ସେବା ସମବାୟ ସମିତି ସଭାପତି : ତିନିଜଣ ଅପ୍ରତିଦ୍ବନ୍ଦୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ତିନି ଗୋଟି ସେବା ସମବାୟ ସମିତିର ସଭାପତି ନିର୍ବାଚନ ଜୁଲାଇ ୦୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ମାଣିତରା, ଗୋଳାବନ୍ଧ,ଓ ବିରଞ୍ଚିପୁର ତିନିଟି ସେବା ସମବାୟ ସମିତିର ସଭାପତି ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ମାଣିତରା ସେବା ସମବାୟ ସମିତିର ସଭାପତି ପଦବୀ ପାଇଁ ବବୁଲ ନାୟକ ଜଣେମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟକେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ବବୁଲ ବାବୁଙ୍କ ପ୍ରସ୍ତାବକ ଓ ସମର୍ଥକ ଭାବେ ବରିଷ୍ଠ ସଦସ୍ୟ ଗୋପାଳ କୃଷ୍ଣ ମହାରଣା ଓ ସୁବାସ ଚନ୍ଦ୍ର ଦାସ ଥିଲେ । ନିର୍ବାଚନ ଅଧିକାରୀ ଭଜରାମ ସାହୁ ବବୁଲ ନାୟକଙ୍କୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ମାଣିତରା ସେବା ସମବାୟ ସମିତିର ସମ୍ପାଦକ କେ.ନିରଞ୍ଜନ ଦୋରା ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଗୋଳାବନ୍ଧ ସେବା ସମବାୟ ସମିତିର ସଭାପତି ଭାବେ ବସନ୍ତ କୁମାର ସାମଲ ଓ ବିରଞ୍ଚିପୁର ସେବା ସମବାୟ ସମିତିର ସଭାପତି ଭାବେ ମଧୁସୂଦନ ସାହୁ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଗୋଳାବନ୍ଧ ଓ ବିରଞ୍ଚିପୁର ସେବା ସମବାୟ ସମିତିରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ବାଚନ ଅଧିକାରୀ ଦ୍ୱୟ ବସନ୍ତ କୁମାର ସାମଲ ଓ ମଧୁସୂଦନ ସାହୁଙ୍କୁ ସଭାପତି ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ।


