ସେନାରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମଞ୍ଜୁର
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ ପିସି ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି । ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ । ଏହି ଆଦେଶରେ ସର୍ଟ ସର୍ଭିସ କମିଶନ ଏସଏସସିରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ଏଏଡି ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର ଇଏମଇ, ଆର୍ମୀ ସର୍ଭିସ କୋର ଏଏସସି, ଆର୍ମୀ ଆର୍ଡିନାନ୍ସ କୋର ଏଓସି ଏବଂ ଇଣ୍ଟେଲିଜେନ୍ସ କୋର ଇତ୍ୟାଦିର ମହିଳା ଅଧିକାରୀମାନଙ୍କୁ ପରମାନେଣ୍ଟ କମିଶନ ଦିଆଯାଇଛି । ଏହାଛଡା ଆର୍ମୀ ଏଜୁକେସନ କୋର ଏଇସି, ବିଚାରପତି ବା ମହାଅଧିବକ୍ତାରେ ଥିବା ମହିଳା ଅଧିକାରୀମାନେ ମଧ୍ୟ ପରମାନେଣ୍ଟ କମିଶନ ପାଇବେ । ସେନାମୁଖ୍ୟାଳୟ ଏଥିପାଇଁ ଏକ ପରମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରିଛି । ଏଥିରେ ମହିଳା ଅଧିକାରୀମାନଙ୍କର ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ସମାପିତ ହେବ । ଭାରତୀୟ ସେନା ଦେଶ ରକ୍ଷାରେ ନିୟୋଜିତ ମହିଳା ଆଧିକାରୀଙ୍କ ସମେତ ସମସ୍ତଙ୍କୁ ସମାନ ସୁବିଧା ଦେବାପାଇଁ ଅଙ୍ଗୀକାରବଦ୍ଧ ବୋଲି ସେନା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।


