ସାଢ଼େ ୮ କେଜି ଗଞ୍ଜେଇ ଜବତ ଜଣେ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା) : ଭୁବନେଶ୍ୱରରୁ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ରେମୁଣା ଜାନୁଗଞ୍ଜ ଗୋଲେଇଠାରେ ଜନୈକ ବିହାରୀ ବ୍ୟକ୍ତିଙ୍କୁ ମଙ୍ଗଳବାର ଗିରଫ କରିଛି ବାଲେଶ୍ୱର ଅବକାରୀ ଟିମ । ତାଙ୍କଠାରୁ ସାଢ଼େ ୮କେଜି ଗଞେଇ ଜବତ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ବିହାର ଗୋପାଳଗଞ୍ଜ ଅଞ୍ଚଳର ଭୋଲାଦେବ ସିଂହଙ୍କ ପୁତ୍ର ରାଜଦେବ ସିଂହ(୫୪) । ଭୁବନେଶ୍ୱରରୁ ଗଞ୍ଜେଇ ଆଣି ରେମୁଣ ଗୋଲେଇରେ ସେ ଓହ୍ଲାଇଥିଲେ । ସେଠାରୁ କୌଣସି ଲାଇନ ଟ୍ରକରେ ଯିବା ପାଇଁ ଉଦ୍ୟମ କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ସଦର ସବ-ଇନସ୍ପେକ୍ଟର ବାଳକ ବିସିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି ରାଜଦେବକୁ ଗିରଫ କରିଥିଲା । ଫୁଲବାଣୀରୁ ଗଞ୍ଜଇ ଆସି ଭୁବନେଶ୍ୱରରେ ମହଜୁଦ ରହୁଥିବା ବେଳେ ସେଠାରୁ ଅନ୍ୟାନ୍ୟ ସ୍ଥାନକୁ ଚାଲାଣ କରାଯାଉଥିବା ନେଇ ପଚରାଉଚୁରା ବେଳେ ଗିରଫ ଅଭିଯୁକ୍ତ ରାଜଦେବ ସୂଚନା ଦେଇଛି । ଏନେଇ ଅବକାରରୀ ବିଭାଗ ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।


