ସାରସ୍ୱତ ପ୍ରତିଭାଙ୍କୁ ଶହୀଦ୍ ରଘୁ-ଦିବାକର ସ୍ମୃତି ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ୍ ହୋଇଥିବା ନୟାଗଡ଼ ମାଟିର ବୀର କବି, ବିପ୍ଳବୀ ଶହୀଦ୍ ରଘୁ-ଦିବାକରଙ୍କର ୮୨ତମ ବଳିଦାନ ଦିବସ ସ୍ଥାନୀୟ ୟୁନିଟ୍-୯ ପ୍ରତିମୂର୍ତ୍ତିସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ରଘୁ-ଦିବାକର ସ୍ମୃତି ସଂସଦ ପକ୍ଷରୁ ପ୍ରର୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଶହୀଦ୍ ରଘୁ-ଦିବାକରଙ୍କର ମା\’ ମାଟି ଓ ମାତୃଭାଷା ପାଇଁ ଅବଦାନ ଅତୁଳନୀୟ । ତତ୍କାଳୀନ ଅତ୍ୟାଚାରୀ ରାଜାଙ୍କ କବଳରୁ ସାଧାରଣ ପ୍ରଜାଙ୍କୁ ମୁକ୍ତି ଦେବାରେ ତାଙ୍କର ବଳିଦାନ ଆଜି ବି ଚିରସ୍ମରଣୀୟ ହୋଇରହିଛି । ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରକାରଙ୍କ ସଂସ୍କୃତି ଅନୁସଚିବ ଲକ୍ଷ୍ମୀଧର ବେହେରା, ପ୍ରବୀର ମହାନ୍ତି, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ସୁରେନ୍ଦ୍ର ସାହୁ ଯୋଗଦେଇ ଶହୀଦ୍ଙ୍କ ସ୍ମୃତିଚାରଣ କରିବା ସହିତ ଆଜିର ଯୁବପୀଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସାରସ୍ୱତ ପ୍ରତିଭାଧାରୀ ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରାଧ୍ୟାପିକା ବୀଣା ମିଶ୍ର, ଶିକ୍ଷୟିତ୍ରୀ ସୁକାନ୍ତି ପଣ୍ଡା, ଗବେଷକ ଲବଣେଶ୍ୱର ବାରିକ, ସମାଜସେବୀ ନିରଞ୍ଜନ ପରିଡ଼ା, ଦିନେଶ କୁମାର ସ୍ୱାଇଁ, ଲେଖିକା ମନିଷା ରାୟ ଏବଂ ‘ବୋଉ’ର ସଂପାଦକ ସଂଜୟ କୁମାର ଚୌଧୁରୀଙ୍କୁ ଶହୀଦ୍ ରଘୁ-ଦିବାକର ସ୍ମୃତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସଂଯୋଜନା କରିଥିବାବେଳେ ପ୍ରମୁଖ ସହଯୋଗ କରିଥିଲେ ସତ୍ୟବ୍ରତ, ନାରାୟଣ ଖୁଣ୍ଟିଆ ଓ ସରୋଜ ପଟ୍ଟନାୟକ ।


