ସେବନ କରନ୍ତୁ ଦହି ସହିତ ଭଜା ଜିରା

ଦହି ଏପରି ଏକ ଜିନିଷ, ଯାହା ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକେ ଏହାକୁ ସକାଳ, ସନ୍ଧ୍ୟା ଓ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ସାମିଲ କରନ୍ତି। ଏଥିରେ ଯଦି ଏକ ଚାମଚ ଭଜା ଜିରା ଗୁଣ୍ଡ ମିଶାଇ ସେବନ କରିବେ, ଏହା ଅଧିକ ସ୍ବାଦିଷ୍ଟ ଲାଗିଥାଏ। କେବଳ ଏତିକି ନୁହେଁ, ଏହି ଦୁଇଟି ମିଶ୍ରଣ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଚାଲନ୍ତୁ ଜାଣିବା ଦହି ଓ ଭଜା ଜିରା କିପରି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ଭୋକ ବଢ଼ାଇବାରେ କରିଥାଏ ସାହାଯ୍ୟ : ଦହି ଓ ଭଜା ଜିରା ସେବନ କରିବା ଦ୍ବାରା ଏହା ଭୋକ ବଢ଼ାଇବାରେ ସାହାଯ୍ୟ କରେ। ଯେଉଁ ଲୋକମାନେ ଓଜନ ବଢ଼ାଇବାକୁ କିମ୍ବା ବଡିବିଲ୍ଡିଂ କରିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ଲାଭଦାୟକ ହୋଇଥାଏ। ଯେଉଁ ଲୋକମାନଙ୍କର ଭୋକ ନ ଲାଗିବା ସମସ୍ୟା ରହିଛି, ସେମାନେ ମଧ୍ୟ ଦହିରେ ଭଜା ଜିରା ମିଶାଇ ସେବନ କରିପାରିବେ। କାରଣ ଦହି ଓ ଜିରାରେ ଏପରି ଗୁଣ ରହିଛି, ଯାହା ଶରୀରରେ ପାଚନ କ୍ରିୟା ବଢ଼ାଇଥାଏ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ : ଅନେକ ଲୋକେ କୋଷ୍ଠକାଠିନ୍ୟ ସମସ୍ୟାରେ ପଡ଼ିଥାନ୍ତି। ଆଜିକାଲି ଯୁବପିଢ଼ିଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଦହି ଓ ଜିରାରେ ପ୍ରଚୁର ମାତ୍ରାରେ ଫାଇବର ରହିଛି, ଯାହା ହଜମ କ୍ରିୟାକୁ ସୁସ୍ଥ ରଖେ। ତେଣୁ ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଆପଣ ଚାହିଲେ ଦହିରେ ଲସି ତିଆରି କରି ସେଥିରେ ଭଜା ଜିରା ମିଶାଇ ସେବନ କରିପାରିବେ।
ଉତ୍ତମ ବ୍ୟାକ୍ଟେରିଆ ମିଳିଥାଏ : ସମସ୍ତେ ଜାଣନ୍ତି ଆମ ପେଟରେ ହିଁ ଅନେକ ରୋଗ ଜନ୍ମ ନେଇଥାଏ। ତେଣୁ ଏଠାରେ ଯଦି ଉତ୍ତମ ବ୍ୟାକ୍ଟେରିଆ ରହନ୍ତି, ତେବେ ଆମ ପେଟ ସୁସ୍ଥ ରହିବ ଓ ଆମେ ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବା। ଦହିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ଏଥିପାଇଁ ମଧ୍ୟ ସାହାଯ୍ୟ କରିଥାଏ।
ସୁସ୍ଥ ରଖେ ଆଖି: ଦହି ଓ ଜିରାରେ ଭିଟାମିନ୍ ଏ’ର ଉତ୍ତମ ସ୍ରୋତ ରହିଛି ନ୍ୟାସନାଲ ସେଣ୍ଟରର ବାୟୋଟେକ୍ନୋଲୋଜି ଇନଫରମେସନ ମଧ୍ୟ ସ୍ପଷ୍ଟ କରିଛି ଯେ ଦହି ଓ ଜିରା ସେବନ କରିବା ଦ୍ବାରା ଦୃଷ୍ଟିଶକ୍ତି ବଢ଼ାଇ ଥାଏ।
ସନ୍ତୁଳନରେ ରଖେ ରକ୍ତଚାପ : ଉଚ୍ଚ ରକ୍ତଚାପରୁ ରକ୍ଷା ପାଇବା ଲାଗି ଦହି ଓ ଭଜା ଜିରା ଏକ ଉତ୍ତମ ଔଷଧୀ ବୋଲି କୁହାଯାଏ। ଦହି ଓ ଜିରାରେ ମ୍ୟାଗ୍ନେସିୟମ ରହିଛି। ଏହା ରକ୍ତଚାପକୁ ସନ୍ତୁଳିତ ରଖିବା ପାଇ ଏକ ଆବଶ୍ୟକୀୟ ପୋଷକତତ୍ତ୍ବ। ତେଣୁ ଏହି ଦୁଇଟିକୁ ସେବନ କରିବା ଦ୍ବାରା ରକ୍ତଚାପ ସନ୍ତୁଳନ ରହିବାରେ ସାହାଯ୍ୟ ମିଳିଥାଏ।
ମଧୁମେହରୁ ରକ୍ଷାମିଳେ : ବର୍ତ୍ତମାନ ସମୟରେ କୋଟି କୋଟି ଲୋକେ ମଧୁମେହ ସମସ୍ୟାରେ ପୀଡ଼ିତ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଲୋକେ ନିଜର ଖାଦ୍ୟପେୟ ପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି। ଏହି କାରଣରୁ ଶରୀରର ସୁଗାର ଲେବଲ ବଢ଼ି ଯାଇଥାଏ। ଫଳରେ ଲୋକେ ମଧୁମେହର ଶିକାର ହୋଇଯାଆନ୍ତି। ଦହି ଓ ଜିରାରେ ଆଣ୍ଟି ଡାଇବେଟିକ୍ ଗୁଣ ରହିଛି, ଯାହା ମଧୁମେହ ଆଶଙ୍କାକୁ କମ୍ କରିବାରେ ବେଶ୍ ସାହାଯ୍ୟ କରେ। ତେଣୁ ଯେଉଁ ଲୋକମାନଙ୍କ ପରିବାରରେ କାହାରି ମଧୁମେହ ରହିଛି, ସେମାନେ ଦହି ଓ ଭଜା ଜିରା ସେବନ କରି ମଧୁମେହର ଶିକାର ହେବାରୁ ରକ୍ଷା ପାଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ