ଖଟ୍ଟାର ସରକାରର ପତନ
ଅଷ୍ଟାଦଶ ଲୋକସଭା ନିର୍ବାଚନରେ ୪୦୦ ଆସନ ଅକ୍ତିଆର ଟାର୍ଗେଟ ପୂରଣ ପାଇଁ ବିଜେପି ଦେଶବ୍ୟାପୀ ବିରୋଧି ଦଳମାନଙ୍କୁ ଏନଡିଏରେ ସାମିଲ କରି ମେଂଟ ଗଢିବାକୁ ପ୍ରୟାସ ଜାରି ରଖିଥିବାବେଳେ ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କ ନେତୃତ୍ୱରେ କ୍ଷମତାସୀନ ମିଳିତ ସରକାରର ଜନନାୟକ ଜନତା ପାର୍ଟି(ଜେଜେପି) ଓହରିଯିବା ସାଂପ୍ରତିକ ସମୟରେ ଏକ ଅବଶ୍ୟମ୍ଭାବୀ ଘଟଣା ବୋଲି କୁହାଯାଇପାରେ । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେବଳ ବିଜେପି-ଜେଜେପି ମେଂଟ ଭାଙ୍ଗି ନାହିଁ, ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ହରିଆନାରେ କ୍ଷମତାସୀନ ଥିବା ଖଟ୍ଟାର ସରକାରର ପତନ ଘଟିଛି । କେବଳ ଏତିକି ନୁହେଁ, ନିଜର ରାଜନୈତିକ ସମର୍ଥନ ସ୍ଥିତିକୁ ସୁଦୃଢ କରିବା ତଥା ସଂଗଠନକୁ ଦୃଢ କରିବା ପାଇଁ ଜେଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଏ । କହିବା ବାହୁଲ୍ୟ ଯେ, ହରିଆନାର କୃଷକ ବର୍ଗ ତଥା ଜାଠ ସଂପ୍ରଦାୟର ସମର୍ଥନ ଉପରେ ଜେଜେପି ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ବିଜେପି ଉଭୟ ଜାଠ ଓ ଅଣ-ଜାଠ ସଂପ୍ରଦାୟର ସମର୍ଥନ ପାଇଁ ପ୍ରୟାସ ଜାରି ରଖିଛି । ବୋଧହୁଏ ଭୋଟ ବେସ୍କୁ ନେଇ ପାଂଚ ବର୍ଷିଆ କାର୍ଯ୍ୟକାଳ ପୁରିବାର ଅବ୍ୟବହିତ ପୂର୍ବରୁ ତଥା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦୁଇଦିନ ମଧ୍ୟରେ ମତଭେଦର କାରଣ ହୋଇଛି । ଯାହାର ପରିଣତି ସ୍ୱରୁପ ଖଟ୍ଟାର ସରକାରର ପତନର କାରଣ ହୋଇଛି । ଅନ୍ୟପକ୍ଷରେ ମେଂଟ କରି ନିର୍ବାଚନ ଲଢିବା , ଅଣ-ଜାଠ ଏବଂ ଜାଠ ସଂପ୍ରଦାୟର ଭୋଟ ତଥା ସମର୍ଥନ ହାସଲ ବିଜେପି ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବା ଆଶକଙ୍କା ମଧ୍ୟ ରହିଥିଲା । ଏହା ନିସନ୍ଦେହ ଯେ, ବିଜେପି, ଜେଜେପି ମେଂଟ କୌଣସି ଆଦର୍ଶଗତ ଭିତିଭୂମି ନେଇ ଗଠିତ ହୋଇନଥିଲା । ବରଂ କଂଗ୍ରେସକୁ କ୍ଷମତାକୁ ଦୂରେଇ ରଖିବା ପାଇଁ ବିଜେପି ଜେଜେପି ସହ କେବଳ ସରକାର ଗଢିବା ପାଇଁ ମେଂଟ ଗଠନ କରିଥିଲା । ନିର୍ବାଚନ ଲଢିବା ପାଇର୍ ମେଂଟ ଗଠିତ ହୋଇନଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଖଟ୍ଟାର ସରକାରର ପତନ ପରେ ଲୋକସଭା ସଦସ୍ୟ ନାୟକ ସିଂହ ସୈନୀଙ୍କ ନେତୃତ୍ୱରେ ସ୍ୱାଧିନ ସରକାରଙ୍କ ସମର୍ଥନରେ ନୂତନ ସରକାର ଗଠିତ ହୋଇଛି । ରାଜ୍ୟଶାଖା ବିଜେପିର ସଭାପତି ନାୟବ ସିଂହ ଜଣେ ପଛୁଆ ବର୍ଗର ଟାଣୁଆ ନେତା ଭାବେ ପରିଚିତ । ଉଲ୍ଳେଖଯୋଗ୍ୟ ଯେ, ହରିଆନାର ଭୋଟ ଜନସଂଖ୍ୟାର ୪୦ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ରାଜ୍ୟରେ ସରକାରୀ ବିରୋଧି ଭୋଟକୁ ନାୟବ ସିଂହଙ୍କ ନେତୃତ୍ୱ ମୁକାବିଲା କରି ପ୍ରଥମେ ଲୋକସଭା ଓ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳକୁ ବିଜୟୀ କରିବାରେ ସହାୟକ ହେବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିବା ଜଣାଯାଇଛି । ସେହିପରି ଉତର ହରିଆନା ଅଂଚଳ, ଯେଉଁ ଅଂଚଳରେ ଅଣ-ଜାଠ ସଂପ୍ରଦାୟର ବେଶ୍ ପ୍ରଭାବଶାଳୀ ଏବଂ ଦବଦବା ରହିଛି । ସେଠାରେ ଦଳର ରାଜନୈତିକ ବେସ୍କୁ ସୁଦୃଢ କରିବାରେ ନାୟବ ସିଂହଙ୍କ ନେତୃତ୍ୱ ସହାୟକ ହେବା ନେଇ ଦଳ ଲକ୍ଷ୍ୟ ରଖିଛି । ଏହା ସତ୍ୟ ଯେ, ହରିଆନାରେ କୃଷକ ଏବଂ ଜାତିଭିତିକ ଦବଦବା ସର୍ବଦା ରାଜାନୀତିରେ ରହିଆସିଛି । ତେବେ ଜାଠ ସଂପ୍ରଦାୟ ହରିଆନା ରଜ।।ନୀତିରେ ସର୍ବଦା ବେଶ୍ ପ୍ରଭାବଶାଳୀ ବିବେଚିତ ହୋଇଆସିଛି । ଉଲ୍ଳେଖ କରାଯାଇପାରେ ଯେ, ସଂରକ୍ଷଣ ଦାବିରେ ୨୦୧୬ରେ ଜାଠ ସଂପ୍ରଦାୟର ହିଂସାତ୍ମକ ଆନ୍ଦୋଳନ ସଂପ୍ରଦାୟକୁ ଏକଜୁଟ କରିବା ସହ ରାଜ୍ୟ ରାଜନୀତିରେ ମଧ୍ୟ ବେଶ ପ୍ରଭାବଶାଳୀ ହୋଇରହିଛି । ଅତୀତରେ ମଧ୍ୟ ସ୍ୱର୍ଗତ ଦେବୀ ଲାଲଙ୍କ ଅମଳରେ ଜାଠ ସଂପ୍ରଦାୟର ଦବଦବା ହରିଆନା ରାଜନୀତିକୁ ପ୍ରଭାବିତ କରି ରହିଥିଲା । ଉଲ୍ଳେଖଯେଗ୍ୟା ଯେ, ୩୬ଟି ଜାତି ତଥା ସଂପ୍ରଦାୟର ଭିତିଭୂମି ଉପରେ ହରିଆନାର ଭୂମି ରହିଛି । ଜାଠ ସମେତ ସୈନୀ, ବ୍ରାହ୍ମଣ, ଯାଦବ ଏବଂ ପଂଜାବୀ ସଂପ୍ରଦାୟର ପ୍ରଭାବ ମଧ୍ୟ ରାଜ୍ୟ ରାଜନୀତିରେ କିଛି କମ ନୁହେଁ । କହିବା ବାହୁଲ୍ୟ ଯେ, ସ୍ୱର୍ଗତ ଦେବୀ ଲାଲଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଜାତୀୟ ଲୋକଦଳ(ଆଇଏନଏଲଡି)ର ଏକ ବିଭାଜିତ ଅଂଶ ହେଉଛି ଜେଜେପି । ୨୦୧୯ ବିଧାନସଭାର ନିର୍ବାଚନରେ ବିଜେପି ବିରୁଦ୍ଧରେ ଜେଜେପି ନିର୍ବାଚନ ଲଢିଥିଲେ ମଧ୍ୟ ଶେଷରେ ମିଳିତ ସରକାରରେ ସାମିଲ ହୋଇଥିଲା । ୯୦ଜଣିଆ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ମାତ୍ର ୪୦ଟି ଆସନରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିଲା । ୧୦ଟି ଆସନରେ ଜେଜେପି ବିଜୟୀ ହୋଇ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଏହା ନିସନ୍ଦେହ ଯେ, ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟଦାତାଙ୍କ ଆସ୍ଥାଭାଜନ ହେବା ପାଇଁ ଉଭୟ ବିଜେପି ଓ ଜେଜେପି ସେମାନଙ୍କ ସ୍ଥିତି ସୁରକ୍ଷିତ ରଖିବା ପାଇଁ ପୃଥକ ଭାବେ ତୁଷ୍ଟିକରଣ ରାଜନୀତି ମୁହାଁ ହୋଇଛନ୍ତି ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯


