ସୈାନ୍ଦର୍ଯ୍ୟକରଣ ହୋଇଥିବା ଦୁତିଆଳ ଉଚ୍ଚପ୍ରାଥମିକ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତ ପକ୍ଷରୁ ସରପଂଚ ପୁଷ୍ପଲତା ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସରକାରଙ୍କ ସ୍କୁଲ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦୁତିଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ସ୍କୁଲର ଶ୍ରେଣୀଗୃହ ଗୁଡିକୁ ଡିଜିଟାଲ ଶ୍ରେଣୀଗୃହରେ ପରିଣତ କରାଯାଇଥିବା ବେଳେ ସୈାରଶକ୍ତି ମାଧ୍ୟମରେ ସ୍କୁଲ ପରିସରକୁ ଆଲୋକିତ କରାଯାଇ ସ୍କୁଲରେ ଟିଭି, ଆକୁଆଗାର୍ଡ, ଗ୍ରୀନବୋର୍ଡ ପ୍ରଭୃତି ଲଗାଯାଇଛି । ସ୍କୁଲ କାନ୍ଥକୁ ବିଭିନ୍ନ ରଙ୍ଗବେରଙ୍ଗରେ ଚିତ୍ରଣ କରାଯିବା ସହ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାରେ ପେଭର ବ୍ଲକ ବିଛାଯାଇଛି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦେଶ୍ୟରେ ସଂପୂର୍ଣ୍ଣ ଅତ୍ୟାଧୁନିକ ଶୈଳିରେ ସ୍କୁଲ ପରିବେଶ ଓ ବାତାବରଣକୁ ଆକର୍ଷଣୀୟ କରାଯାଇଥିବା ଦେଖି ଜିଲ୍ଲାପାଳ ସରପଞ୍ଚ ଶ୍ରୀମତୀ ସେନାପତିଙ୍କୁ ବେଶ ପ୍ରଶଂସା କରିଥିବା ଜଣାପଡିଛି । ଏଥିସହିତ ପଂଚାୟତର ପୁରୁଷୋତ୍ତମପୁର ଗ୍ରାମ ଅଧିନ ବଉଳପାଟଣା ପଡାଗ୍ରାମର ୪ଟି ରାସ୍ତାରେ ପେଭର ବ୍ଲକିଂ (ରଙ୍ଗୀନ ଇଟା) ବିଛାଯାଇ ରାସ୍ତାକୁ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଥିବା ଓ ଦୁତିଆଳ ଅଙ୍ଗନୱାଡିକେନ୍ଦ୍ରକୁ ଏକ ମଡେଲ ଅଙ୍ଗନୱାଡିକେନ୍ଦ୍ରରେ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଋତୁରାଜ ଦେଖି ପ୍ରସଂଶା କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବିଡିଓ ଅଶ୍ୱିନୀ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ସରପଞ୍ଚ ଶ୍ରୀମତୀ ସେନାପତି, ଯୁବନେତା ବିଦ୍ୟୁତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।


