ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ପାଲଟିଲା “ଛିଛୋରେ’
ମୁମ୍ବାଇ :ସେପ୍ଟେମ୍ବର ୬, ୨୦୧୯ରେ ରିଲିଜ୍ ହୋଇଥିଲା ଫିଲ୍ମ “ଛିଛୋରେ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । କଲେଜ ଜୀବନକୁ ନେଇ ଫିଲ୍ମର କାହାଣୀ ପର୍ଯ୍ୟବେସିତ ହୋଇଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଥିବା ଜଣା ପଡ଼ିଛି । ଫିଲ୍ମଟି ଅଭିନେତା ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ବୋଲି କୁହାଯାଇଛି । ଏହା ତାଙ୍କର “ଏମ୍ଏସ୍ ଧୋନି : ଦ ଅନଟୋଲ୍ଡ ଷ୍ଟୋରୀ’ର ରେକର୍ଡକୁ ଭାଙ୍ଗିଥିବା କହିଛନ୍ତି ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ । ସେ କରିଥିବା ଟୁଇଟ୍ ଅନୁଯାୟୀ, ଫିଲ୍ମଟି ୧୯ଦିନ ମଧ୍ୟରେ ୧୩୩.୫୩ କୋଟି ଟଙ୍କା ଆୟ କରିଥିବା ବେଳେ ଫିଲ୍ମ “ଏମ୍ଏସ୍ ଧୋନି : ଦ ଅନଟୋଲଡ ଷ୍ଟୋରୀ’ଟି ୧୩୩.୦୪ କୋଟି ଟଙ୍କା ଆୟ କରିଥିଲା । ୧୯ଦିନ ମଧ୍ୟରେ ୧୩୩.୫୩ କୋଟି ଟଙ୍କା ଆୟ କରି ସୁଶାନ୍ତ ନିଜ ରେକର୍ଡକୁ ହିଁ ଭାଙ୍ଗିଛନ୍ତି ।


