ସୁଦର୍ଶନଙ୍କ ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ତଥା ବିପ୍ଲବୀ ନେତା ସୁଦର୍ଶନ ପ୍ରଧାନଙ୍କର ଗତ ଜୁଲାଇ ୧୧ ତାରିଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯିବା ଘଟଣା ରାଜ୍ୟର ପ୍ରାୟ ସବୁ ରାଜନୈତିକ ଦଳର ନେତା ତଥା ବୁଦ୍ଧିଜୀବୀ ମହଲକୁ ଶୋକାପ୍ଲୁତ କରିଛି । ଗୁରୁବାର ସନ୍ଧ୍ୟାରେ ରାଜଧାନୀରେ ଅଧିକାଂଶ ରାଜନୈତିକ ଦଳର ନେତା ଓ ବୁଦ୍ଧିଜୀବୀ ସ୍ଥାନୀୟ ନେତାଜୀ ଭବନ, ଫରୱାର୍ଡ଼ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ପ୍ରଥମେ ଉପସ୍ଥିତ ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ସୁଦର୍ଶନପ୍ରେମୀ ଜନତା ସୁଦର୍ଶନଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସମସ୍ତେ ନିଜ ନିଜ ଆସନରେ ଛିଡ଼ାହୋଇ ଦିବଂଗତ ଆତ୍ମାର ସଦ୍ଗତି ନିମିତ୍ତ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡ଼ି ନେତା ରବି ସାମଲ, କଂଗ୍ରେସ ନେତା ଅମିୟ ପାଣ୍ଡବ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ସିପିଆ(ଏମ୍-ଏଲ୍) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଫରୱାର୍ଡ଼ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜନୈତିକ କର୍ମୀ ନିରଞ୍ଜନ ମହାନ୍ତି, ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ବିଶିଷ୍ଟ ସାମାଜିକ କର୍ମୀ ମନୋଜ ଜେନା, ବାସୁଦେବ ଭଟ୍ଟ, ଦେବୀ ପ୍ରସାଦ ପୃଷ୍ଟି, ତପନ ମିଶ୍ର, ପ୍ରସନ୍ନ ବିଶୋଇ, ମମତା ସାମନ୍ତରାୟ, ରାଜେଶ ଦାସ, ମହମ୍ମଦ ସୁକ୍ରୁ, ଡଃ ଉଲ୍ଲାସ ଦାସ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ସମାଜବାଦୀ ପାର୍ଟି ନେତା ସଞ୍ଜୟ ନାୟକ, ଯୁବନେତା ଅରବିନ୍ଦ ମହାନ୍ତି, ଦେବେନ୍ଦ୍ର ସ୍ୱାଇଁ, ତଥାଗତ ନାୟକ ଓ ଦେବାଶିଷ ମହାପାତ୍ର ପ୍ରମୁଖ ନିଜ ଶୋକବାର୍ତ୍ତାରେ ଦିବଂଗତ ସୁଦର୍ଶନ ପ୍ରଧାନଙ୍କୁ ଜଣେ ଉଦୀୟମାନ, ବିଚକ୍ଷଣ ତଥା ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରି ତାଙ୍କ ସ୍ଥାନ ଓଡ଼ିଆ ରାଜନୀତିରେ ଚିରଦିନ ଅପୂରଣୀୟ ହୋଇ ରହିବ ବୋଲି କହିଥିଲେ ।ବକ୍ତାମାନେ ସୁଦର୍ଶନଙ୍କ ମୃତ୍ୟୁକୁ ଏକ ଆକସ୍ମିକ ବଜ୍ରପାତ ବୋଲି ପ୍ରକାଶ କରିବା ସହିତ ସୁଦର୍ଶନ ରାଜନୈତିକ ଦଳ ମତ ନିର୍ବିଶେଷରେ ସାତରୁ ସତୁରୀ ସମସ୍ତଙ୍କ ସୁଖଦୁଃଖରେ ଛିଡ଼ା ହେଉଥିବା କାରଣରୁ ଅତି ଲୋକପ୍ରିୟ ଥିଲେ ବୋଲି କହିଥିଲେ । ଏହି ସଭାରେ ସୁଦର୍ଶନ ପ୍ରଧାନଙ୍କ ସମସ୍ତ କବିତାକୁ ନେଇ ଏକ ପୁସ୍ତକ ପ୍ରକାଶ କରିବା ସହିତ ଆଗାମୀ ୨୨ ତାରିଖରେ ସୁଦର୍ଶନ ପ୍ରଧାନଙ୍କ ସ୍ମୃତିରେ ସବୁଦଳର ନେତା ତଥା ବୁଦ୍ଧିଜୀବୀମାନଙ୍କ ସହଯୋଗରେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବା ସହ ତାଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶିତ ହେବ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଘୋଷଣା କରିଥିଲେ । ଏକ ରାଜ୍ୟସ୍ତରୀୟ ସୁଦର୍ଶନ ପ୍ରଧାନ ସ୍ମୃତି କମିଟି ଗଠନ କରାଯିବା ପାଇଁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।


