ସିୟୁଟିଏମରେ ଛାତ୍ର ଅସନ୍ତୋଷ ଓ ଉତ୍ତେଜନା, ପୋଲିସକୁ ମାଡ଼

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ ଆର୍.ସୀତାପୁର ଗ୍ରାମ ନିକଟରେ ଥିବା ସେଞ୍ଚୁରିୟନ ବିଶ୍ବ ବିଦ୍ୟାଳୟରେ କୌଣସି କାରଣକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇ ବେଶ ଉତ୍ତେଜନା ସୃଷ୍ଟି ହୋଇଛି. ଘଟଣା ନେଇ ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ନାଥ ପାତ୍ର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସିୟୁଟିୟମ କ୍ୟାମ୍ପସରେ ପୋଲିସ ସଜାଗ ରହିଛନ୍ତି. ସମ୍ପୃକ୍ତ ଘଟଣା ନେଇ ୬ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି. ଘଟଣାରୁ ପ୍ରକାଶ, ଶନିବାର ବିଳମ୍ବିତ ରାତ୍ର ସମୟରେ ଛାତ୍ରମାନେ ଉତ୍ତେଜିତ ହୋଇ କ୍ୟାମ୍ପସ ମଧ୍ୟରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ସୂଚନାମୁତାବକ ରାତ୍ର ସମୟରେ ଛାତ୍ରମାନେ ସଂଘବଦ୍ଧ ହୋଇ ସିୟୁଟିଏମ୍ କ୍ୟାମ୍ପସରେ ହୋ ହାଲ୍ଲା କରୁଥିଲେ । ତେବେ ଏପରି କାହା ବିରୋଧରେ ଅସନ୍ତୋଷ ପ୍ରକଟ କରୁଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡି ନଥିଲେ ମଧ୍ୟ ଗୁରାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଆୟତ୍ତ କଲାବେଳେ କେତେକ ଅଣ ଓଡିଆ ତଥା ବାହାର ରାଜ୍ୟ ଛାତ୍ରମାନେ ପୋଲିସକୁ ଅତର୍କିତ ଭାବେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଜଣେ କନେଷ୍ଟବଲଙ୍କୁ ନିର୍ଧୁମ ମାଡ ମାରିଥିବା ବେଳେ ଜଣେ ଏଏସ୍ଆଇଙ୍କୁ ଟଣା ଓଟରା କରିଥିଲେ । ଏହାପରେ ପାରଳାଖେମୁଣ୍ଡି ଠାରୁ ପୋଲିସ୍ ଫୋର୍ସ ପହଞ୍ଚି ଉତ୍ତେଜିତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ । ହେଲେ କୌଣସି କାରଣରୁ ଉତ୍ତେଜିତ ଥିବା ଛାତ୍ରମାନେ ପଛଘୁଞ୍ଚା ଦେଇନଥିଲେ ମଧ୍ୟ ପୋଲିସ ଛାତ୍ରମାନଙ୍କୁ ଘୋଡାଇବାରୁ ସେମାନେ ନିଜ ନିଜ କ୍ୟାମ୍ପସ ମଧ୍ୟକୁ ଯାଇଥିଲେ । ଏପରି କି କିଛି ଛାତ୍ର ପୋଲିସ ମାଡ ମାରିଥିବାର କହି ଭିଡିଓ ଭାଇରାଲ କରିଛନ୍ତି । ତେବେ ଏନେଇ ନା ସିୟୁଟିଏମ୍ କର୍ତ୍ତୃପକ୍ଷ ନା ପୋଲିସ କ୍ୟାମେରା ଆଗରେ ମୁହଁ ଖୋଲୁ ନାହାନ୍ତି । ଆଜି ମଧ୍ୟ ସିୟୁଟିଏମ୍ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ଛାତ୍ରମାନେ କାହା ବିରୁଦ୍ଧରେ ସ୍ବରଉତ୍ତଳନ କରୁଥିଲେ, କାହିଁକି ଅଧାରାତ୍ରରେ କ୍ୟାମ୍ପସରେ ହାଙ୍ଗାମା କରୁଥିଲେ ତାର କୌଣସି ସଠିକ ଉତ୍ତର କାହାରି ପାଖରେ ନାହିଁ । ହେଲେ ଉତ୍ତେଜିତ ଛାତ୍ରଙ୍କ ଦ୍ବାରା ମାଡ ଖାଇଥିବା ପୋଲିସ କଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଗ୍ରହଣ କରୁଛି ତାହା ଦେଖିବାକୁ ରହିଲା । ପ୍ରକାଶ ଯେ, ଏହି ସିୟୁଟିଏମ୍ ବିଶ୍ବବିଦ୍ୟାଳୟ ବୈଷୟିକ ଜ୍ଞାନ କୌଶଳ ପାଠ୍ୟ ଦାନରେ ବହୁ ଖ୍ୟାତି ଲାଭ କରିଛି । ଶୃଙ୍ଖଳିତ ଶିକ୍ଷାଦାନରେ ଖ୍ୟାତି ଅର୍ଜନ କରିଥିବା ଏହି ବିଶ୍ବବିଦ୍ୟାଳୟର ଛାତ୍ରମାନେ କାହିଁକି ଉତ୍ତେଜିତ ହୋଇ ପୋଲିସକୁ ଲହୁଲୁହାଣ କରିଛନ୍ତି ତାହାକୁ ନେଇ ସାଧାରଣରେ ନାନାଦି ଆଲୋଚନା ହେଉଛି । ଗୁରାଣ୍ଡି ଥାନା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଘଟଣା ନେଇ କେଶ ନଂ ୩୩/୨୪ ରେ ମକଦ୍ଦମା ରୁଜୁ କରିବା ସହ ଘଟଣା ନେଇ୬ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ