନର ଲିପସା ପରିଡାଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଭୂବନେଶ୍ୱରର ମେସର୍ସ କେଆର ସିକୁରିଟିଆଣ୍ଡ ଆଲାଏଡ ସର୍ଭିସେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲପ ଡେସ୍କ ଭଲ୍ୟୁଂଟିୟର ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


