ସୁନାବେଶରେ ଦର୍ଶନଦେଲେ ବ୍ରହ୍ମାଣ୍ଡପତି

ପୁରୀ: ବ୍ରହ୍ମାଣ୍ଡପତି, ସାରା ଜଗତର ମହାନାୟକ, ତିଭୁବନ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥ ପବିତ୍ର ଶ୍ରୀକ୍ଷେତ୍ର ଧାମରେ ନିଜ ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗ୍ନୀ ସୁଭଦ୍ରାଙ୍କ ସହ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ପରମ୍ପରା ଅନୁସାରେ ପ୍ରତି ବର୍ଷ ଆଷାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ରଥ ଉପରେ ସୁନାବେଶ ବା ବଡ଼ ତଡ଼ାଉ ବେଶ ହୋଇଥାଏ । ଶ୍ରୀମନ୍ଦର ରତ୍ନଭଣ୍ଡାରରୁ ସ୍ୱର୍ଣ୍ଣାଳଙ୍କାର ଅଣାଯାଇ ଶ୍ରୀଜିଉଙ୍କୁ ସଜ୍ଜିତ କରାଯାଇଥାଏ । ସେବାୟତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କୁ ଦର୍ପଦଳନରେ ସୁନାବେଶ କରାଇ ଥାଆନ୍ତି । ଆଜି ଅପରାହ୍ନ ୪ଟାରୁ ଏହି ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇ ସଂଧ୍ୟା ୬ଟା ପାଖାପାଖି ସମ୍ପୂର୍ଣ୍ଣ ହୋଇଛି । ତିନି ରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସୁନାବେଶରେ ବିରାଜମାନ କରି ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ । ଚଳିତ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଥିବାରୁ ଏଥିପୂର୍ବରୁ ମଧ୍ୟ ସୁନାବେଶ ଅବଧି ସମାପ୍ତ ହୋଇପାରେ । ଶ୍ରୀଜୀଉମାନଙ୍କୁ ପ୍ରାୟ ୨୦୦ କିଲୋ ସୁନା ଅଳଙ୍କାରରେ ଅଳଙ୍କୃତ କରାଯାଇଛି । ରଥ ଉପରେ ବର୍ଷକରେ ଥରଟିଏ ସୁନାବେଶ କରାଯାଉଥିବାରୁ ଏହାର ଭିନ୍ନ ଗୁରୁତ୍ୱ ରହୁଛି । ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରିଥାନ୍ତି । କାରଣ ରଥ ଉପରେ ଶ୍ରୀଜିଉଙ୍କର ଏହି ମନଲୋଭା ବେଶ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ